Latest Odisha News

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ନିିର୍ବାଚନ କମିଶନଙ୍କ ଦ୍ୱାରା ରିଟର୍ଣ୍ଣିଂ ଅଫିସର, ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୨୩ରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ଲାଗି ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ପର୍ଯ୍ୟବେକ୍ଷକ ଓ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରିଛନ୍ତି ।

ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ, ୨୦୦୫ ବ୍ୟାଚର ଓଏଏସ ଅଧିକାରୀ ତଥା ରାଜ୍ୟ ବିଧାନସଭାର ସଚିବ ଦାଶରଥୀ ଶତପଥୀଙ୍କୁ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଭାବେ ୧୯୯୫ ବ୍ୟାଚର ଆଇଏଏସ ଅଧିକାରୀ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶିଲ୍ କମାର ଲୋହାନୀଙ୍କୁ ପର୍ଯ୍ୟବେକ୍ଷକ ରୂପେ ନିଯୁକ୍ତ ହୋଇଛନ୍ତି ।

ଓଡ଼ିଶାର ରାଜ୍ୟସଭା ସଦସ୍ୟ ଏ ଭି ସ୍ୱାମୀ, ଅନଙ୍ଗ ଉଦୟ ସିଂହଦେଓ ଏବଂ ଦିଲ୍ଲୀପ ତିର୍କିଙ୍କ କାର୍ଯ୍ୟ ଅବଧି ଶେଷ ହୋଇଯାଇଥିବାରୁ ଏହି ଆସନଗୁଡ଼ିକ ଖାଲି ପଡ଼ିଥିଲା ।

ସେହିପରି ଭାବେ ବିହାରରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଷ୍ଟିଲ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୨ ତାରିଖରେ ମଧ୍ୟ ଶେଷ ହେଉଛି ।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ମାର୍ଚ୍ଚ ୧୨ ତାରିଖରେ ନାମାଙ୍କନ ଦାଖଲ ହେବାକୁ ଥିବା ବେଳେ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ୧୩ ତାରିଖରେ ଅନୁଷ୍ଠିତ ହେବ । ସେହିପରି ଭାବେ ମାର୍ଚ୍ଚ ୧୫ ତାରିଖରେ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ।

ଆସନ୍ତା ମାର୍ଚ୍ଚ ୨୩ ତାରିଖ ଦିନ ଦିନ ୯ଟା ସମୟରେ ଭୋଟିଂ ଆରମ୍ଭ ହେବ । ଦିନ ୪ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ସେହିଦିନ ଭୋଟଗଣତି ହେବା ସହିତ ଫଳାଫଳ ଘୋଷିତ ହେବ ।

Comments are closed.