Latest Odisha News

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ…

ପୁରୀ: ଚତୁର୍ଦ୍ଧା ମୂରତୀ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହେଲେ । ମହାପ୍ରଭୁଙ୍କୁ ଜ୍ୱର । ଚାଲିଛି ଉପଚାର । ଆଜି ଶ୍ରୀଅଙ୍ଗରେ ଲାଗିଛି ଜ୍ୱର ଉପଶମ ଲାଗି ଔଷଧୀୟ ତୈଳ । ଫୁଲୁରି ତେଲ ।

ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହଙ୍କ  ଗୁପ୍ତ ସେବା  ଜାରି ରହିଛି । ଗତକାଲି ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ସମ୍ପାଦିତ କରିଛନ୍ତି। ଆଜି  ଅଣସର ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯିବ। ଦଇତାପତି ଏବଂ ପତି ମହାପାତ୍ର ସେବକମାନେ ଏହି ଫୁଲୁରୀ ତେଲ ଲାଗି କରିଵେ । ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବଡ ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଫୁଲୁରୀ ତେଲ ଯୋଗାଇ ଦିଆଯାଇଥାଏ ।

ପ୍ରତିବର୍ଷ ଅଣସରରେ ତିନୋଟି ଗଡୁରେ ୬ ସେର ଫୁଲୁରୀ ତେଲ ଯୋଗା ଯାଇଥାଏ। ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏକ ପାତ୍ରରେ ରଖି ମାଟିତଳେ ଏକବର୍ଷ କାଳ ପୋତାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ରଖାଯାଇଥାଏ। ପଞ୍ଚମୀ ଦିନ ଅର୍ଥାତ ଆଜି ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଘର ଦ୍ୱାର ଖୋଲାଯାଇ ଏହି ନୀତି ଆରମ୍ଭ ହୋଇଥାଏ।

ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ୍  କରାଇଥାନ୍ତି । ବିଶ୍ୱାସ ରହିଛି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ୍ କରାଯିବା ପରେ ମହାପ୍ରଭୁ ଜ୍ୱରରୁ ସାମାନ୍ୟ ଆଶ୍ୱସ୍ତି ପାଇଥାନ୍ତି। ଅନ୍ୟପଟେ ଆସନ୍ତାକାଲି ଠାରୁ ତିନି ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରେ ଓଷ ଲାଗି କରାଯିବ।

Comments are closed.