Latest Odisha News

ରଥଯାତ୍ରା: ପୁରୀରେ ପହଞ୍ଚିଲା ରଥକାଠ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ନୟାଗଡ଼ ଫରେଷ୍ଟ ରେଞ୍ଜରୁ କାଠ ଆସି ପୁରୀରେ ପହଞ୍ଚିଛି । ଏଥିସହିତ ଶ୍ରୀଜୀଉଙ୍କ ତିନିରଥ ନିର୍ମାଣ ଲାଗି ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଜୁନ୍ ୨୩ ତାରିଖରେ ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହେବ ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ମୁଖ୍ୟ ସୁପରଭାଇଜର ସୁଦର୍ଶନ ମେକାପ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ତିନିରଥ ନିର୍ମାଣ ଲାଗି ନୟାଗଡ଼ ଫରେଷ୍ଟ ରେଞ୍ଜକୁ ୬୭୨ଟି କାଠ ପଠାଇବାକୁ ଅନୁରୋଧ କରାଯାଇଥିଲା ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି ଟ୍ରକ ବୋଝେଇ ହୋଇ ୫୩ଟି କାଠ ପୁରୀ ବଡ଼ଦାଣ୍ଡରେ ପହଞ୍ଚିଛି । ଯେଉଁଥିରେ କି ୧୦ଟି ଅସନ କାଠ (ପ୍ରତ୍ୟେକ ୧୨ ଫୁଟ), ୧୧ଟି ଅସନ କାଠ (ପ୍ରତ୍ୟେକ ୨୦ ଫୁଟ), ୨୪ଟି ଧଉରା କାଠ (ପ୍ରତ୍ୟେକ ୧୨ ଫୁଟ) ଏବଂ ଧଉରା କାଠ (ପ୍ରତ୍ୟେକ ୨୦ ଫୁଟ) କରି ରହିଛି । ଅବଶିଷ୍ଟ ୬୧୯ଟି କାଠ ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ଦାଣ୍ଡ ରଥଖଳାରେ ପହଞ୍ଚିବ ବୋଲି ଜଣାପଡ଼ିଛି ।

ଏସମ୍ପର୍କରେ ଶ୍ରୀ ମେକାପ ଆହୁରି ମଧ୍ୟ କହିଛନ୍ତି ଯେ, ବସନ୍ତ ପଞ୍ଚମୀ ଅର୍ଥାତ ଜାନୁଆରୀ ୩୦ ତାରିଖରେ ରଥଖଳାରେ ତିନୋଟି ଧରୁଆ କାଠକୁ ରଥନିର୍ମାଣ ନିମନ୍ତେ ରାଜ ପୁରୋହିତ ପୂଜାର୍ଚ୍ଚନା କରିବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ କାଠ ଗୁଡ଼ିକ ମନ୍ଦିର ନିକଟରେ ରହୁଥିଲା, ମାତ୍ର ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଯୋଗୁଁ ପ୍ରଶାସନର ପରାମର୍ଶରେ ଏହା ଜୋନ୍ ବାହାରେ ରଖାଯାଇଛି ।

Comments are closed.