Latest Odisha News

BREAKING NEWS

ରାଜେନ୍ଦ୍ର କୁମାର ରାଉଳ ଓ ସୃଷ୍ଟିଶ୍ରୀ ନାଏକ ପାଇବେ ‘ଟାଇମ୍‌ପାସ୍‍ ବୁକର୍‌ ପୁରସ୍କାର’

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଟାଇମପାସ ପକ୍ଷରୁ ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଉତ୍ସାହଜନକ ‘ଟାଇମ୍‌ପାସ୍‍ ବୁକର୍‌ ପୁରସ୍କାର’ ୨୦୨୦ ମସିହା ପାଇଁ ରାଜେନ୍ଦ୍ର କୁମାର ରାଉଳଙ୍କ ଗଳ୍ପ ପାଣ୍ଡୁଲିପି ‘ଟେଲିଗ୍ରାମ୍‍’ ଓ ୨୦୨୧ ମସିହା ପାଇଁ ସୃଷ୍ଟିଶ୍ରୀ ନାଏକଙ୍କ ଗଳ୍ପ ପାଣ୍ଡୁଲିପି ‘ମତେ ଭୁଲିଯିବ ନାହିଁ’ ମନୋନୀତ ହୋଇଛି । ପାଣ୍ଡୁଲିପିଗୁଡ଼ିକୁ ପୁସ୍ତକ ଆକାରରେ ପ୍ରକାଶିତ କରାଯିବା ସହ ଲେଖକ ଦ୍ୱୟଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ସହ ସବୁଠୁ ଅଧିକ ବିକ୍ରି ହୋଇଥିବା ପୁସ୍ତକକୁ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବେଷ୍ଟ୍‌ସେଲର୍‌ ପୁରସ୍କାର’ ପାଇଁ ଚଳିତ ବର୍ଷ ପଞ୍ଚାନନ ନାୟକଙ୍କ ‘ହୃଦୟ କିଛି କହିଲା’, ଚିତ୍ତରଞ୍ଜନ ନାୟକଙ୍କ ‘ଡାକୁଛ ବୋଲି ଜାଣେ’, ଶୁଭନାରାୟଣ ସ୍ୱାଇଁଙ୍କ ‘ବିଚିତ୍ର ବର୍ଣ୍ଣର ଆକାଶ’, ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ‘ଖଙ୍ଗାର’, ଲୋପାମୁଦ୍ରା ମିଶ୍ରଙ୍କ ‘ଗୋଲାପୀ ଜ୍ୟାକେଟ୍‍’ ଏବଂ ନିରୁପମା ବେହେରାଙ୍କ ‘ପାପୁଲିଏ ଜହ୍ନରାତି’ ପୁସ୍ତକ ଯୋଗ୍ୟ ବିବେଚିତ ହୋଇଛି । କବି ତଥା ପୁସ୍ତକପ୍ରେମୀ ମାନି ଦାଶଙ୍କୁ ‘ଟାଇମପାସ୍‍ ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯିବ ଏବଂ ପ୍ରତିଯୋଗିତା ଭିତ୍ତିରେ ନୂଆପିଢ଼ିର ୩୦ଜଣ ଲେଖକଙ୍କୁ ‘ଉଦୟରାଗ’ ସମ୍ମାନ ଓ ୬ଜଣ ଲେଖକଙ୍କୁ ‘ପ୍ରଥମା’ ପୁରସ୍କାର ମଧ୍ୟ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଆଗାମୀ ଡିସେମ୍ବର ୧୯ ତାରିଖରେ ଟାଇମ୍‌ପାସ୍‌ ପକ୍ଷରୁ ଆୟୋଜିତ ‘ଉତ୍‍ସାହିତ୍ୟ’ ସାହିତ୍ୟ ଉତ୍ସବରେ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ । ଦିବସବ୍ୟାପି ଏହି କାର୍ଯ୍ୟକ୍ରମକୁ ପ୍ରଖ୍ୟାତ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଏକକ ଅତିଥି ଭାବେ ଉଦ୍‍ଘାଟନ କରିବାକୁ ଥିବାବେଳେ ଉଦ୍‍ଯାପନୀ ସଂଧ୍ୟାରେ ପ୍ରସିଦ୍ଧ ହିନ୍ଦୀ ଲେଖକ ଧ୍ରୂବ ଶୁକ୍ଳା, ସୁଖ୍ୟାତ କଥାକାର ଗୌରହରି ଦାସ, କବି ତଥା ଭାଷା-ସାହିତ୍ୟ-ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସ ଏବଂ ବିଖ୍ୟାତ ବ୍ୟଙ୍ଗକବି ଜ୍ଞାନ ହୋତା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.