Latest Odisha News

BREAKING NEWS

ଆଜି ଶ୍ରୀନଅର ବିଜେ: ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜଙ୍କୁ ଦେବେ ସେବାୟତ

ପୁରୀ: ଦଶମୂଳ ମହୌଷଧି ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ । ଆଜି ଦ୍ୱାଦଶୀ ତିଥିରେ ଏହି ଖବର ନେଇ ଶ୍ରୀନଅର ଯିବେ ସେବାୟତ । ଗଜପତି ମହାରାଜଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ଖବର ଦେବେ । ମହାପ୍ରଭୁ ଆରୋଗ୍ୟ ଲାଭ କରିଥିବା ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ ଦଇତାପତି ଓ ବିଦ୍ୟାପତିମାନେ ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିବେ ।

ଗତକାଲି ଶ୍ରୀଜିଉଙ୍କୁ ଲାଗି ହୋଇଥିଲା ଦଶମୂଳ ମହୌଷଧି । ସେହିପରି ମହାପ୍ରଭୁଙ୍କର ସର୍ବାଙ୍ଗ ଚନ୍ଦନ ନୀତି ବି ଅନୁଷ୍ଠିତ ହୋଇଥିଲା । ସର୍ବାଙ୍ଗ ଚନ୍ଦନ ନୀତି ପରେ ଶ୍ରୀଜିଉମାନଙ୍କୁ ଖଣ୍ଡୁଆ ଲାଗି କରାଯାଇଥିଲା । ଅଣସର ପିଣ୍ଡିକୁ ଯିବା ପରଠାରୁ ଶ୍ରୀବିଗ୍ରହମାନେ ଧଳାଫୁଲରେ ପୂଜା ପାଉଥିବା ବେଳେ ପ୍ରଥମ ଥର ଲାଗି କରାଯାଇଥିଲା ତୁଳସୀ ।

ଚକା ଉପରେ ବିଜେ ଅବସ୍ଥାରେ ରକ୍ତବସ୍ତ୍ର ପରିଧାନ କରିଛନ୍ତି ମହାପ୍ରଭୁ । ପରେ ମହାପ୍ରଭୁଙ୍କ ନିକଟରେ ଖଇ, ରାଜପ୍ରସାଦ ଭୋଗ ଲାଗି ହୋଇଥିଲା । ବିଳମ୍ବିତ ରାତିରେ ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମହାପ୍ରଭୁଙ୍କ ଉପଚାରରେ ଲାଗି ହୋଇଥିଲା । ଏହାସହ ମହାପ୍ରଭୁଙ୍କ ଖଳି ଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ଏସବୁ ନୀତି ସମ୍ପନ୍ନ ପରେ ଶ୍ରୀଜିଉ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

ଆଉ ୫ ଦିନ ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଚଢ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀ ବିଜେ କରିବେ କାଳିଆ ଠାକୁର । ଏଥିପାଇଁ ତିନି ରଥର ନିର୍ମାଣ ଜୋରସୋରରେ ଚାଲିଛି । ରଥଯାତ୍ରା ପୂର୍ବରୁ ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଚଳିତବର୍ଷ କରୋନା ଯୋଗୁ ସର୍ବସାଧାରଣ ଦର୍ଶନ ବନ୍ଦ ଥିବାରୁ ନବଯୌବନ ବେଶ ଦେଖିପାରିବେ ନାହିଁ ଭକ୍ତ ।

Leave A Reply

Your email address will not be published.