Latest Odisha News

BREAKING NEWS

କଣ୍ଟେନର୍‌ର ସିକ୍ରେଟ୍‌ ଚାମ୍ବରରୁ ମିଳିଲା ୧୬୦କିଲୋ ଗଞ୍ଜେଇ

ବ୍ରହ୍ମପୁର:ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ରାକେଟ୍‌ ଠାବ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ। ଗୋଟିଏ କଣ୍ଟେନର୍‌ରେ ଗଜପତି ଜିଲା ମୋହନାରୁ ଖଲ୍ଲିକୋଟ ନିର୍ମଳ ଝର ଦେଇ ଜାତୀୟ ରାଜପଥରେ ଚାଲାଣ ହେଉଥିବା ୧୬୦ କେଜି ଗଞ୍ଜେଇ ଧରିଛି ଅବକାରୀ ବିଭାଗ। ଏ ସଂକ୍ରାନ୍ତରେ କଣ୍ଟେନର୍‌ ଡ୍ରାଇଭର୍‌ ରୋହିତ ସ୍ୱାଇଁ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଜବତ ଗଞ୍ଜେଇ ଏବଂ କଣ୍ଟେନର୍‌ର ମୋଟ ମୂଲ୍ୟ ପ୍ରାୟ ୩୨ ଲକ୍ଷ ଟଙ୍କା ହେବ । କଣ୍ଟେନର୍‌ର ଗୋଟିଏ ସିକ୍ରେଟ୍‌ ଚାମ୍ବରରେ ଏହି ଗଞ୍ଜେଇ ଭର୍ତ୍ତି କରାଯାଇଥିଲା । ଏଣୁ ଗାଡ଼ିକୁ ଅଟକାଇବା ପରେ ଗଞ୍ଜେଇ ଖୋଜିବାକୁ ଅବକାରୀ ଅଧିକାରୀଙ୍କୁ କଷ୍ଟ କରିବାକୁ ପଡ଼ିଥିଲା । ଏନେଇ ମାମଲା ନମ୍ବର ୩୭୬/୨୨-୨୩ ରେ ଅଭିଯୁକ୍ତ ରୋହିତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।

ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିସନର୍‌ ଅଶୋକ କୁମାର ଶତପଥୀଙ୍କ ତତ୍ତ୍ବାବଧାନରେ ଏକ ଟିମ୍‌ ୧୬ ନମ୍ବର ଜାତୀୟ ରାଜପଥ ହଳଦିଆପଦର ଜଙ୍କସନ୍‌ରେ ପାଟ୍ରୋଲିଂ କରୁଥିଲା। ସେଠାରେ ବିଭିନ୍ନ ଗାଡ଼ି ଅଟକାଇ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଚମାଖଣ୍ଡି ପଟୁ ଦ୍ରୁତଗତିରେ ଆସୁଥିବା ଏକ କଣ୍ଟେନର୍‌ (ଏମଏଚ -୧୨ଏଚଡ଼ି – ୨୦୫୪)କୁ ଅବକାରୀ ଟିମ ସନ୍ଦେହରେ ଅଟକାଇ ଥିଲା। କଣ୍ଟେନର୍‌ ଯାଞ୍ଚ ବେଳେ ପ୍ଲାଷ୍ଟିକ୍‌ ବସ୍ତାରେ ଗଞ୍ଜେଇ ଭର୍ତ୍ତି ରହିଥିବା ଜଣାପଡ଼ିଥିଲା।

ଏଣୁ ଅବକାରୀ ବିଭାଗ ଗଞ୍ଜେଇ ଭର୍ତ୍ତି କଣ୍ଟେନର୍‌କୁ ଜବତ କରିବା ସହ ଡ୍ରାଇଭର୍‌ ରୋହିତଙ୍କୁ ଗିରଫ କରିଥିଲା। କଣ୍ଟେନର୍‌ରୁ ବିପୁଳ ପରିମାଣ ଗଞ୍ଜେଇ ଜବତ ହୋଇଥିଲା। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୨ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ସୂଚନା ଦେଇଛନ୍ତି।

ଏହି ଗଞ୍ଜେଇ ମୋହନାରୁ ଅଣାଯାଇଥିବା ବେକେ ଅନ୍ଧ୍ରପ୍ରଦେଶର ଇଚ୍ଛାପୁର ଯାଇଥାନ୍ତା ଓ ସେଠାରୁ କୋରିଏର ଯୋଗେ ମୁମ୍ବାଇ ଚାଲାଣ କରାଯାଇଥାନ୍ତା ବୋଲି ଅଭିଯୁକ୍ତଙ୍କୁ ଜେରା ବେଳେ ଅବକାରୀ ପୋଲିସ ଜାଣିବାକୁ ପାଇଛି।

ତଦନ୍ତ ଜାରି ରହିଛି ଏଣୁ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସେ କହିଛନ୍ତି। ଯାଞ୍ଚ ସମୟରେ ଅବକାରୀ ଗୁଇନ୍ଦା ବିଭାଗ ଇନ୍‌ସ୍ପେକ୍ଟର୍‌ ହୃଦୟ ଚନ୍ଦ୍ର ସାମନ୍ତ, ଏସ୍‌ଆଇ ସୁଦର୍ଶନ ବିଷୋୟୀ, ଏଏସଆଇ ବ୍ରଜ ବିହାରୀ ନାୟକ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.