ରଥଯାତ୍ରାରେ ବାଧକ ସାଜିବନି ବର୍ଷା: ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ, ପ୍ରଶାସନକୁ ହାଇ-ଆଲର୍ଟ ନିର୍ଦ୍ଦେଶ
ପୁରୀ: ବଡ଼ଦାଣ୍ଡରେ କାଳିଆ ସାଆନ୍ତଙ୍କୁ ଦେଖିବା ପାଇଁ ସାରା ବିଶ୍ୱରୁ ଛୁଟି ଆସୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଭକ୍ତର ଭାବ ଆଗରେ ପ୍ରକୃତିର ପ୍ରତିବନ୍ଧକ ଯେମିତି ହାର୍ ମାନିବ, ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ପବିତ୍ର ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସମ୍ଭାବ୍ୟ ଲଗାତାର ବର୍ଷା ଓ ଜଳବନ୍ଦୀ ସମସ୍ୟାର ସଫଳ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶାସନିକ ପ୍ରସ୍ତୁତିର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାଳିଆ ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ତାହା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ବର୍ଷା ଯୋଗୁଁ ଯେପରି ବଡ଼ଦାଣ୍ଡ ସମେତ ସମଗ୍ର ପୁରୀ ସହରରେ ପାଣି ନ ଜମିବ, ସେଥିପାଇଁ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ପ୍ରଶାସନ, ପୌରପାଳିକା ଏବଂ ସମସ୍ତ ସମ୍ପୃକ୍ତ ବିଭାଗକୁ ସମ୍ପୂର୍ଣ୍ଣ ଭାବେ ‘ହାଇ-ଆଲର୍ଟ’ରେ ରହିବାକୁ କୁହାଯାଇଛି।
ଶ୍ରୀକ୍ଷେତ୍ରକୁ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନିମ୍ନଲିଖିତ ସେବାଗୁଡ଼ିକୁ ସୁନିଶ୍ଚିତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ବର୍ଷା ସମୟରେ ଯେକୌଣସି ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ମେଡିକାଲ ଟିମ୍ ସର୍ବଦା ପ୍ରସ୍ତୁତ ରହିବେ।
ସହରର ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ପାନୀୟ ଜଳର ଯୋଗାଣ ବ୍ୟବସ୍ଥା କରାଯିବ।
ବର୍ଷା ଯୋଗୁଁ ଯେପରି ବିଦ୍ୟୁତ ସେବା ବାଧାପ୍ରାପ୍ତ ନହୁଏ, ସେଥିପାଇଁ ବିଭାଗକୁ ସଜାଗ ରଖାଯାଇଛି।