Latest Odisha News

BREAKING NEWS

ଆଜିଠାରୁ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ୩ ମାସ ଯାଏଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଆଜିଠାରୁ ଅର୍ଥାତ ମେ’ ୧ ତାରିଖରୁ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିବ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଖେଇ ଆସୁଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ୩ ମାସ ହେଉଛି ବଉଳା କୁମ୍ଭୀରମାନଙ୍କ ପ୍ରଜଜନ ଓ ଅଣ୍ଡା ଦେବାର ସମୟ। ଏହି ସମୟରେ କୁମ୍ଭୀରମାନେ ସ୍ଥଳରେ ଉଠି ବସା ବାନ୍ଧି ଅଣ୍ତା ଦେଇଥାନ୍ତି। ସେମାନେ ନଦୀ କୂଳଠୁ ଦୂରରେ ଜୁଆର ଛୁଇଁପାରୁନଥିବା ସୁରକ୍ଷିତ ସ୍ଥାନ ଦେଖି ଅଣ୍ତା ଦିଅନ୍ତି। ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏବେ ଅଭୟାରଣ୍ୟକୁ ବନ୍ଦ କରାଯିବ। ଅନ୍ୟପଟେ କୁମ୍ଭୀରମାନେ ପ୍ରଜନନ ଋତୁରେ ଅଧିକ ହିଂସ୍ର ହୋଇଥାନ୍ତି। ସେମାନଙ୍କୁ ବାଧାଦେଲେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଏଥିଲାଗି ମଧ୍ୟ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।

ଏହି ଋତୁରେ କୁମ୍ଭୀରମାନେ ଯେପରି ବିଚଳିତ ନହୁଅନ୍ତି ସେଥିପାଇଁ ପର୍ଯ୍ୟଟକଙ୍କ ଉପରେ ପ୍ରତିବନ୍ଧକ ଆବଶ୍ୟକ। ତାଛଡ଼ା ପର୍ଯ୍ୟଟକ ଏବଂ ଜଙ୍ଗଲ ଅଧିକାରୀଙ୍କ ଯାତାୟାତ କରୁଥିବା ଯାନ୍ତ୍ରିକ ଡଙ୍ଗାର ଶବ୍ଦ କୁମ୍ଭୀରମାନଙ୍କୁ ବିଚଳିତ କରେ। ଅଣ୍ଡା ଦେବା ଏବଂ ପ୍ରଜନନ ସମୟରେ ସରୀସୃପମାନେ ବିଚଳିତ ହେଲେ, ସେମାନେ ଅଧିକ ହିଂସ୍ର ହୋଇଯାଆନ୍ତି ବୋଲି ଭିତରକନିକା ଜଙ୍ଗଲର ସହକାରୀ ମୁଖ୍ୟ ସଂରକ୍ଷଣକାରୀ ମାନସ ଦାସ ଗଣମାଧ୍ୟମକୁ କହିଛନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି, ମହିଳା କୁମ୍ଭୀରମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ବନ କର୍ମଚାରୀଙ୍କୁ କୁହାଯାଇଛି। ସ୍ଥାନୀୟ ଜଙ୍ଗଲବାସୀ ମଧ୍ୟ ବେଆଇନ ଭାବେ ମହୁ ଓ କାଠ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ପ୍ରବେଶ କରନ୍ତି, ଯାହା ସରୀସୃପମାନଙ୍କୁ ବିଚଳିତ କରେ। ପର୍ଯ୍ୟଟକଙ୍କ ପ୍ରବେଶକୁ ରୋକିବା ପାଇଁ ଜଙ୍ଗଲ ବିଭାଗ ଜଙ୍ଗଲ ଅଞ୍ଚଳରେ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇଛି ବୋଲି ମାନସ ଦାସ କହିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରଙ୍କ ପାଇଁ ପ୍ରସିଦ୍ଧ। ଅନେକ ପର୍ଯ୍ୟଟକ କୁମ୍ଭୀରଙ୍କୁ ଦେଖିବା ପାଇଁ ଏଠାକୁ ଆସିଥାନ୍ତି। ତେବେ ପ୍ରତିବର୍ଷ କୁମ୍ଭୀରଙ୍କ ଏହି ପ୍ରଜଜନ ଋତୁରେ ମେ ପହିଲାରୁ ୩ ମାସ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ।

 

Leave A Reply

Your email address will not be published.