Latest Odisha News

ରାଜ୍ୟ ପୁସ୍ତକ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା: ଶ୍ରୀଲଙ୍କା ସାହିତ୍ୟିକ ଦୟା ଦିସାନାୟେକ ମୁଖ୍ୟବକ୍ତା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ । ‘ଅକ୍ଷର’ ନାମରେ ନାମିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି ।

ଆଜି ଏହି ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ହୋଇଥିବା ବେଳେ ଆଜିର ସାରସ୍ୱତ ସମାଗମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଶ୍ରୀଲଙ୍କାର ଖ୍ୟାତନାମା ସାହିତ୍ୟିକ ପ୍ରଫେସର ଦୟା ଦିସାନାୟକେ ଏହି ସନ୍ଧ୍ୟାର ମୁଖ୍ୟବକ୍ତା ଭାବେ ଯୋଗ ଦେଉଛନ୍ତି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ କବି ବିଷ୍ଣୁପଦ ସେଠୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେବେ ।

ସେହିପରି ସଭାମୁଖ୍ୟ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହରିହର ମିଶ୍ର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଆ ବର୍ଣ୍ଣମାଳାର ପ୍ରଥମ ଅକ୍ଷର ‘ଅ’ ଠାରୁ ଆରମ୍ଭ କରି ‘କ୍ଷ’ ପର୍ଯ୍ୟନ୍ତ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ସମ୍ଭାର ଭାବେ ଏହି ମହୋତ୍ସବକୁ ବିବେଚନା କରାଯାଉଥିବା ଯୋଗୁଁ ଏହାର ଏପରି ନାମକରଣ କରାଯାଇଥିବା କୁହାଯାଉଛି ।

ସ୍ଥାନୀୟ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମକୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଉତ୍ସର୍ଗୀକୃତ କରାଯାଇଛି ।

ଗାନ୍ଧିଜୀ ଓ ଓଡ଼ିଶା’ ଶୀର୍ଷକ ପ୍ରଦର୍ଶନୀ ମଣ୍ଡପ ପରିଦର୍ଶନ କରିଥିଲେ । ଏହି ପ୍ରଦର୍ଶନୀରେ ଗାନ୍ଧୀ ଜୀବନୀ ଆଧାରିତ ଫଟୋଚିତ୍ର ଏବଂ ଅନେକ ନଥିର ଫଟୋଚିତ୍ର ସ୍ଥାନ ପାଇଛି । ଏହା ବ୍ୟତୀତ ଗାନ୍ଧିଜୀଙ୍କ ଜୀବନୀ ଆଧାରିତ ଏକାଧିକ ପୁସ୍ତକ ମଧ୍ୟ ରଖାଯାଇଛି ।

ଉଦଘାଟନୀ ସନ୍ଧ୍ୟାରେ ବିଶିଷ୍ଟ ଅତିଥି ଶ୍ରୀମତୀ ମହାନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ତିନୋଟି ପୁସ୍ତକ (ପ୍ରବନ୍ଧ, ଗଳ୍ପ ଓ କବିତା ସଂକଳନ) ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଭାବରେ ପ୍ରଦାନ କରିଥିଲେ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ସଂକଳ୍ପ ପତ୍ର ଲୋକାର୍ପଣ କରିଛନ୍ତି।

ଏହି ପୁସ୍ତକ ମହୋତ୍ସବରେ କଳିଙ୍ଗ ପୁସ୍ତକ ମେଳା କମିଟି, ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି ଏବଂ ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସହଯୋଗ କରିଥିବାବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ରାଜ୍ୟ ଅଭିଲେଖାଗାର, ଡ. ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଓ ରାଜ୍ୟ ସଂଗ୍ରହାଳୟ ଆଦି ସଂପୃକ୍ତ ହୋଇଛନ୍ତି ।

ମହୋତ୍ସବରେ ପ୍ରାୟ ୫୦୦ ଷ୍ଟଲ୍‌ ଖୋଲିଛି । ରାଜ୍ୟ ଓ ରାଜ୍ୟ ବାହାରୁ ବିଶିଷ୍ଟ ପୁସ୍ତକ ପ୍ରକାଶକମାନେ ପ୍ରଦର୍ଶନରେ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.