ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ହତ୍ୟା ଧମକ । ତାହା ପୁଣି ଜେଲ ଭିତରୁ । ଦୌସା ଜେଲରେ ଥିବା ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଫୋନ୍ ମାଧ୍ୟମରେ ହତ୍ୟା ଧମକ ପଠାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଏବେ ତନାଘନା ଆରମ୍ଭ କରିଛି ପୋଲିସ୍ । ପ୍ରାଥମିକ ଯାଞ୍ଚ ପରେ ଏଥିରେ ଥାନା ଅଧିକାରୀ ସଂପୃକ୍ତ ଥିବା ଜଣାପଡିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ରିଙ୍କୁ, ଯିଏକି ଯୌନ ଅପରାଧରୁ ଶିଶୁ ସୁରକ୍ଷା ମାମଲାରେ ପୂର୍ବରୁ ଜେଲ ଭିତରେ ଅଛି । ଶୁକ୍ରବାର ଦିନ ଜେଲରୁ କଲ୍ ଟ୍ରାକ୍ ହେବା ପରେ, ପୋଲିସ ଅଧିକାରୀମାନେ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଥିଲେ । ଏନେଇ ରାଜ୍ୟ ଗୃହମନ୍ତ୍ରୀ ଜବାହାର ସିଂହ ବେଦମ କହିଛନ୍ତି, ଯେ ଜେଲର ମହାନିରୀକ୍ଷକ ବିକ୍ରମ ସିଂହଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ଦୌସା ଜେଲରେ ରିଙ୍କୁ ନାମକ ଜଣେ ଅପରାଧୀ ଯିଏକି ପୂର୍ବରୁ ପିଓସିଏସଓ ଆଇନରେ ଜେଲରେ ଅଛି । ମୋବାଇଲ୍ ମାଧ୍ୟମରେ ସେ ଗତକାଲି ନିୟନ୍ତ୍ରଣ କକ୍ଷକୁ ଫୋନ୍ କରି ଭଜନଲାଲ ଶର୍ମାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ।
ଯାହା ପରେ ପୋଲିସ୍ ତୁରନ୍ତ କଲ ଟ୍ରାକ୍ ରେକର୍ଡ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଅଭିଯୁକ୍ତକୁ ଗିରଫ କରାଯିବ ସହିତ, ଅପରାଧୀ ଜଣଙ୍କ କିପରି ଫୋନ୍ ପାଇଲା?, ସେନେଇ ପଚରାଉଚରା ଚାଲିଥିଲା । ସେ ଆହୁରି ମଧ୍ୟ କହିଛନ୍ତି, ଯେ ଜେଲ କର୍ତ୍ତୃପକ୍ଷ ମଧ୍ୟ ଜେଲ କୋଠରୀଗୁଡ଼ିକର ଗୋଟିଏ ଘଣ୍ଟା ପୂର୍ବରୁ ଯାଞ୍ଚ କରିଥିଲେ । ଏଥିରେ ଜେଲର ଅନ୍ୟ ଜଣେ ଅଧିକାରୀ ସମ୍ପୃକ୍ତ ଥିବାର ସମ୍ଭାବନା ରହିଛି, ଯାହାର ତଦନ୍ତ ପୋଲିସ ବର୍ତ୍ତମାନ କରୁଛି ।
ଏଥିସହିତ ଅଭିଯୁକ୍ତଠାରୁ ମୋବାଇଲ ଏବଂ ସିମ୍ ମଧ୍ୟ ଜବତ କରାଯାଇଥିବା କଥା ସେ ସୂଚନା ଦେଇଛନ୍ତି । ଯେପରି ଏଭଳି ଘଟଣାର ପୁନାରବୃତ୍ତି ନହେଉ ସେଥିପାଇଁ, ଏହି ଘଟଣାରେ କଡା କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ୍ ଅଧିକାରୀ ।
Comments are closed.