Latest Odisha News

ରାଜ୍ୟସଭାରେ ଉପସ୍ଥାପିତ ହେଲା ସଂଶୋଧିତ ୱାକଫ୍ ବିଲ୍

ନୂଆଦିଲ୍ଲୀ: ରାଜ୍ୟସଭାରେ ଉପସ୍ଥାପିତ ହେଲା ସଂଶୋଧିତ ୱାକଫ୍ ବିଲ୍ । ଗତକାଲି ଲୋକସଭାରେ ପାରିତ ହେବା ପରେ ଆଜି ରାଜ୍ୟସଭାରେ ଆଗତ ହୋଇଛି ସଂଶୋଧିତ ୱାକଫ୍ ବିଲ୍ । ଦୀର୍ଘ ଘଣ୍ଚାର ମାରଥନ ବିତର୍କ ଓ ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ଵେ ମଧ୍ୟ ଲୋକସଭାରେ ପାରିତ ହୋଇଛି ଐତିହାସିକ ୱାକଫ ସଂଶୋଧନ ବିଲ୍ । ଗତକାଲି ବିଳମ୍ବିତ ରାତିରେ ଲୋକସଭାରେ ଏହି ବିଲ୍‌ ପାସ ହୋଇଛି ।

ଗତକାଲି ଲୋକସଭାରେ ରିଜିଜୁଙ୍କ ବିଲ୍ ସମ୍ବନ୍ଧୀୟ ଭାଷଣ ସମୟରେ, ବିରୋଧୀ ଏହାକୁ ନେଇ ନେଇ ସଂସଦ ଭିତରେ ବଡ ହଙ୍ଗାମା କରିଥିଲେ । ଯାହାର କଡା ଜବାବ ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବିଲ ନେଇ ଆଲୋଚନା ବେଳେ କଂଗ୍ରେସକୁ କଡା ନିଶାନା ସାଧିଥିଲେ ମନ୍ତ୍ରୀ । ବିରୋଧୀଙ୍କ ନାରାବାଜି ଏବଂ ବିରୋଧ ମଧ୍ୟରେ ରିଜିଜୁ କହିଥିଲେ ଯେ, ଯଦି ଆମେ ବିଲ୍ ଆଗତ କରିନଥାନ୍ତୁ ତେବେ ସଂସଦ ଭବନକୁ ମଧ୍ୟ ୱାକଫ୍ ସମ୍ପତ୍ତି ଭାବରେ ଦାବି କରାଯାଇଥାନ୍ତା ।

୨୦୧୪ରେ ବିଜେପି କ୍ଷମତାକୁ ନ ଆସିଥିଲେ ପୂର୍ବ କଂଗ୍ରେସ ସରକାର ସଂସଦ ଏବଂ ବିମାନବନ୍ଦର ଜମି ୱାକଫକୁ ଦେଇଦେଇଥାନ୍ତେ । ୟୁପିଏ ସରକାର ସଂସଦ ଏବଂ ବିମାନବନ୍ଦର ଜମି ୱାକଫକୁ ଦେଇଥାନ୍ତେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାକଫ ଦ୍ୱାରା ସଂସଦ ଅଧିଗ୍ରହଣକୁ ବନ୍ଦ କରିଦେଇଥିଲେ । ତେଣୁ ପୂର୍ବ କଂଗ୍ରେସ ସରକାର ଦ୍ୱାରା ଆଇନରେ କରାଯାଇଥିବା ପରିବର୍ତ୍ତନ ଏହାକୁ ଅନ୍ୟ ଆଇନ ଉପରେ ପ୍ରଭାବ ପକାଇଥିବାରୁ ନୂତନ ସଂଶୋଧନ ଆବଶ୍ୟକ ବୋଲି ନିଜ ଅଭିଭାଷଣରେ କହିଥିଲେ ରିଜିଜୁ ।

କହିରଖୁଛୁ ଯେ, ୧୯୯୫ ୱାକଫ୍ ଆଇନର ସଂଶୋଧନ ପାଇଁ ଏହି ବିଲ୍‌ ଆଣିଛନ୍ତି କେନ୍ଦ୍ର ସରକାର । ତେବେ ଜେପିସି ଦ୍ବାରା ବିଲ୍ ନେଇ ଆଲୋଚନା ବେଳେ ବିରୋଧୀଙ୍କ ମତକୁ ଗ୍ରହଣ କରାଯାଇନଥିବା ବିରୋଧୀ ଅଭିଯୋଗ ଆଣି ଏହାକୁ ଅଣସାମ୍ବିଧାନିକ ବୋଲି କହିଥିଲେ । ସଂଖ୍ୟାଲଘୁଙ୍କୁ ଅପମାନିତ କରବା ପାଇଁ ଏହି ବିଲ୍ ସରକାର ଆଣିଥିବା ଅଭିଯୋଗ କରିଥିଲା କଂଗ୍ରେସ । ଏହି ବିଲ୍ ପ୍ରତିବାଦରେ  ଅସଦୁଦ୍ଦିନ୍ ଓୱେସି ଲୋକସଭାରେ ବିଲ୍‌ର ନକଲକୁ ଚିରି ଦେଇଥିଲେ । ତେବେ ବିରୋଧୀଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ ସରକାର ।

ସୂଚନାଯୋଗ୍ୟ, ଓ୍ୱାକଫ୍‌ ଏକ ଇସଲାମିକ ପରମ୍ପରା । ଯେଉଁଠି ଜଣେ ବ୍ୟକ୍ତି ନିଜ ସମ୍ପତ୍ତିକୁ ଧାର୍ମିକ କିମ୍ବା ସାମାଜିକ କାମ ପାଇଁ ଦାନ କରିଥାଏ । ଏହି ସମ୍ପତ୍ତି ଓ୍ୱାକଫ୍‌ ବୋର୍ଡ ଅଧୀନରେ ରହି କଲ୍ୟାଣ ପାଇଁ ବ୍ୟବହାର ହୋଇଥାଏ । ଏହା ଜମି, ଘର, ମସଜିଦ, କବରସ୍ଥାନ କିମ୍ବା ସ୍କୁଲ ଭଳି ହୋଇପାରେ । ଓ୍ୱାକଫ୍‌ ବୋର୍ଡ ଏହି ସମ୍ପତ୍ତିଗୁଡ଼ିକୁ ପରିଚାଳନା କରିଥାଏ । ୱାକଫ୍‌ ପାଖରେ ଥିବା ସମ୍ପତ୍ତିର ମୂଲ୍ୟ ୧.୨ ଲକ୍ଷ କୋଟି ! ୱାକଫ୍‌ରେ ୯.୪ ଲକ୍ଷ ଏକର ଜମି ଓ ୮.୭ ଲକ୍ଷ ସମ୍ପତ୍ତି ରହିଛି ।

Comments are closed.