ଭୁବନେଶ୍ୱର: ଭୁବନେଶ୍ୱରର ପାଣିପାଗ କେନ୍ଦ୍ର ଗୁରୁବାର ଅପରାହ୍ନ ରେ ଭୁବନେଶ୍ୱର ଏବଂ କଟକ ସମେତ ଛଅଟି ଜିଲ୍ଲା ପାଇଁ ଏକ ସତର୍କତା ଜାରି କରିଛି।
ଆସନ୍ତା ୨-୩ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ( ଭୁବନେଶ୍ୱର ସମେତ), କଟକ, ପୁରୀ, ଯାଜପୁର, ମୟୂରଭଞ୍ଜ ଏବଂ ନୟାଗଡରେ ବଜ୍ରପାତ ଏବଂ ଝଡ଼ତୋଫାନ ସହିତ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ଆକଳନ କରିଛି।
ଏହି ଜିଲ୍ଲାଗୁଡ଼ିକର ଲୋକମାନଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୮ ସୁଦ୍ଧା ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ଥିବାରୁ ଓଡ଼ିଶାରେ ପୁଣି ଥରେ ପ୍ରବଳ ବର୍ଷାହୋଇପାରେ। ଅଗଷ୍ଟ ୨୭ ତାରିଖରେ ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ଏକ ହଳଦିଆ ସତର୍କତା ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ବଜ୍ରପାତ ସହିତ ଝଡ଼ବର୍ଷା ଏବଂ ପବନ ବହିପାରେ। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ପାଇଁ ପ୍ରବଳ ବର୍ଷା ସତର୍କତା ଜାରି ରହିଛି।

