ଭୁବନେଶ୍ୱର: ରାସନ୍କାର୍ଡ ଇ-କେୱାଇସି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ସୂଚନା ଅନୁସାରେ ଇ-କେୱାଇସି ପାଇଁ ରାସନ ହିତାଧିକାରୀଙ୍କ ପାଖରେ ଆଉ ମାତ୍ର ୬ ଦିନ ସମୟ ରହିଛି। ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ଲୋକ ଇ-କେୱାଇସି କରିନାହାନ୍ତି ବୋଲି ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏପର୍ଯ୍ୟନ୍ତ ଇ-କେୱାଇସି କରିନଥିବା ହିତାଧିକାରୀମାନେ ୬ ଦିନ ଭିତରେ ତୁରନ୍ତ ପ୍ରକ୍ରିୟା ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
ଶ୍ରୀ ପାତ୍ର କହିଛନ୍ତି, “ଚାକିରି କରିଥିବା ବା ଆୟକର ଦେଉଥିବା ଏବେ ସୁଦ୍ଧା ୧୨ ହଜାର ଅଯୋଗ୍ୟ ରାସନ୍କାର୍ଡ ଫେରାଇ ସାରିଛନ୍ତି। ଆସନ୍ତା ୧୫ ତାରିଖ ପରେ ଆଉ ଇ-କେୱାଇସି ଅବଧି ବଢ଼ାଯିବ ନାହିଁ। ଯେଉଁମାନେ ଇ-କେୱାଇସି କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ। ଇ-କେୱାଇସି ନକଲେ ସେହି କାର୍ଡ ଗୁଡ଼ିକୁ କାଟି ଦିଆଯିବ। ତଥାପି ଯଦି ଅଯୋଗ୍ୟ ମାନେ କାର୍ଡ ନଫେରାଇବେ, ତେବେ ସରକାର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏଥିରେ ନୂଆ ଲୋକଙ୍କୁ ଯୋଡ଼ା ଯିବ। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି।”
ସେହିପରି ପ୍ରାୟ ୮ ଲକ୍ଷ ଆୟକର ଦେଉଥିବା ଲୋକ କାର୍ଡ ନେଇଥିବା ରିପୋର୍ଟ ଆସିଛି। ସେମାନେ ସ୍ବାସ୍ଥ୍ୟ କାର୍ଡ ପାଇବା ପାଇଁ ରାସନ କାର୍ଡ ନେଇଥିଲେ। ଏନେଇ ଅଧିକାରୀମାନଙ୍କୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହି କାର୍ଡଗୁଡ଼ିକ ମଧ୍ୟ କଟିବା ସହିତ ଅଯୋଗ୍ୟ ହିତାଧିକାରୀ କାର୍ଡ ନେବା ନେଇ ଲିଖିତ ଅଭିଯୋଗ କଲେ ଆକ୍ସନ ନିଆଯିବ ବୋଲି କହିଲେ ମନ୍ତ୍ରୀ।
Comments are closed.