Latest Odisha News

ରଣଜୀ ଟ୍ରପି: ଓଡିଶା ୧୩୦ରେ ଅଲଆଉଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଜମ୍ମୁ ଏବଂ କଶ୍ମୀର ବିପକ୍ଷ ମୁକାବିଲାରେ ଓଡିଶା ୧୩୦ ରନ କରି ପ୍ରଥମ ଇନିଂସରେ ଅଲଆଉଟ ହୋଇଯାଇଛି । ଘରୋଇ ପରିବେଶରେ ଓଡିଶାର ଏହା ପ୍ରଥମ ମ୍ୟାଚ । ବୋଲରଙ୍କୁ ସୁହାଉଥିବା ଏହି ପିଚର ପ୍ରଥମ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଜମ୍ମୁ ଏବଂ କଶ୍ମୀର ୪୫ ରନରେ ୪ଟି ୱିକେଟ ହରାଇଛି । ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଓଡିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ଗୋବିନ୍ଦ ପୋଦ୍ଦାର ୫୫ ରନ ଯୋଗୁ ଦଳ ୧୦୦ରୁ ଅଧିକ ସ୍କୋର କରିପାରିଥିଲା । ସେ ୯ଟି ଚୌକା ମାରିଥିଲେ । ଏହା ତାଙ୍କର ୮୧ତମ ପ୍ରଥମ ଶ୍ରେଣୀ ମ୍ୟାଚ ଥିଲା । ଅଧିନାୟକ ଶାନ୍ତନୁ ମିଶ୍ର ୧୦୩ ବଲର ସମ୍ମୁଖୀନ ହୋଇ ୨୮ ଓ ଅନୁରାଗ ୫୯ ବଲରେ ୧୧ ରନ କରିଥିଲେ ।

୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ପୂର୍ବ ମ୍ୟାଚରେ ୨୭୭ ରନର ଇନିଂସ ଖେଳିଥିବା ଶୁଭ୍ରାଂଶୁ ସେନାପତି ଏହି ମ୍ୟାଚରେ ବିଫଳ ହୋଇଥିଲେ । ରୋହିତ ଶର୍ମା ୫ଟି ଓ ଉମର ନାଜିର, ଉମରାନ ମଲିକ ୨ଟି ଲେଖାଁଏ ୱିକେଟ ନେଇଥିଲେ । ଜବାବରେ ଜମ୍ମୁ ଏବଂ କଶ୍ମୀର ୪ ୱିକେଟ ବିନିମୟରେ ୪୫ ରନ କରିଛି । ସୁନୀଲ ରାଉଲ ଓଡିଶା ପକ୍ଷରୁ ୨ଟି ୱିକେଟ ନେଇଛନ୍ତି ।

Comments are closed.