କଳିଙ୍ଗ ଯୁଦ୍ଧର ଐତିହାସିକ ପ୍ରମାଣ ନାହିଁ : ଦୟା ଦିସାନାୟକେ।

ଭୁବନେଶ୍ବର: ପ୍ରଚଳିତ ତଥ୍ୟ ଓ ଉପଲବ୍ଧ ଅଧ୍ୟୟନରୁ କଳିଙ୍ଗ ଯୁଦ୍ଧ ହୋଇଥିବାର କୌଣସି ପ୍ରମାଣ ମିଳୁନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି ଶ୍ରୀଲଙ୍କାର ବିଶିଷ୍ଟ ସାହିତ୍ୟିକ ତଥା ‘ଅଶୋକ କିଏ’ ପୁସ୍ତକର ରଚୟିତା ଦୟା ଦିସାନାୟକେ।

ଏଠାରେ ଅନୁଷ୍ଠିତ ହେଇଆସୁଥିବା ମାସିକ କେ ଏଲ ଏଫ ପାଠଚକ୍ରରେ ଭାଗ ନେଇ ସେ କହିଲେ ଯେ ” ପ୍ରଥମତଃ ଦୟା ନଦୀ କୂଳରେ ଥିବା ଶିଳାଲେଖରେ କଳିଙ୍ଗ ଯୁଦ୍ଧ ହୋଇଥିବାର କୌଣସି ଉଲ୍ଲେଖ ନାହିଁ। ସେହିପରି ଶ୍ରୀଲଙ୍କା ଇତିହାସରେ ଅଶୋକଙ୍କ ଧର୍ମ ପ୍ରଚାର ଉଲ୍ଲେଖ ରହିଛି, ମାତ୍ର କଳିଙ୍ଗ ଯୁଦ୍ଧର ବର୍ଣ୍ଣନା ନାହିଁ।”

ଯଦିଓ କଳିଙ୍ଗ ଯୁଦ୍ଧ ହୋଇଥିବାର ଲିଖିତ ପ୍ରମାଣ ଅନ୍ୟ ଏକ ଶିଳାଲେଖରେ ରହିଛି, ତାହା ଅଶୋକ ନିଜର ଶାନ୍ତିଧର୍ମ ପ୍ରଚାର ଉଦ୍ଦେଶ୍ୟରେ ତାହା କରିଥାଇ ପାରନ୍ତି ବୋଲି କହିଥିଲେ।

ଅଶୋକଙ୍କ ସମ୍ପର୍କରେ ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ନେଇ ଗବେଷଣା କରି ‘ହୁ ଇଜ ଅଶୋକ’ (କିଏ ପ୍ରକୃତ ଅଶୋକ) ପୁସ୍ତକ ରଚନା କରିଥିବା ଦିସାନାୟକେ କହିଥିଲେ ଯେ ଶାନ୍ତିପ୍ରିୟ ଅଶୋକ ନିଜ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ କଳିଙ୍ଗ ଯୁଦ୍ଧର କାହାଣୀରେ ତାଙ୍କ ହୃଦୟ ପରିବର୍ତ୍ତିତ ହୋଇଥିବା କଥା ବର୍ଣ୍ଣନା କରି ଲୋକମାନଙ୍କୁ ଶାନ୍ତିର ପଥ ଆପଣେଇବା ପାଇଁ ପ୍ରେରିତ କରିଥିବା ସକାଶେ କଳିଙ୍ଗ ଯୁଦ୍ଧର ପରି କଳ୍ପନା କରିଥିବା ମନେ ହୁଏ।କାରଣ ଏକଥା ଅସମ୍ଭବ ଯେ ଜଣେ ବିଜୟ ଲାଭ କରିଥିବା ସ୍ଥଳରେ ନିଜ ବିଜୟ ଗାଥା ନ ଲେଖି ଶାନ୍ତିର ବାର୍ତ୍ତା ପ୍ରଦାନ କରିବ।

ଏଣୁ ଅଶୋକ ଯେଉଁ ଧର୍ମ ପାଳନ କଥା କହିଥିଲେ ତାହା ସବୁ ରାଷ୍ଟ୍ରରେ ପାଳନୀୟ ଓ ଏହା ବିଶ୍ବ ଭ୍ରାତୃତ୍ବ ବାଦକୁ ଆଗକୁ ନେବାରେ ସାହାଯ୍ୟ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ତେବେ ଯୁଦ୍ଧ ନ ଥାଇ ବିଭିନ୍ନ ଗବେଷକ ମାନେ କାହିଁକି ଏପରି କହୁଛନ୍ତି ପ୍ରଶ୍ନର ଉତ୍ତରରେ କହିଥିଲେ ଯେ “ଭାରତରେ ଅନେକ ଶିଳାଲେଖ ଓ ଐତିହାସିକ କୀର୍ତ୍ତିର ଆବିଷ୍କାର ଓ ଏହାର ଗବେଷଣା ବ୍ରିଟିଶ ତଥା ଇଉରୋପୀୟ ମାନେ କରିଥିଲେ ଓ ଶିଳାଲେଖର ବିଶ୍ଳେଷଣ ମଧ୍ୟ ସେମାନେ କରିଛନ୍ତି”।

ଏଣୁ ଭାରତର ପ୍ରକୃତ ଇତିହାସ ବିଷୟରେ ଜାଣିବା ପାଇଁ ଭାରତୀୟ ଇତିହାସକାର, ଭାଷାବିତ, ପୁରାତନତତ୍ତ୍ବବିଦ, ଭାଷାବିତ ଓ ନୃତାତ୍ତ୍ବବିଦ ପୁନର୍ବାର ଏହିସବୁ ଶିଳାଲେଖର ଖନନ ଓ ବିଶ୍ଳେଷଣ କରିବା ଉଚିତ ।

ଶ୍ରୀଲଙ୍କାର ଇଂରାଜୀ ସାହିତ୍ୟର ସର୍ବୋଚ୍ଚ ସମ୍ମାନ ତିନି ଥର ପାଇଥିବା ଲେଖକ ଦିସାନାୟକେ ଆଜିର ଯୁବ ପିଢୀକୁ କହିଥଲେ ଯେ ଆର୍ଥିକ ଲାଭ ପାଇଁ ଲେଖିବା ଫଳରେ ସୃଜନଶକ୍ତି ବାଧିତ ହୋଇଥାଏ । ଏଣୁ ଉଚ୍ଚକୋଟୀର ସାହିତ୍ୟ ରଚନା ପାଇଁ ବିନା ପାରିଶ୍ରମିକର ଆଶା ରଖି ରଚନା ଆବଶ୍ୟକ, ଫଳରେ କାଳିଦାସ, ବାଲ୍ମିକୀଙ୍କ ପରି କାଳଜୟୀ କୃତି ସୃଷ୍ଟି ହୋଇପାରିବ।

କଳିଙ୍ଗ ସାହିତ୍ୟ ମହୋତ୍ସବ ସଂସ୍ଥା ଦ୍ୱାରା ପ୍ରତି ମାସରେ ଆୟୋଜିତ ହେଇଆସୁଥିବା କେ ଏଲ ଏଫ କର୍ଣ୍ଣର ସାହିତ୍ୟ ଆଲୋଚନାରେ ପ୍ରତିଥର ଜଣେ ପ୍ରସିଦ୍ଧ ସାହିତ୍ୟ, କଳା କ୍ଷେତ୍ରରେ ଯଶ ଲାଭ କରିଥିବା ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରାଯାଇ ପାଠକ, ଦର୍ଶକଙ୍କ ସହିତ ପରିଚିତ କରାଯାଇଥାଏ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.