Latest Odisha News

BREAKING NEWS

ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରାମାଭିଷେକ ନୀତି, ସେପଟେ ସରିବ ପ୍ରସିଦ୍ଧ ସାହିଯାତ

ପୁରୀ: ଆଜି ବଡ଼ଦେଉଳରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏଥିସହ ସମ୍ପନ୍ନ ହେବ ଶ୍ରୀକ୍ଷେତ୍ର ସାହିଯାତର ଶେଷ ପର୍ବ । ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ରାତିରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବା ପରେ ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିବେ । ଜୟବିଜୟ ଦ୍ୱାରରେ ଭୋଗ ଓ ବନ୍ଦାପନା ନୀତି ସରିବା ପରେ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବେ । ସେଠାରେ ଅନ୍ୟାନ୍ୟ ନୀତି ସରିବା ପରେ ସନ୍ଧ୍ୟାରେ ଅଜ୍ଞାମାଳ ପାଇଁ ଶ୍ରୀରାମ, ଶ୍ରୀ ଲକ୍ଷ୍ମଣ ଓ ଦେବୀସୀତା ପାଲିଙ୍କିଙ୍କୁ ବିଜେ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ କରିବେ ମହାପ୍ରଭୁ ।

ଦୁଇ ସେବାୟତ ଭରତ ଓ ଶତ୍ରୁଘ୍ନ ଚରିତ୍ର ଧାରଣ କରି ପ୍ରଭୁ ଶ୍ରୀରାମଙ୍କ ରୂପାର ପାଦୁକା ଦ୍ବୟ ସାଙ୍ଗରେ ଧରି ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଞ୍ଚିବା ପରେ ଗୌଡ଼ବାଡ଼ ସାହି ଆଖେଡା ପକ୍ଷରୁ ସେଠାରେ ଶ୍ରୀରାମଙ୍କ ଅଭିଷେକ ନୀତି ଅନୁଷ୍ଠିତ ହେବା ପରେ ଶ୍ରୀମନ୍ଦିରକୁ ଠାକୁର ବାହୁଡା଼ ବିଜେ କରିବେ । ତ୍ରେତୟା ଯୁଗରେ ମହାପ୍ରଭୁ ଅଯୋଧ୍ୟା ଧାମରେ ଶ୍ରୀରାମଙ୍କ ରୂପରେ ଜନ୍ମ ନେଇଥିଲେ ।

ଯେହେତୁ ଶ୍ରୀରାମ ମହାପ୍ରଭୁଙ୍କ ଅବତାରୀ ସେହି ଦୃଷ୍ଟିରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଠାରୁ ରାମାଭିଷେକ ନୀତି ପାଳନ କରାଯାଇ ଆସୁଛି । ସେପଟେ ଚଳିତବର୍ଷ ମହା ଆଡମ୍ବର ସହକାରେ ସାହିଯାତ୍ରା ଅନୁଷ୍ଠିତ ହୋଇଛି । ଆଜି ସାହିଯାତ୍ରାର ଅନ୍ତିମ ଦିନରେ ଗୌଡ଼ବାଡ଼ ସାହି ପକ୍ଷରୁ ନାଗା, ମେଢ଼, ନବଶିରା, ସପ୍ତଶିରା, ପଞ୍ଚଶିରା, ପାରମ୍ପରିକ ସମରକଳା ଆଦି ପରିବେଷଣ କରାଯିବ ।

Comments are closed.