Latest Odisha News

ଦାତବ୍ୟ ପୁରୁଷ ରତନ ଟାଟା

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପ ଜଗତର କିମ୍ବଦନ୍ତୀ ପୁରୁଷ ରତନ ଟାଟା ବ୍ୟବସାୟିକ କାର୍ଯ୍ୟସହ ପରୋପକାର ଓ ଦାତବ୍ୟ ପାଇଁ ବି ବେଶ୍ ପରିଚିତ ଥିଲେ । ଅଗ୍ରଣୀ ଶିଳ୍ପପତି ହୋଇ ବି ମାନବିକ ମୂଲ୍ୟବୋଧରେ ବିଶ୍ୱାସ ଓ ପରୋପକାର ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି । ବିଭିନ୍ନ କ୍ଷେତ୍ରରେ ଦାତବ୍ୟ କାର୍ଯ୍ୟ ପାଇଁ ବି ମନେ ରହିବେ ରତନ ଟାଟା । ଟାଟାଗ୍ରୁପ୍ ଅଧ୍ୟକ୍ଷ ଥିବା ବେଳେ ଓ ଅବସର ନେବା ପରେ ବିଭିନ୍ନ ଦାତବ୍ୟ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ ରତନ ଟାଟା । ବିଶେଷ କରି ଟାଟା ଟ୍ରଷ୍ଟ୍‌ସ ଜରିଆରେ ପରୋପକାର ଓ ଦାତବ୍ୟ କାର୍ଯ୍ୟରେ ନିଜକୁ ସଂପୃକ୍ତ କରିଥିଲେ ରତନ ଟାଟା । ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଟେକ୍ନୋଲୋଜି, ଗ୍ରାମ୍ୟ ଓ କୃଷି ବିକାଶ କ୍ଷେତ୍ରରେ ରତନ ଟାଟାଙ୍କ ଚାରିଟି ୱାର୍କ୍ ଥିଲା ବେଶ୍ ପ୍ରଶଂସନୀୟ ।

ଶିକ୍ଷା କ୍ଷେତ୍ରରେ ଯୋଗଦାନ

ଶିକ୍ଷାର ବିକାଶ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ ରତନ ଟାଟା । ଶିକ୍ଷା ଭିତ୍ତିଭୂମି ଉପରେ ଜୋର୍ ଦେଇଥିଲେ । ବିଶେଷକରି ସମାଜର ନିଷ୍ପେସିତ ବଂଚିତ ବର୍ଗଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରିଥିଲେ ରତନ । ଜେଏନ୍ ଟାଟା ଏମ୍ପପାୱାରମେଂଟ୍ ଫର ହାୟର ଏଜୁକେଶନ ପକ୍ଷରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ସ୍କଲାରସିପ୍ ଦିଆଯାଉଛି । ୟୁଏନ ସସଟେନେବ୍‌ଲ ଡେଭଲପମେଂଟ ଗୋଲ୍ସ ସହଯୋଗରେ ଟାଟା ଟ୍ରଷ୍ଟସ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ କାମ କରିଆସୁଛି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ

ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରତନ ଟାଟାଙ୍କ ରହିଛି ଉଲ୍ଲେଖନୀୟ ଅବଦାନ । ମାତୃ ଓ ଶିଶ୍‌ୁ ସ୍ୱାସ୍ଥ୍ୟସ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ପାଇଁ ଧ୍ୟାନ ଦେଇଥିଲେ ରତନ ଟାଟା । ଏଥିସହ କ୍ୟାନସର, ମ୍ୟାଲେରିଆ ଓ ଟିବି ଭଳି ମାରାତ୍ମକ ରୋଗର ଚିହ୍ନଟ ଓ ଚିକିତ୍ସା ପାଇଁ ଯତ୍ନବାନ ହୋଇଥିଲେ ଟାଟା । କୋଲକାତାରେ ରତନ ଟାଟାଙ୍କ ସହାୟତାରେ ପ୍ରତିଷ୍ଠା ହୋଇଥିବା ଟାଟା ମେଡିକାଲ ସେଂଟରରେ କ୍ୟାନସର ରୋଗୀଙ୍କୁ ବିଶ୍ୱସ୍ତରୀୟ ଚିକିତ୍ସା ସେବା ଦିଆଯାଉଛି ।

ଗ୍ରାମ ଓ କୃଷି ବିକାଶ ପାଇଁ ଏକାଧିକ ପଦକ୍ଷେପ

ଗ୍ରାମୀଣ ଓ କୃଷି ବିକାଶ କ୍ଷେତ୍ରରେ ମଧ୍ୟ ଟାଟାଙ୍କ ଦାତବ୍ୟ କାର୍ଯ୍ୟ ସଂପ୍ରସାରିତ ହୋଇଛି । ଟ୍ରାନ୍‌ସଫର୍ମିଂ ରୁରାଲ ଇଣ୍ଡିଆ ଇନିସିଏଟିଭ-ଟିଆରଆଇ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସରକାର, ଏନଜିଓ ଏବଂ ନାଗରିକ ସମାଜ ଗୋଷ୍ଠୀ ସହ ମିଳିତ ଭାବେ ଦାରିଦ୍ର‌୍ୟ ଦୂରୀକରଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ଟାଟା । ଗ୍ରାମାଂଚଳରେ ସ୍କୁଲ୍ ଓ ହସପିଟାଲ ପ୍ରତିଷ୍ଠାରେ ସହାୟତା କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ବେଳେ ହାତଖୋଲା ଅନୁଦାନ ଦେଇଛନ୍ତି ରତନ ଟାଟା ।

ବିପର୍ଯ୍ୟୟ ରିଲିଫ୍ ଓ ସାମାଜିକ କଲ୍ୟାଣ

୨୦୦୮ରେ ମୁମ୍ବାଇରେ ହୋଇଥିଲା ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ଆକ୍ରମଣରେ ମୃତାହତଙ୍କ ପାଇଁ ରତନ ଟାଟା ଗଠନ କରିଥିଲେ ତାଜ୍ ପବ୍ଲିକ ସର୍ଭିସ ୱେଲଫେୟାର ଟ୍ରଷ୍ଟ । ଆତଙ୍କବାଦୀ ଆକ୍ରମଣର ପୀଡିତ ଓ ପ୍ରଭାବିତ ପରିବାରମାନଙ୍କୁ ସହାୟତା ଯୋଗାଇଥିଲା ଟ୍ରଷ୍ଟ୍ । ଦେଶରେ କୋଭିଡ ମହାମାରୀର ମୁକାବିଲା ପାଇଁ ୫୦୦ କୋଟି ଟଙ୍କା ଦାନ କରିଥିଲେ ରତନ ଟାଟା । ରତନଙ୍କ ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.