Latest Odisha News

BREAKING NEWS

କାଳବୈଶାଖୀ ପ୍ରଭାବରେ ୨୫ ସହରରେ ବର୍ଷା, ୭ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟର ଲାଗି ରହିଛି ବର୍ଷା। ଗତ ରାତିରୁ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବାଙ୍କିରେ ସର୍ବାଧିକ ୧୦୮ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ ଠାରୁ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଦାରିଙ୍ଗିବାଡ଼ିରେ ସର୍ବାଧିକ ୨୮ ମିମି, ରାୟଗଡ଼ାରେ ୫.୨ମିମି ଓ କୋରାପୁଟରେ ୪ ମିମି ବର୍ଷା ହୋଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ଏହି ୭ଟି ଜିଲ୍ଲା ହେଉଛି ମୟୂରଭଞ୍ଜ, ପୁରୀ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଗଜପତି, ରାୟଗଡ଼ା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ଗତ ରାତିରୁ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା କଟକରେ ୮୯.୨ ମିମି, ଭୁବନେଶ୍ବରରେ ୭୬.୮ମିମି, ଜଗତସିଂହପୁରରେ ୭୪.୧ମିମି, ପାରାଦୀପରେ ୫୧.୮ମିମି, ପୁରୀରେ ୩୭.୮ମିମି, ନୟାଗଡ଼ରେ ୩୬ ମିମି, ବାଲେଶ୍ବରରେ ୩୫ ମିମି, ଚାନ୍ଦବାଲିରେ ୩୨ ମିମି, ଢେଙ୍କାନାଳରେ ୨୮ ମିମି, ଖୋର୍ଦ୍ଧାରେ ୨୪ ମିମି ବର୍ଷା ରେକର୍ଡ କରାଯିବା ସହ ୨୫ଟି ସହରରେ ବର୍ଷା ହୋଇଛି। ଏହିସବୁ ଅଞ୍ଚଳରେ ବର୍ଷା ଯୋଗୁଁ ତାପମାତ୍ରାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି।

୧୬ ତାରିଖ ପରେ ଭୁବନେଶ୍ୱର ସମେତ ବାଲେଶ୍ୱର, ବାରିପଦା, ଢେଙ୍କାନାଳ, କେନ୍ଦୁଝର, ଚାନ୍ଦବାଲି ତାପମାତ୍ରା ପୁଣିଥରେ ୪୦ ଡିଗ୍ରି ପାର୍ ହେବାର ସମ୍ଭାବନା ରହିଛି। ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବ‌ନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ ଚଳିତ ଥର ମୌସୁମୀ ବର୍ଷା ସ୍ୱାଭାବିକ ସମୟ ପୂର୍ବରୁ ଆସିବାକୁ ଯାଉଛି। ମାସ ଶେଷରେ ଏକ ଘୂର୍ଣ୍ଣିବଳୟ ଥିବା ବେଳେ ଆଗୁଆ ଆସିପାରେ ମୌସୁମୀ। ମେ ୨୨ ତାରିଖରେ ଅଣ୍ଡାମାନରେ ବର୍ଷା ହେବ। ଏହାପରେ ମୌସୁମୀ ଛୁଇଁବ।

Comments are closed.