Latest Odisha News

+୨ ପରୀକ୍ଷା ସଂସ୍କାର: ରମାଦେବୀରେ ଜଳିଲା ନିଆଁ

ଭୁବନେଶ୍ୱର: ଯୁକ୍ତ୨ ପରୀକ୍ଷାରେ ଗଣଶିକ୍ଷା ବିଭାଗର ବଡ ସଂସ୍କାରକୁ ବିରୋଧ । ପ୍ରଥମ ବର୍ଷରେ କାଉଂସିଲ ପରୀକ୍ଷାକୁ ବିରୋଧ କରି ରାମଦେବୀ ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଅଶାନ୍ତି । ଛାତ୍ରୀମାନେ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । କଲେଜ ଗେଟ୍‌ରେ ତାଲା ପକାଇଛନ୍ତି +୨ ପ୍ରଥମ ବର୍ଷର ଛାତ୍ରୀ । ଏଥିସହ ବିଶ୍ୱବିଦ୍ୟାଳୟ ପାଖ ରାସ୍ତାକୁ ଟାୟର ଜାଳି ଅବରୋଧ କରିଛନ୍ତି ।

ପ୍ରଥମ ବର୍ଷ ପରୀକ୍ଷା ନିଷ୍ପତିକୁ ବାତିଲ କରିବାକୁ ଦାବି କରିଛନ୍ତି । ୬ ମାସ ପୂର୍ବରୁ ଏଭଳି ନିଷ୍ପତି କାହିଁକି ନେଲେନି ବୋଲି ସେମାନେ କହିଛନ୍ତି ।

ଫେବୃଆରୀ ମାସରେ ପରୀକ୍ଷା ହେବାକୁ ଥିବା ବେଳେ ହଠାତ୍ ଜାନୁଆରୀରେ ଏଭଳି ଘୋଷଣା କରିବା ଠିକ୍ ନୁହେଁ । ଏପର୍ଯ୍ୟନ୍ତ ପାଠପଢ଼ା ସରିନି । ଯଦି ଏହି ନିଷ୍ପତି ଲାଗୁ ହେବ ତେବେ ସରକାର ଏପ୍ରିଲ ମାସରେ +୨ ପ୍ରଥମ ବର୍ଷ ପରୀକ୍ଷା କରନ୍ତୁ ବୋଲି ଆନ୍ଦୋଳନକୁ ଓହ୍ଲାଇଥିବା ଛାତ୍ରୀମାନେ କହିଛନ୍ତି ।

ଗତ ୧୪ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ଚଳିତ ବର୍ଷଠାରୁ +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ୩୩ ପ୍ରତିଶତ ମାର୍କ ନରଖିଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ବୋଲି ଘୋଷଣା କରିଥିଲେ । ଏଥିପାଇଁ ପିଲାଙ୍କୁ ଦୁଇଟି ସୁଯୋଗ ଦେବାକୁ କହିଥିଲେ ମନ୍ତ୍ରୀ । କିନ୍ତୁ ଏହାକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି ।

ସୋମବାର ମଧ୍ୟ ସରକାରଙ୍କ ଏଭଳି ନିଷ୍ପତିକୁ ବିଜେବି, ରାଜଧାନୀ ଓ ମହର୍ଷି କଲେଜର ଛାତ୍ରଛାତ୍ରୀ ବିରୋଧ କରିଥିଲେ । ଅନ୍ୟପଟେ ପିଲାଙ୍କୁ ଫେଲ୍ କରିବା ସରକାରଙ୍କ ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ପିଲା କିପରି ଭଲ ପାଠ ପଢ଼ିବେ ସେ ନେଇ ସରକାର ଚିନ୍ତିତ ବୋଲି ସେ କହିଛନ୍ତି ।

Comments are closed.