ହାଇଦ୍ରାବାଦ: ୨୦୨୫ ଆରମ୍ଭରୁ ଆଉ ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ରର ପ୍ରଥମ ଝଲକ୍ ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି। ଦକ୍ଷିଣ ଭାରତୀୟ ଅଭିନେତା ବିରାଟ କର୍ଣ୍ଣଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ନାଗବନ୍ଧମ’ରେ ରୁଦ୍ର ଅବତାରରେ ଦେଖିବାକୁ ମିଳିଛି। ଯାହାକୁ ଦେଖି ସାରା ଦେଶରେ ଦର୍ଶକ ଖୁବ ଉତ୍ସାହିତ ଅଛନ୍ତି।
ରୁଦ୍ର ଚରିତ୍ରର ପ୍ରଥମ ଲୁକ୍ ସୋମବାର ସାମ୍ନାକୁ ଆସିଛି। ଚଳଚ୍ଚିତ୍ର ନିର୍ମାତା ଅଭିଷେକ ନାମାଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଘୋଷଣା ହେବା ଦିନଠାରୁ ଖୁବ୍ ଚର୍ଚ୍ଚାରେ ରହିଛି। ଆଉ ଏବେ ପୋଷ୍ଟର ରିଲିଜ ହୋଇଛି। ଏହି ପୋଷ୍ଟର ଦେଖି ପ୍ରଶଂସକ କହିଛନ୍ତି, ଆଉ ଏକ ବ୍ଲକବଷ୍ଟର ପ୍ରସ୍ତୁତ। ପ୍ରଥମ ପୋଷ୍ଟରରେ ବିରାଟ କର୍ଣ୍ଣଙ୍କୁ ଆକର୍ଷଣୀୟ ତଥା ଦମ୍ଦାର ଅବତାରରେ ଦେଖିବାକୁ ମିଳିଛି। ଯେଉଁଥିରେ କୁଞ୍ଚକୁଞ୍ଚିଆ କେଶ, ଦାଢି ଏବଂ ବଳିଷ୍ଠ ଶରୀର ନଜର ଆସିଛି।
ସମୁଦ୍ରରେ ଏକ ଭୟଙ୍କର କୁମ୍ଭୀର ସହ ସେ ସାହସର ସହ ଲଢୁଛନ୍ତି। ନିଜ ହାତ ଓ ଏକ ଦଉଡ଼ିରେ କୁମ୍ଭୀରର ପାଟିକୁ ଫାଡ଼ି ଧରିଛନ୍ତି ବିରାଟ, ଯାହା ଲୋକଙ୍କୁ ବେଶ୍ ଆକର୍ଷିତ କରିଛି। ‘ନାଗବନ୍ଧମ’ରେ ବିରାଟ କର୍ଣ୍ଣଙ୍କ ବ୍ୟତୀତ ନାଭା ନଟେଶ, ଈଶ୍ଵର୍ଯ୍ୟା ମେନନ, ଜଗପତି ବାବୁ, ଜୟପ୍ରକାଶ, ମୁରଲୀ ଶର୍ମା ଓ ବି.ଏସ. ଅବିନାଶ ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଚଳିତ ବର୍ଷ ଏହି ଚଳଚ୍ଚିତ୍ରଟି ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ଼ ଓ ମାଲାୟାଲମ ଭାଷାରେ ମୁକ୍ତିଲାଭ କରିବ।