Latest Odisha News

ମମତାଙ୍କ ପରେ ସୁଜିତ୍ ଝଟକା

ଭୁବନେଶ୍ବର: ବିଜେଡିରୁ ଖସୁଛି ଗୋଟିଏ ପରେ ଗୋଟିଏ ଓ୍ବିକେଟ୍ । ମମତା ମହନ୍ତଙ୍କ ପରେ ସୁଜିତ କୁମାର । ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ, ବିଜେପିରେ ମିଶିଲେ । ସୁଜିତଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ମମତା ମହନ୍ତଙ୍କ ଇସ୍ତଫା ସମୟରେ ହିଁ ବିଜେଡିରୁ ଦୁଇ ତିନି ଜଣ ସାଂସଦ ବିଜେପି ସହ ଯୋଗାଯୋଗରେ ରହିଥିବା ନେଇ ଚର୍ଚ୍ଚା ହେଉଥିଲା। ସୁଜିତ କୁମାର ରାଜ୍ୟସଭା ସଦସ୍ୟତା ଛାଡିବା ପରେ ବିଜେପିରେ ସାମିଲ ହୋଇ ଚର୍ଚ୍ଚାକୁ ପ୍ରମାଣିତ କରିଛନ୍ତି ।

ସୁଜିତ ଛାଡିଲେ, ବିଜେଡି ବାହାର କଲା

ମମତା ମହନ୍ତଙ୍କ ରାସ୍ତାରେ ସୁଜିତ କୁମାର। ପୁଣି ବିଜେଡିକୁ ଲାଗିଛି ରାଜ୍ୟସଭାରୁ ଝଟକା। ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ସୁଜିତ କୁମାର । ୨୦୨୬ରେ ସୁଜିତଙ୍କ କାର୍ଯ୍ୟକାଳ ସରିଥାନ୍ତା । ତେବେ କାର୍ଯ୍ୟକାଳ ସରିବାର ୧୯ ମାସ ପୂର୍ବରୁ ରାଜ୍ୟସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ସୁଜିତ । ସେ ମଧ୍ୟ ମମତାଙ୍କ ପରି ବିଜେପିରେ ସାମିଲ ହୋଇଛନ୍ତି । ସେପଟେ ସୁଜିତ କୁମାରଙ୍କୁ ଦଳରୁ ବହିଷ୍କାର କରିଛି ବିଜେଡି । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଛି । ଦଳ ସହ କଳାହାଣ୍ଡି ଜିଲ୍ଲାବାସୀଙ୍କ ଆଶା ପୂରଣ କରିବାରେ ସେ ବିଫଳ ହୋଇଥିବା ବିଜେଡି କହିଛି ।

ସୁଜିତ୍ ଦେଇଥିଲେ ଇସାରା

ସୁଜିତ କୁମାର ବିଜେପି ଆଡକୁ ଢଳୁଥିବା ନେଇ ପୂର୍ବରୁ ଇସାରା ଦେଇଥିଲେ। ଓଡିଶାକୁ ମିଳିଥିବା ୬ରେଳ ପ୍ରକଳ୍ପକୁ ପୁରୁଣା କହି ବିଜେଡି କେନ୍ଦ୍ରକୁ କଡା ସମାଲୋଚନା କରିଥିଲା । ତେବେ ନବରଙ୍ଗପୁର ରେଳଲାଇନ୍ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇବା ସହ ତାଙ୍କ ସହ ଏକ ଫଟୋ ସେୟାର କରିଥିଲେ ସୁଜିତ କୁମାର । ପାର୍ଟି ଲାଇନରୁ ବାହାରି କେନ୍ଦ୍ରକୁ ସୁଜିତଙ୍କ ଭୁରି ଭୁରି ପ୍ରଶଂସାକୁ ନେଇ ସେତେବେଳେ ଜୋରଦାର ଚର୍ଚ୍ଚା ହୋଇଥିଲା। ଏପରିକି ମମତାଙ୍କ ପରେ ସୁଜିତ ବିଜେପି ଆଡକୁ ଢଳିପାରନ୍ତି ବୋଲି ଆକଳନ କରାଯାଉଥିଲା, ଯାହା ସତ ହୋଇଛି ।

