Latest Odisha News

BREAKING NEWS

ସ୍ବାମୀ ସାଜିଲା ସୈତାନ୍: ମହିଳାଙ୍କୁ ନିବସ୍ତ୍ର କରି ବୁଲାଇଲେ ସ୍ବାମୀ ଓ ଶାଶୁଘର ଲୋକେ, ଭିଡିଓ ଭାଇରାଲ

ଜୟପୁର: ରାଜସ୍ଥାନରେ ମଣିପୁର ଘଟଣାର ପୁନରାବୃତ୍ତି । ସ୍ବାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା ନିଷ୍ଠୁର ସ୍ବାମୀ । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁଯାୟୀ, ପ୍ରତାପଗଡ ଜିଲ୍ଲା ଧରିୟାବାଦ ଥାନା ଅନ୍ତର୍ଗତ ପହାଡା ଅଞ୍ଚଳରେ କୌଣସି କଥାକୁ ନେଇ ପୀଡିତାଙ୍କ ବାପଘର ଓ ଶାଶୁଘର ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ କେନ୍ଦ୍ରକରି ଗତ ସୋମବାର ଦିନ ସ୍ବାମୀଙ୍କ ସହ ଶାଶୁଘର ଲୋକେ ମହିଳାଙ୍କୁ ଖୁବ୍ ମାଡ ମାରିଥିଲେ ଏବଂ ନିବସ୍ତ୍ର କରି ବୁଲାଇଥିଲେ । ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଏ ସମ୍ପର୍କରେ ଜଣାପଡିଥିଲା । ତେବେ ଉଭୟ ପୀଡିତା ଓ ଅଭିଯୁକ୍ତ ଆଦିବାସୀ ସମାଜର ଅଟନ୍ତି । ଭାଇରାଲ୍ ଭିଡିଓ ଦେଖି ପ୍ରତାପଗଡ ଏସପି, ଡେପୁଟି ଏସପି ଓ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଉକ୍ତ ଘଟଣାରେ ପୋଲିସ ଆଜି ୩ ଜଣଙ୍କୁ ଗିରଫ କରିଛି । ଏନେଇ ଏସପି ଅମିତ କୁମାର କହିଛନ୍ତି ଯେ, ମାମଲାରେ ଏଫଆଇଆର ରୁଜୁ ହୋଇଛି । ଏହି ପାଶବିକ କାଣ୍ଡରେ ସମ୍ପୃକ୍ତ ସମସ୍ତ ୮ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩ଜଣଙ୍କୁ ଗିରଫ କରିଛ ପୋଲିସ ଓ ଅନ୍ୟମାନଙ୍କୁ ଗିରଫ କରିବାକୁ ପୋଲିସ ଖୋଜାଖୋଜି ଚଳାଇଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି, ”ପ୍ରତାପଗଡ ଜିଲ୍ଲାରୁ ମହିଳାଙ୍କୁ ନିବସ୍ତ୍ର କରିବାର ଭିଡିଓ ସାମ୍ନାକୁ ଆସିଛି । ସଭ୍ୟ ସମାଜରେ ଏଭଳି ଅପରାଧିମାନଙ୍କ କୌଣସି ସ୍ଥାନ ନାହିଁ । ଏହି ଘଟଣାରେ ସାମିଲ ଥିବା ଅପରାଧିଙ୍କୁ ଯଥାଶୀଘ୍ର ଗିରଫ କରାଯିବ ଏବଂ ଫାଷ୍ଟଟ୍ରାକ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡ ଦିଆଯିବ ।”

Leave A Reply

Your email address will not be published.