China’s Monster Dam: ନେପାଳ ବିପର୍ଯ୍ୟୟ ପରେ ଚିନ୍ତା ବଢ଼ାଇଲା ଚୀନର ‘ଓ୍ବାଟର ବୋମା’! ଭାରତ ପାଇଁ ବଡ଼ ବିପଦର ସଙ୍କେତ?
ନୂଆଦିଲ୍ଲୀ: ନେପାଳ-ତିବ୍ବତ ସୀମାରେ ହଠାତ୍ ଆସିଥିବା ବନ୍ୟା ଏବେ ଚୀନର ଏକ ବିଶାଳ ଡ୍ୟାମ୍କୁ ନେଇ ଭାରତର ଚିନ୍ତା ବଢ଼ାଇଛି। ତିବ୍ବତରେ ହିମନଦ ଧସିବା ପରେ ଭୋଟେ କୋଶି ଓ ତ୍ରିଶୁଲୀ ନଦୀ ପ୍ରଣାଳୀରେ ହଠାତ୍ ପାଣି ବଢ଼ି ନେପାଳରେ ବଡ଼ କ୍ଷୟକ୍ଷତି ହୋଇଛି। ଶତାଧିକ ଲୋକଙ୍କ ମୃତ୍ୟୁ ଓ ଶତାଧିକ ଲୋକ ନିଖୋଜ ହେବା ଘଟଣା ପରେ ବିଶେଷଜ୍ଞମାନେ ଏବେ ବ୍ରହ୍ମପୁତ୍ର ଉପରେ ଚୀନ ନିର୍ମାଣ କରୁଥିବା ୬୦ ହଜାର ମେଗାୱାଟ୍ର ମେଡୋଗ୍ ଡ୍ୟାମ୍ ନେଇ ସତର୍କ କରିଛନ୍ତି।
ଚୀନର ତିବ୍ବତ ଅଞ୍ଚଳରୁ ବାହାରୁଥିବା ୟାରଲୁଙ୍ଗ ତ୍ସାଙ୍ଗପୋ ନଦୀ ଅରୁଣାଚଳ ପ୍ରଦେଶରେ ସିଆଙ୍ଗ ଏବଂ ପରେ ଆସାମରେ ବ୍ରହ୍ମପୁତ୍ର ନାମରେ ପ୍ରବାହିତ ହୋଇ ବାଂଲାଦେଶକୁ ଯାଏ। ଅର୍ଥାତ୍ ନଦୀର ଉପରମୁଣ୍ଡ ଚୀନ ନିୟନ୍ତ୍ରଣରେ ରହିଛି। ଏହିଠାରେ ଚୀନ ବିଶ୍ୱର ସବୁଠାରୁ ବଡ଼ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରୁଛି। ମେଡୋଗ୍ ଡ୍ୟାମ୍ର କ୍ଷମତା ପ୍ରାୟ ୬୦,୦୦୦ ମେଗାୱାଟ୍। ପ୍ରକଳ୍ପଟି ଭୂକମ୍ପପ୍ରବଣ ହିମାଳୟ ଅଞ୍ଚଳରେ ଏବଂ ଅରୁଣାଚଳ ସୀମା ନିକଟରେ ରହିଛି। ଚୀନର ଭୂବୈଜ୍ଞାନିକ ଗବେଷଣା ସହ ଜଡ଼ିତ ବୈଜ୍ଞାନିକମାନେ ମଧ୍ୟ ଡ୍ୟାମ୍ ସ୍ଥଳ ତଳେ ସକ୍ରିୟ ପାଇଜେନ୍ ଫଲ୍ଟ ଥିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି।
ବିଶେଷଜ୍ଞଙ୍କ ଆଶଙ୍କା, ଭୂକମ୍ପ, ଭୂସ୍ଖଳନ କିମ୍ବା ହିମନଦ ଧସିବା ଭଳି ଘଟଣା ଡ୍ୟାମ୍ ଅଞ୍ଚଳରେ ବଡ଼ ପ୍ରଭାବ ପକାଇଲେ ତଳମୁଣ୍ଡରେ ହଠାତ୍ ପାଣିର ପ୍ରବାହ ବଢ଼ିପାରେ। ଆସାମ ଓ ଅରୁଣାଚଳରେ ବନ୍ୟା ବିପଦ ବଢ଼ିବା ସହ ଚାଷ, ମତ୍ସ୍ୟ ସମ୍ପଦ ଓ ନଦୀକୂଳର ଜୀବନ ମଧ୍ୟ ପ୍ରଭାବିତ ହୋଇପାରେ। ସେଥିପାଇଁ କିଛି ବିଶେଷଜ୍ଞ ଏହାକୁ ‘ୱାଟର ବୋମା’ ବୋଲି ଅଭିହିତ କରୁଛନ୍ତି।
ସେପଟେ ଚୀନ କହୁଛି, ଏହା ଜଳବିଦ୍ୟୁତ ଉତ୍ପାଦନ ପାଇଁ ବିଶାଳ ପ୍ରକଳ୍ପ। କିନ୍ତୁ ଭାରତର ଚିନ୍ତା କେବଳ ବିଦ୍ୟୁତ ନୁହେଁ, ଜଳ ପ୍ରବାହ ଉପରେ ଚୀନର ପ୍ରଭାବ। ଭାରତ-ଚୀନ ମଧ୍ୟରେ ବ୍ରହ୍ମପୁତ୍ର ପାଇଁ ବ୍ୟାପକ ଜଳ ବଣ୍ଟନ ଚୁକ୍ତି ନଥିବାରୁ ରିଅଲ୍-ଟାଇମ୍ ଜଳ ସୂଚନା ମିଳିବା ମଧ୍ୟ ଏକ ବଡ଼ ପ୍ରସଙ୍ଗ। ଏହାର ଜବାବରେ ଭାରତ ଅରୁଣାଚଳର ୧୧,୦୦୦ ମେଗାୱାଟ୍ ସିଆଙ୍ଗ ଅପର ମଲ୍ଟିପର୍ପୋଜ୍ ପ୍ରକଳ୍ପ ଆଗକୁ ବଢ଼ାଉଛି। ତେଣୁ ନେପାଳର ବନ୍ୟା କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ବରଂ ହିମାଳୟରେ ଜଳ, ପରିବେଶ ଓ ଭୂ-ରାଜନୀତିକ ସୁରକ୍ଷାକୁ ନେଇ ଆଗାମୀ ବଡ଼ ଚ୍ୟାଲେଞ୍ଜର ସଙ୍କେତ ବୋଲି ବିଶେଷଜ୍ଞମାନେ ଦେଖୁଛନ୍ତି।

