Latest Odisha News

BREAKING NEWS

ଭଗବାନ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ଥିବା ବାଧକ ହଟିଯିବା ଆବଶ୍ୟକ : ବିଶ୍ୱହିନ୍ଦୁ ପରିଷଦ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ ସାଧାରଣ ସମ୍ପାଦକ ମିଲିନ୍ଦ ପରାନ୍ଦେ କହିଛନ୍ତି ଯେ, ପୁରୀଧାମରେ ଅନୁଷ୍ଠିତ ହେଉଥିବା ଭଗବାନ ଶ୍ରୀ ଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରା, ଯାହା ଶତାବ୍ଦୀ ଶତାବ୍ଦୀ ଧରି ନିରବଚ୍ଛିନ୍ନ ଭାବରେ ଅନୁଷ୍ଠିତ ହେଉଥିଲା, ତାହା ଏ ବର୍ଷ ମଧ୍ୟ ପାରମ୍ପରିକ ରୀତିରେ ପାଳନ କରାଯିବା ଉଚିତ । କୋଭିଡ-୧୯ର ସମସ୍ତ କଟକଣାକୁ ଦୃଷ୍ଟିରେ ରଖି ମଧ୍ୟ, ମହାପ୍ରଭୂଙ୍କ ରଥଯାତ୍ରା୍‌କୁ ପବିତ୍ର ବଡଦାଣ୍ଡରେ ପାଳନ କରାଯାଇ ପାରିବ । ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସୁଥିବା ଏଇ ପରମ୍ପରାକୁ ପାଳନ କରିବା ପାଇଁ ଏକ ବିକଳ୍ପ ମାର୍ଗ ବାହାର କରାଯିବା ଉଚିତ । ବର୍ତମାନର ପରିସ୍ଥିତିରେ ଲକ୍ଷାଧିକ ଭକ୍ତଙ୍କର ଜନସମାଗମ ହେବା ଅସମ୍ଭବ ତେଣୁ ମାନନୀୟ ସୁପ୍ରିମକୋର୍ଟ ତାଙ୍କର ନିଷ୍ପତିର ପୂନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି ।

ବିଶ୍ୱହିନ୍ଦୁ ପରିଷଦର ଜାତୀୟ ସାଧାରଣ ସମ୍ପାଦକ କହିଛନ୍ତି ଯେ, ପବିତ୍ର ରଥଯାତ୍ରା, ଯାହା ସମସ୍ତ ଓଡିଆ ଏବଂ ଭାରତୀୟଙ୍କ ପାଇଁ ଏକ ଗର୍ବ ଓ ଗୌରବ ଅଟେ, ତାହା ବର୍ତମାନର କୋଭିଡ-୧୯ ମହାମାରୀ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଶ୍ରଦ୍ଧାଳୁ ଭକ୍ତଙ୍କର ସୁରକ୍ଷାକୁ ସୁନିଶ୍ଚିତ କରି ବର୍ତମାନର ରାଜ୍ୟ ସରକାର, ମାନନୀୟ ସୁପ୍ରିମକୋର୍ଟରେ ଏ ସମ୍ପର୍କିତ ସମସ୍ତ ତଥ୍ୟ ଏବଂ ରଥଯାତ୍ରାର ଗୁରୁତ୍ୱକୁ ଉପସ୍ଥାପନା କରିବାରେ ମଧ୍ୟ ବିଫଳ ହୋଇଛନ୍ତି ।

ଶ୍ରୀ ପରାନ୍ଦେ ଏହା ମଧ୍ୟ କହିଛନ୍ତି ଯେ, ମାନନୀୟ ସୁପ୍ରିମକୋର୍ଟ ତାଙ୍କର ନିଷ୍ପତି ଦେବା ପୂର୍ବରୁ , କୋଟି କୋଟି ଲୋକଙ୍କର ଭାବାବେଗ ଏବଂ ଶ୍ରୀମନ୍ଦିର ପ୍ରଶାସନଙ୍କର ମତାମତକୁ ମଧ୍ୟ ଦୃଷ୍ଟିରେ ରଖିବା ଆବଶ୍ୟକ ଥିଲା । ଅତିକମରେ, ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଜୀ ମହାରାଜ, ଶ୍ରୀମନ୍ଦିରର ଟ୍ରଷ୍ଟି ଏବଂ ରଥଯାତ୍ରା ପରିଚାଳନା କମିଟିର ମତାମତ ଶୁଣାଯାଇ ପାରିଥାନ୍ତା ।

ଭଗବାନଙ୍କର ପବିତ୍ର ରଥକୁ ହାତୀମାନଙ୍କ ଦ୍ୱାରା, ଯାନ୍ତ୍ରିକ ଉପକରଣ ସହାୟତାରେ କିମ୍ବା ସମ୍ପୂର୍ଣ୍ଣ ସୁସ୍ଥ ଓ କୋଭିଡ-୧୯ ନେଗେଟିଭ ପରୀକ୍ଷିତ ସେବାୟତମାନଙ୍କ ଦ୍ୱାରା ଟଣାଯାଇ ସାଙ୍କେତିକ ରଥଯାତ୍ରା ସମ୍ପନ୍ନ କରାଯାଇ ପାରନ୍ତା । ଅନେକ ଶ୍ରଦ୍ଧାଳୁଙ୍କର ମତ ହେଉଛି ଯେ, ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସୁଥିବା ଏହି ଧାର୍ମିକ ପରମ୍ପରା (ପବିତ୍ର ଘୋଷଯାତ୍ରା)କୁ ବ୍ୟାଘାତ କରାଯାଇ , ଶ୍ରୀମନ୍ଦିରର ରୀତିନୀତି, ଧାର୍ମିକ (ମାଦଳାପ।।ଞ୍ଜୀ) ନିର୍ଦ୍ଦେଶ ଏବଂ ବିଜ୍ଞ ସନ୍ଥସମାଜ ଓ ମୁକ୍ତି ମଣ୍ଡପର କର୍ତୁତ୍ୱ ଉପରେ ଅଯଥା ହସ୍ତକ୍ଷେପ କରାଯାଉଛି ।

Leave A Reply

Your email address will not be published.