Latest Odisha News

BREAKING NEWS

ଅସୁରକ୍ଷିତ ବ୍ରହ୍ମପୁର ବଡ଼ ମେଡ଼ିକାଲ; ନୂତନ କୋଠା ସିଲିଂରୁ ଝରିଲା ପାଣି

ବ୍ରହ୍ମପୁର:କୋଟି କୋଟି ଟଙ୍କା ବ୍ୟୟରେ ଏମକେସିଜି ମେଡିକାଲରେ ନିର୍ମିତ ହୋଇଥିବା ଏକାଧିକ ନୂତନ କୋଠା ଏବେ ରୋଗୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଏହି କୋଠାରୁ କେତେବେଳେ ସିଲିଂ ଖସୁଛି ତ ଆଉ କେତେବେଳେ ଝରଣା ଭଳି ପାଣି ବୋହୁଛି।

ଯାହା ଚିକିତ୍ସିତ ହେଉଥିବା ରୋଗୀ ପାଇଁ ବିପଦ ଡାକି ଆଣୁଛି। ପୂର୍ବରୁ ସର୍ଜରୀ ବିଭାଗ କୋଠା ଓ ସୁପରସ୍ପେସିଆଲିଟି କୋଠାରୁ ସିଲିଂ ଖସିବାର ନଜିର ରହିଥିବା ବେଳେ ଗୁରୁବାର ଝରଣା ଭଳି ଜୋରରେ ପାଣି ବୋହିବା ଘଟଣା ସବୁଆଡେ ଚର୍ଚ୍ଚାରେ ବିଷୟ ପାଲଟିଛି।

୪ ବର୍ଷ ତଳେ ଉଦଘାଟନ ହୋଇଥିବା ସର୍ଜରୀ ବିଭାଗ କୋଠାରୁ ପୂର୍ବରୁ ବିଭିନ୍ନ ୱାର୍ଡରୁ ସିଲିଂ ଖସିଥିବା ବେଳେ ବୁଧବାର ମାଇନର ଅ​ସ୍ତ୍ରୋପଚାର ଗୃହ ଉପର ଦେଇ ଯାଇଥିବା ପାଣି ପାଇପ ଫାଟିଯାଇଥିଲା। ଫଳରେ ସେହି କୋଠରୀର ବଡ ସିଲିଂ ଖସିଯିବା ସହ ଅନବରତ ପାଣି ବୋହିଥିଲା। ପାଣି ବୋହି ସମ୍ପୂର୍ଣ୍ଣ କୋଠାଟି ଓଦା ଦେବା ସହ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଥିଲା।

ସେହି କୋଠାରେ ଶହ ଶହ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସିଲିଂ ଖସିବା ଓ ଅନବରତ ପାଣି ବୋହିବା ଘଟଣା କୋଠା ନିର୍ମାଣ କରିଥିବା ଘରୋଇ ସଂସ୍ଥା ତଥା ଯନ୍ତ୍ରୀଙ୍କ ଦକ୍ଷତାକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା।

ଖବର ପାଇ ଏମକେସିଜି ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର, କଲେଜର ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଅବନୀକାନ୍ତ ମିଶ୍ର, ଜନସ୍ଵାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ ସେଠାରେ ପହଞ୍ଚି ମରାମତି କାର୍ଯ୍ୟ ପାଇଁ ପଦକ୍ଷେପ ନେଇଥିଲେ। ବେଶ କିଛି ସମୟ ପାଣି ବୋହିଯିବା ପରେ ଜନସ୍ଵାସ୍ଥ୍ୟ ବିଭାଗ ଯନ୍ତ୍ରୀ ଓ କର୍ମଚାରୀ ପହଞ୍ଚି ନୂତନ ପାଇପ ଲଗାଇବା ପରେ ତାହା ବନ୍ଦ ହୋଇଥିଲା।

ପ୍ରକାଶଥାଉକି, କିଛି ଦିନ ତଳେ ବର୍ଷା ଯୋଗୁ ଛାତରୁ ପାଣି ଗଳି ୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁପରସ୍ପେସିଆଲିଟି କୋଠାରୁ ସିଲିଂ ଖସି ଯାଇଥିଲା। ଏହି କୋଠାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗରୁ ସିଲିଂ ଖସିଥିବା ବେଳେ ଏହା ପୂର୍ବରୁ ରୋଗୀଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଥିବାରୁ ସେମାନେ ବର୍ତ୍ତି ଯାଇଥିଲେ ।

Comments are closed.