Latest Odisha News

BREAKING NEWS

ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି । ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ମୌସୁମୀ ଆହୁରି ସକ୍ରିୟ ହୋଇ ବର୍ଷା କରାଇବ । ଯାହାର ପ୍ରଭାବରେ ଆଜିଠୁ ମୌସୁମୀ ଜନିତ ବର୍ଷାର ପରିମାଣ ବଢିବ । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଏବେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି ।

ଆଜି ମଧ୍ୟ ନବରଙ୍ଗପୁର, କନ୍ଧମାଳ, କଳାହାଣ୍ତି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ସତର୍କତା ଜାରି କରାଯାଇଛି । ଫଳରେ ତାପାମାତ୍ର ଦୁଇରୁ ତିନି ଡିଗ୍ରୀ କମିବ ବୋଲି କହିଛି ପାଣିପାଗ କେନ୍ଦ୍ର ।

ମୌସୁମୀ ଋତୁରେ ଯେତିକି ବର୍ଷା ହୁଏ, ଚଳିତବର୍ଷ ଓଡିଶାରେ ସେତିକି କିମ୍ବା ତା’ଠୁ ଅଧିକ ବର୍ଷା ହେବ। ଯାହାଫଳରେ ଚାଷ ପାଇଁ ଅନୁକୂଳ ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ଆଗାମୀ ଦୁଇଦିନ ମଧ୍ୟରେ ବିଦର୍ଭ, ଛତିଶଗଡ ଏବଂ ଓଡିଶାର ଆହୁରି କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବାବେଳେ ଗୁଜରାଟ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାରକୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ଏହାସହିତ ପଶ୍ଚିମ କେନ୍ଦ୍ରୀୟ ଆରବସାଗରରୁ ଦକ୍ଷିଣ ଓଡ଼ିଶା ଉପକୂଳ ଯାଏ ଏକ ଟ୍ରପ୍‌ ଲାଇନ୍‌ ଲମ୍ବିଛି, ଯାହାକି ବର୍ଷା କରାଇବାରେ ସହାୟକ ହେବ । ଏହା ପ୍ରଭାବରେ ଆଗାମୀ ୭ ଦିନ ଯାଏ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Comments are closed.