ପୁରୀ: ଏବେ ଚଳଚଞ୍ଚଳ ରଥଖଳା । ନିହଣ ମୁଗୁରର ଠୁକୁଠୁକୁ ଶବ୍ଦରେ ବେଶ୍ ଯୋରସୋରରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥକାମ । ଶନିବାର ତିନି ରଥରେ ତୃତୀୟ ଭୂଇଁ ଟୁଙ୍ଗୁରା ପରେ ବଡ଼ ପୋଟଳ ଉଠା ଯାଇଛି । ଏହା ପୂର୍ବରୁ ରଥରେ ପ୍ରଥମ ଓ ଦ୍ୱିତୀୟ ଭୂଇଁ ଉଠିଥିବା ବେଳେ ପୋଟଳ ଓରା, ପୋଟଳ ଖମ୍ୱି ଓ ପୋଟଳ ପାରେଣୀ କାମ ଶେଷ ହୋଇଛି । ବଡ଼ ପୋଟଳ ଉଠିସାରିବା ପରେ ଭୋଇ ସେବକମାନେ ପଞ୍ଚମ ହରିବୋଲ ଡାକ ଦେଇଥିଲେ । ତେବେ ବଡ଼ପୋଟଳ ଉପରକୁ ଆହୁରି ୧୨ ପରସ୍ତ ପୋଟଳ ଲଗାଯିବ । ସେପଟେ ରଥଖଳାରେ ଆଉ ୬ ପରସ୍ତ ପୋଟଳ ତିଆରି ସରିଥିବା ବେଳେ ପାରାଭାଡ଼ି ତିଆରି କରାଯିବ । ଅନ୍ୟପଟେ ରଥ ଖଳାରେ କଳସ ତିଆରି କାର୍ଯ୍ୟ ଆରମ୍ଭ କରାଯାଉଛି ।
ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ରଥ କନା କାର୍ଯ୍ୟ ଦର୍ଜୀ ସେବକ ଙ୍କ ଦ୍ୱାରା ଆରମ୍ଭ ହୋଇଛି । ପ୍ରାରମ୍ଭିକ ଭାବେ ବଡ଼ଠାକୁରଙ୍କ ୮ଟି ବତା ଓ ୨୪ଟି ବିଳାସପଟି କଟା ହୋଇ ରଥ କନା ତିଆରିର ଶୁଭାରମ୍ଭ ହୋଇଥିଲା । ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୮ଟି ଲେଖାଏଁ ବତା ଓ ୨୪ଟି ଲେଖାଏଁ ବିଳାସପଟି କଟା ହୋଇଥିଲା । କନା କଟା ହୋଇ ଚିହ୍ନ ଦିଆଯିବା ପରେ ଦରଜି ସେବକମାନଙ୍କୁ ଯୋଗାଇ ଦିଆଯାଇଛି । ବଳଭଦ୍ରଙ୍କ ତାଳଧ୍ବଜ ରଥ ପାଇଁ ୪୨୫ ମିଟର କନା ମଣ୍ଡଣି ନାଲି ଓ ନେଳି ବ୍ୟବହୃତ ହୋଇଥାଏ । ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ୪୦୦ ମିଟର କଳା ଓ ନାଲି ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଇଁ ୪୨୫ ମିଟର ନାଲି ଓ ହଳଦିଆ କନା ଆବଶ୍ୟକ ହୋଇଥାଏ ବୋଲି ଦର୍ଜୀ ସେବକ ମତ ରଖିଛନ୍ତି ।
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଯେତିକି ନିକଟତର ହେଉଛି ବଡ଼ଦାଣ୍ଡରେ ତିନି ରଥର ନିର୍ମାଣ ପ୍ରକ୍ରିୟା ସେତିକି ବୃଦ୍ଧି ପାଇବାରେ ଲାଗିଛି । ମନୋମୁଗ୍ଧକର ପାଲଟିଛି ରଥଖଳାର ଦୃଶ୍ୟ । ଏକା ସାଙ୍ଗରେ ଏକ ଲୟରେ ଚାଲିଛି ରଥ କାମ । ସବୁ କାମ ପଛେ ପଡ଼ିଥାଉ, କାଳିଆର କାମ ସୁରୁଖୁରୁରେ ସରିଯାଉ ।
Comments are closed.