ଭୁବନେଶ୍ୱର: ନେପାଳ ଯାଇ ଫେରି ନଥିବା ଓଡ଼ିଆ ଫୁଟବଲ୍ ଖେଳାଳି ସୁରକ୍ଷିତ। ସମସ୍ତେ ସୁରକ୍ଷିତ ଥିବା କହିଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଖୁବ୍ ଶୀଘ୍ର ସମସ୍ତଙ୍କୁ ସୁରକ୍ଷିତ ଓଡ଼ିଶା ଫେରାଇ ଆଣିବାକୁ ଯୋଜନା ଚାଲିଛି। ଗୃହ ମନ୍ତ୍ରାଳୟକୁ ଏ ବାବଦରେ ଅବଗତ କରାଯାଇ ସାରିଛି। ଓଡ଼ିଶା ମୋ ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ଫେରାଇ ଅଣାଯିବ ବୋଲି କହିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ନେପାଳକୁ ଫୁଟବଲ ଖେଳିବାକୁ ୬ ଓଡ଼ିଆ ଖେଳାଳି ଯାଇଥିଲେ। ସେମାନେ ସୁରକ୍ଷିତ ଥିବା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ଖେଳାଳିଙ୍କ ସହ ନୋଡାଲ ଅଫିସର କଥା ହୋଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କୁ ସେମାନଙ୍କୁ ଫେରାଇ ଆଣିବାକୁ ଦାୟିତ୍ୱ ଦିଆଯାଇଛି । ସରକାର ନେପାଳ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଗୃହ ବିଭାଗକୁ ଅବଗତ କରାଯାଇଛି । ଖୁବ ଶୀଘ୍ର ସେମାନଙ୍କୁ ଫେରାଇ ଅଣାଯିବ ।
ସୂଚନା ଥାଉକି ନେପାଳର ରାସୁୱା ଜିଲ୍ଲା ଓ ତିବ୍ବତ ସୀମା ନିକଟରେ ଫ୍ଲାସ୍ ଫ୍ଲଡ୍ ଯୋଗୁଁ ପ୍ରାୟ ୪୦୦ ତୀର୍ଥଯାତ୍ରୀ ନିଖୋଜ ଥିବା ଖବର ଆସିଛି। ଏଥିରେ ଶହେରୁ ଅଧିକ ଭାରତୀୟ ଥିବା ରିପୋର୍ଟରେ କୁହାଯାଇଛି। ଯେଉଁଥିରେ ୧୩୩ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୩୭ ଜଣ ପ୍ରବାସୀ ଭାରତୀୟ ଅଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅନେକ କୈଳାସ ମାନସରୋବର ଯାତ୍ରାରେ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି। ଭାରତ ସମସ୍ତ ପ୍ରକାରର ମାନବିକ ସହାୟତା ଯୋଗାଇବାକୁ ପ୍ରସ୍ତୁତ। ଭାରତୀୟ ବାୟୁସେନା ବିମାନ ଦ୍ୱାରା ରିଲିଫ୍ ସାମଗ୍ରୀ ପଠାଯାଉଛି ଏବଂ ଏନଡିଆରଏଫ ଦଳ ନିୟୋଜିତ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛି।

