Latest Odisha News

ଏମଜେ ଆକବରଙ୍କ ଠାରୁ ସାଗରିକା ଘୋଷଙ୍କ ପର୍ଯ୍ୟନ୍ତ ଏହି ସାମ୍ବାଦିକ ପହଞ୍ଚିଛନ୍ତି ରାଜ୍ୟସଭାରେ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ରାଜ୍ୟସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ନିକଟରେ ତୃଣମୂଳ କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ଚାରି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ୪ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ସାମ୍ୱାଦିକ ଅଛନ୍ତି । ତାଙ୍କ ନାଁ ସାଗରିକା ଘୋଷ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଇତି ମଧ୍ୟରେ ଏମଜେ ଆକବରଙ୍କ ଠାରୁ ଆରମ୍ଭ କରି ଅରୁଣ ଶୋରୀ ଯାଏଁ ୯ ଜଣ ସାମ୍ବାଦିକ ରାଜ୍ୟସଭା ପାଇଁ ଚୟନ ହୋଇଛନ୍ତି ।

ହରିବଂଶ ନାରାୟଣ ସିଂ: ପ୍ରଥମ ଥର ପାଇଁ  ସାମ୍ୱାଦିକ ହରିବଂଶ ନାରାୟଣ ସିଂ ୨୦୧୮ ମସିହାରେ ରାଜ୍ୟସଭାର ଉପସଭାପତି ଦାୟିତ୍ୱ ନିଭାଇ ଥିଲେ। ଏହାପୂର୍ବରୁ ସେ ରାଜ୍ୟସଭାର ସାଂସଦ ଥିଲେ । ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରେଶଖରଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ହେଲେ ସବୁବେଳେ ସେ ନିଜକୁ ସାମ୍ୱାଦିକ ଭାବେ ନିଜର ପରିଚୟ ଦେଇଛନ୍ତି ।  ସେ ହିନ୍ଦୀ ଖବର କାଗଜ ‘ଧର୍ମଯୁଗ’ରୁ ନିଜ ସାମ୍ୱାଦିକ କ୍ୟାରିଅର ଆରମ୍ଭ କରିଥିଲେ ।

ଅରୁଣ ଶୋରୀ: ୧୯୯୮ ମସିହାରେ  ସାମ୍ୱାଦିକ ଅରୁଣ  ଶୋରୀ  ବିଜେପିର ରାଜ୍ୟସଭା ପ୍ରାର୍ଥୀ ରହିଥିଲେ । ୨୦୧୦ ଯାଏଁ ସେ ଉଚ୍ଚ ପଦବୀରେ ରହିଥିଲେ । ସେ ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଥିଲେ ।   ସେ ’ଦ ଇଣ୍ଡିଆନ୍ ଏକ୍ସପ୍ରେସ  ଓ ଦ ଟାଇମ୍ସ ଅଫ୍ ଇଣ୍ଡିଆ ସଂପାଦକ ଭାବେ କାର୍ଯ୍ୟ ତୁଲାଇଛନ୍ତି ।

ରାଜୀବ ଶୁକ୍ଲା: କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବେ ପରିଚୟ ପାଇଛନ୍ତି ରାଜୀବ ଶୁକ୍ଲା । ରାଜନୀତିକୁ ଆସିବା ପୂର୍ବରୁ ସେ ଏକ ହିନ୍ଦୀ ଖବର କାଗଜରେ କାମ କରୁଥିଲେ । ଏଥିସହ ସେ ଟେଲିଭିଜନରେ ମଧ୍ୟ କାମ କରିଛନ୍ତି । ୨୦୦୦ ମସିହାରେ ସେ  ରାଜ୍ୟସଭାକୁ ଯାଇଥିଲେ ।

ଏମଜେ ଆକବର: ସେହିପରି ଏମଜେ ଆକବର ରାଜନୀତିରେ ପାଦ ଦେବା ପୂର୍ବରୁ ସାମ୍ୱାଦିକ ଭାବେ କାର୍ଯ୍ୟ କରିଛନ୍ତି ।‘ଦ ଟେଲିଗ୍ରାଫ୍, ଇଣ୍ଡିଆ ଟୁଡେରେ କାର୍ଯ୍ୟ କରିଛନ୍ତି । ୨୦୧୫ରେ ଝାଡ଼ଖଣ୍ଡ ପାଇଁ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ ହୋଇଥିଲେ ।

ସୁଭାଷ ଚନ୍ଦ୍ରା: ଜୀ ଗ୍ରଫୁର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରା ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ ହୋଇଥିଲେ । ୨୦୧୬ ମସିହାରେ ହରିୟାଣା ପାଇ  ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ ହୋଇଥିଲେ । ପୁଣି ଥରେ ସେ ମେ’ ୩୧,  ୨୦୨୨ ମସିହାରେ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ହେଲେ ସେ ନିର୍ବାଚନରେ ହାରି ଯାଇଥିଲେ ।

ଶୋଭନା ଭରତିଆ: ହିନ୍ଦୁସ୍ତାନ ଟାଇମ୍ସ ଗ୍ରୁପର ଅଧ୍ୟକ୍ଷ  ଥିଲେ ଶୋଭନା ଭରତିଆ ।୨୦୦୬ ମସିହାରେ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।  ସେ ୨୦୦୬ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ରହିଥିଲେ ।

ରାଜୀବ ଚନ୍ଦ୍ରଶେଖର: ଏସିଆନେଟ୍ ନ୍ୟୁଜ୍ ଅନଲାଇନ୍  ପ୍ରାଇଭେଟ୍ ଲିମିଟେଡର ପ୍ରତିଷ୍ଠାତା ହେଉଛନ୍ତି ରାଜୀବ ଚନ୍ଦ୍ରଶେଖର । ସେ ୨୦୦୬ରୁ ବିଜେପିର ତିନିଥର ରାଜ୍ୟସଭା ସାଂସଦ ରହିଛନ୍ତି ।

ସ୍ୱପନ ଦାସ ଗୁପ୍ତା: ଇଣ୍ଡିଆନ୍ ଏକ୍ସପ୍ରେସ, ଟାଇମ୍ସ ଅଫ୍ ଇଣ୍ଡିଆ ,ଷ୍ଟେସମ୍ୟାନ ଏବଂ ଇଣ୍ଡିଆ ଟୁଡେରେ ସାମ୍ୱାଦିକ ଭାବେ ସ୍ୱପନ ଦାସ ଗୁପ୍ତା କାମ କରିଛନ୍ତି । ୨୦୧୬ ମସିହାରେ ସେ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ ହୋଇଥିଲେ ।

Comments are closed.