Latest Odisha News

ଭୁବନେଶ୍ୱରର ପ୍ରିୟଙ୍କା ସ୍ୱାଇଁ ଓଡିଶା ସମ୍ବାଦ ଓ ଓଡିଶା ବାଇଟସ୍ ‘ଲକଡାଉନ ରେସିପି’ ବିଜେତା

ଭୁବନେଶ୍ୱର: ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ଘୋଷଣା ହୋଇଛି www.odishasambad.in  ଓ www.odishabytes.com ‘ଲକଡାଉନ ରେସିପି’ ବିଜେତାଙ୍କ ନାମ । ଭୁବନେଶ୍ୱରର ପ୍ରିୟଙ୍କା ସ୍ୱାଇଁ ବାଜି ମାରିନେଇଛନ୍ତି । ତାଙ୍କ ପ୍ରସ୍ତୁତ ବ୍ୟଞ୍ଚନ ‘ମହନିକା’ ଓଡିଆ ଖାଦ୍ୟ ମହୁର ଓ କାନିକାକୁ ମିଶାଇ ପ୍ରସ୍ତୁତ ହୋଇଥିଲା । ସେ ପ୍ରଥମ ସ୍ଥାନରେ ରହିବା ସହ ପୂର୍ବ ଭାରତର ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ୍ ଲାଲଚାନ୍ଦ ଜୁଏଲର୍ସ ପକ୍ଷରୁ ଡାଇମଣ୍ଡ ଲକେଟ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ମାଷ୍ଟର ସେଫ୍ ସ୍ମୃତିଶ୍ରୀ ସିଂ, ଗୁରୁଦାସପୁର ଆଇଏଚ୍‌ଏମ୍‌ର ଅଧ୍ୟକ୍ଷ ଅର୍ଘ ଚକ୍ରବର୍ତ୍ତୀ ଓ ବିଶିଷ୍ଟ ସେଫ୍ ଜିତେନ ବେହେରାଙ୍କୁ ନେଇ ଗଠିତ ହୋଇଥିବା ତିନି ଜଣିଆ ବିଚାରକ ମଣ୍ଡଳୀ ପ୍ରତିଯୋଗୀଙ୍କ ଭିଡିଓ ଭିଉଜ୍ ଓ ଲାଇକ ସହ ସେମାନଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି ଶୈଳୀ, ଉପସ୍ଥାପନା ଓ ଭିଡିଓ କ୍ୱାଲିଟିକୁ ନେଇ ବିଚାର କରିବା ପରେ ପ୍ରିୟଙ୍କାଙ୍କୁ ଚୟନ କରିଛନ୍ତି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରେଷ୍ଠ ୧୦ଟି ପ୍ରତିଯୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ସେମାନେ ହେଲେ ରିତୁ ନନ୍ଦ, ଜାଗୃତି ମହାପାତ୍ର, ଶ୍ରୁତି ପାତ୍ର, ସବା ବାନୋ, କାଜଲ ପାଣିଗ୍ରାହୀ, ସୌମ୍ୟା ସେଠୀ, ପ୍ରିୟଙ୍କା ସ୍ୱାଇଁ, ମାନ୍‌ସୀ ରଥ, ମିତାଲି ମିଶ୍ର ଏବଂ ସୁଚରିତା ଦାସ ।

ବିବିଧ ପ୍ରକାର ଓ ବିଭିନ୍ନ ଶୈଳୀର ରୋଷେଇ ହୋଇଥିବାରୁ ସବୁ ପ୍ରତିଯୋଗୀଙ୍କ ମଧ୍ୟରେ ଫାଇନାଲ ରାଉଣ୍ଡରେ କଡା ଟକ୍କର ହୋଇଥିଲା । ଶେଷରେ ତିନି ଜଣିଆ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ପ୍ରିୟଙ୍କାଙ୍କୁ ସର୍ବାଧିକ ମାର୍କ ଦିଆଯାଇଥିଲା ।

ଆୟୋଜକ ଓଡିଶା ସମ୍ବାଦ ଓ ଓଡିଶା ବାଇଟସ୍ ପକ୍ଷରୁ ଆୟୋଜିତ ଏହି ଅନନ୍ୟ ପ୍ରତିଯୋଗିତାଟି ପାଇଁ ସାରା ଓଡିଶା ତଥା ଦେଶ ବିଦେଶରୁ ୧୦୦ରୁ ବହୁ ସଂଖ୍ୟାରେ ରୋଷେଇ ଭିଡିଓ ଆମ ପାଖରେ ପହଞ୍ଚିଥିଲା । ଏଥି ସହିତ ସହସ୍ରାଧିକ ଲୋକ ଏସବୁ ଭିଡିଓକୁ ଆମ ଫେସବୁକ୍ ପେଜ ଓ ୟୁଟ୍ୟୁବ ଚ୍ୟାନେଲରେ ଦେଖିଥିଲେ ।

ଆୟୋଜକ ଓଡିଶା ସମ୍ବାଦ (www.odishasambad.in)  ଓ ଓଡିଶା ବାଇଟସ୍ (www.odishabytes.com) ରାଜ୍ୟର ପ୍ରମୁଖ ଓଡିଆ ଓ ଇଂରାଜୀ ନ୍ୟୁଜ ୱେବସାଇଟ୍‌, ଯାହା ଭୁବନେଶ୍ୱରର ଫ୍ରଣ୍ଟିୟର ମିଡିଆ ସଂସ୍ଥା ଦ୍ୱାରା ପରିଚାଳିତ । ଏହାର ଅନ୍ୟ ଏକ ଶିକ୍ଷା ଭିତ୍ତିକ ୱେବସାଇଟସ୍ ଏଜୁକେସନ ବାଇଟସ୍ (educationbytes.in) ମଧ୍ୟ ରହିଛି ।

ଆୟୋଜକ ଭାବେ ଆମ ପକ୍ଷରୁ ବିଜେତାଙ୍କୁ ଅଭିନନ୍ଦନ ଏବଂ ସମସ୍ତ ପ୍ରତିଯୋଗୀ ଓ ପୁରସ୍କାର ପ୍ରାୟୋଜକ ଲାଲଚାନ୍ଦ ଜୁଏଲର୍ସକୁ ଅଶେଷ ଧନ୍ୟବାଦ ।

Leave A Reply

Your email address will not be published.