ରାଜ୍ୟସଭା ସଂଖ୍ୟା ଗଣିତ

ଲୋକସଭାରେ ସଂଖ୍ୟା ଗରିଷ୍ଠତା ରହିଥିବା ଏନଡିଏ ପୂର୍ବରୁ ରାଜ୍ୟସଭାରେ ସଂଖ୍ୟାଲଘୁ ଥିଲା। ତେବେ ଏହା ମଧ୍ୟରେ ବିଜେପି ନେତୃତ୍ବାଧୀନ ଏନଡିଏ ରାଜ୍ୟସଭାରେ ବହୁମତ ହାସଲ କରିସାରିଛି । ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଏବେ ଖାଲି ରହିଛି ୮ଟି ଆସନ । ସଦସ୍ୟ ସଂଖ୍ୟା ୨୩୭ ଥିବା ବେଳେ ମ୍ୟାଜିକ ନମ୍ବର୧୧୯ ରହିଛି । ଏନଡିଏର ସଦସ୍ୟ ସଂଖ୍ୟା ୧୧୨ ରହିଥିବା ବେଳେ ୬ଜଣ ମନୋନୀତ ସଦସ୍ୟ ଓ ଜଣେ ନିର୍ଦ୍ଦଳୀୟଙ୍କର ସମର୍ଥନ ରହିଛି । ଫଳରେ ସଂଖ୍ୟା ୧୧୯କୁ ବଢିଛି । ତେବେ ସୁଜିତ କୁମାର ଇସ୍ତଫା ଦେବା ପରେ ବିଜେଡି ସାଂସଦ ସଂଖ୍ୟା ୭କୁ ଖସିଆସିଛି । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ହରାଇଥିବା ଆସନ ବିଜେପି ଖାତାକୁ ଯିବା ଏକପ୍ରକାର ନିଶ୍ଚିତ ।

ସୁଜିତଙ୍କ ଇସ୍ତଫା, କାହାର ଲାଭ କାହାର କ୍ଷତି?

ସୁଜିତଙ୍କ ଏକଜିଟ୍ ପରେ ବିଜେଡି ରାଜ୍ୟସଭାରେ ଦୁର୍ବଳ ହେବ । କ୍ଷମତାରେ ରହିଥିବା ବିଜେପି ସହ ରହିବା ସୁଜିତଙ୍କୁ ଫାଇଦା ଦେବ । ମମତା ମହନ୍ତଙ୍କ ପରି ପୁଣି ବିଜେପିରୁ ରାଜ୍ୟସଭା ଯାଇପାରନ୍ତି ସୁଜିତ । ଏହା ସହ ତାଙ୍କୁ ପଦ ପଦବୀ ବି ମିଳିପାରେ । କାର୍ଯ୍ୟକାଳ ସରିବା ପରେ ମଧ୍ୟ ତାଙ୍କୁ ଭବିଷ୍ୟତରେ ରାଜନୈତିକ ଥଇଥାନ ନେଇ ଡିଲ୍ ହୋଇପାରେ । ସୁଜିତଙ୍କୁ ବିଜେଡି ଓ ଭିକେ ପାଣ୍ଡିଆନଙ୍କ ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରିପାରେ ବିଜେପି ।

ବିଜେଡି ପାଇଁ ସତର୍କ ଘଣ୍ଟି

୨୪ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଥିବା ବିଜେଡି ଏଥର ଗୋଟିଏ ବି ଲୋକସଭା ଆସନ ଜିତିପାରିନି। ରାଜ୍ୟସଭାରେ ଦଳର ୯ସଦସ୍ୟ ରହିଥିଲେ । ମମତା ମହନ୍ତ ଇସ୍ତଫା ଦେଇ ବିଜେପିରୁ ରାଜ୍ୟସଭା ଯାଇଛନ୍ତି । ସୁଜିତ କୁମାର ବି ସମାନ ବାଟରେ । ଏଭଳି ସ୍ଥିତିରେ ଦିଲ୍ଲୀରେ ବିଜେଡିର ସ୍ବର ଦୁର୍ବଳ ହେବାର ଆଶଙ୍କା ରହିଛି । କେବଳ ଦିଲ୍ଲୀ ସେନା ନୁହେଁ ରାଜ୍ୟ ବିଜେଡିକୁ ତୃଣମୂଳସ୍ତରରୁ ହିଁ ଦୁର୍ବଳ କରିବାକୁ ଉଦ୍ୟମ କରୁଛି ବିଜେପି । କାରଣ ବିଜେଡିର ଶକ୍ତି ହେଉଛି ସାଂଗଠନିକ ନେଟଓ୍ବର୍କ । ତେଣୁ ଗ୍ରାଉଣ୍ଡରୁ ବିଜେଡିକୁ ଦୁର୍ବଳ କଲେ ହିଁ କ୍ଷମତାର ଲମ୍ବା ଇନିଂସ ଖେଳିପାରିବ ବିଜେପି । ବିଜେଡି ଆଗରେ ଏବେ ବଡ ଚ୍ୟାଲେଞ୍ଜ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳକୁ ମଜଭୂତ କରିବାକୁ ରଣନୀତି କରିବାକୁ ପଡିବ । ଦଳ ଓ ନେତାଙ୍କୁ ନଜଗିଲେ କ୍ଷମତାକୁ ଆସିବା ସାତ ସ୍ବପ୍ନ ହୋଇପାରେ ।

Comments are closed.