Latest Odisha News

ନଭି ମୁମ୍ବାଇରେ ରଥଯାତ୍ରାର ଭବ୍ୟ ଉତ୍ସବ

ନଭି ମୁମ୍ବାଇ : ନଭି ମୁମ୍ବାଇର ଖାରଘରଠାରେ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା)ଦ୍ୱାରା ଜଗନ୍ନାଥ ମନ୍ଦିରରେ ବହୁ ଆଡମ୍ବରରେ ରଥଯାତ୍ରା ପର୍ବ ପାଳିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ, ତାଙ୍କର ଜ୍ୟେଷ୍ଠ ଭାଇ ଶ୍ରୀ ବଳଭଦ୍ର,କନିଷ୍ଠ ଭଗିନୀ ମା ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କୁ ଉତ୍ସର୍ଗୀକୃତ ଏହି ଶୁଭ ଉତ୍ସବ ଭବ୍ୟତା ଓ ଭକ୍ତିର ମହାସମାଗମ ଥିଲା।

ସୁନ୍ଦର, ସୁସଜ୍ଜିତ ଓ ସୁଶୋଭିତ ରଥର ସାଜସଜ୍ଜା ଓ ପିପିଲିର ଚାନ୍ଦୁଆ କାମ ଓଡ଼ିଶାର ଉନ୍ନତ ଶିଳ୍ପକଳାର ଜୀବନ୍ତ ଦୃଷ୍ଟାନ୍ତ ବହନ କରୁଥିଲା। ଓଡ଼ିଶାର ମହାନ ସାଂସ୍କୃତିକ ଓ ମହନୀୟ ଧାର୍ମିକ ପରମ୍ପରାର ନିଚ୍ଛକ ନିଦର୍ଶନ ଏହି ରଥଯାତ୍ରା ଅବସରରେ ଦେଖିବାକୁ ମିଳିଥିଲା।ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ଯେଉଁଭଳି ଭାବେ ରଥଟିକୁ ଟାଣି ନେଉଥିଲେ, ତାହା ସଦଭାବନା ଓ ଭାଇଚାରାର ଏକ ନିଚ୍ଛକ ଓ ନିଆରା ଉଦାହରଣ ଥିଲା।

ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘର ଅଧ୍ୟକ୍ଷ ଓ ଟ୍ରଷ୍ଟି  ଭଗବାନ ପଣ୍ଡା ରଥ ପଥରେ ସୁବର୍ଣ୍ଣ ଝାଡୁରେ ଛେରା ପହଁରା କାର୍ଯ୍ୟ ସମାପନ କରିଥିଲେ। ମୋୱା ତରଫରୁ ମହାପ୍ରଭୁଙ୍କର ଭଜନ କାର୍ଯ୍ୟକ୍ରମ ପରେ ମହାପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା। ଜୁଲାଇ ୧୭ ତାରିଖ ନୀଳାଦ୍ରି ବିଜେ ପାଳନ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ସମଗ୍ର ରଥଯାତ୍ରା ଉତ୍ସବକୁ ସୂଚାରୁ ରୂପେ ଆୟୋଜନ କରିବାରେ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘର ଟ୍ରଷ୍ଟି ବୃନ୍ଦ ଯଥା ଭଗବାନ ପଣ୍ଡା, ବଳରାମ ପାତ୍ର, ବି.ଏସ. ପଟ୍ଟନାୟକ,  ମନୋଜ କୁମାର ନାୟକ, କେତନ ଗୋଖଲେ, ବି.ସି. ଖଟୁଆ, ଜି. ଏସ. ଗିଲ, କ୍ୟାପଟେନ ଏସ୍. ପି. ରାଓ, ବିଘ୍ନରାଜ ପରିଡ଼ା, ମାଗୁଣି ରାଉତ, ପି.ଏମ୍. ମହାପାତ୍ର ତଥା ରବି ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ଏବଂ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉଲ୍ଲେଖଯୋଗ୍ୟ ଭୂମିକା ନିର୍ବାହ କରିଥିଲେ।

Comments are closed.