Latest Odisha News

ଧରାକୋଟ ରାଣୀ ସୁକନ୍ୟା ଦେବୀଙ୍କ ଦିବ୍ୟ ଛେରା ପହଁରା: ଦିନକ ପରେ ଦିଗପହଣ୍ଡିରେ ଗଡ଼େ ରଥ

ଜାତି, ଧର୍ମ, ଭାଷା ଓ ବର୍ଣ୍ଣ ନିର୍ବିଶେଷରେ ପୁରୀ ସମେତ ସମଗ୍ର ବିଶ୍ୱରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ଏହି ପବିତ୍ର ଘୋଷଯାତ୍ରାରେ ବ୍ରାହ୍ମଣ-ଚଣ୍ଡାଳ, ଧନୀ-ଗରୀବ ତଥା ରଜା-ପ୍ରଜା ସମସ୍ତଙ୍କ ହୃଦୟରେ ଥାନ୍ତି କେବଳ ସେହି ଦାରୁବ୍ରହ୍ମ ରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ।

ଅତୀତର ବଡ଼ଖେମୁଣ୍ଡି ବା ଦିଗପହଣ୍ଡି ସମେତ ସମଗ୍ର ଗଞ୍ଜାମର ରାଜ-ପରିବାର ବର୍ଗ ଛେରା-ପହଁରା କରି ମହାପ୍ରଭୁଙ୍କ ସେବାକାର୍ଯ୍ୟ କରିଥାନ୍ତି । ପ୍ରବଳ ଉତ୍ସାହ ଓ ନିଆରା ଢଙ୍ଗରେ ସମଗ୍ର ଗଞ୍ଜାମରେ ପାଳିତ ହୁଏ କାଳିଆ ସାଆନ୍ତେଙ୍କ ପବିତ୍ର ରଥଯାତ୍ରା । ପୁରୀ ରଥଯାତ୍ରାର ଦିନକ ପରେ ଗଡ଼େ ଦିଗପହଣ୍ଡି ରଥ ଏବଂ ଧରାକୋଟର ରାଣୀ ସୁକନ୍ୟା ଦେବୀ ଅତ୍ୟନ୍ତ ଆଧ୍ୟାତ୍ମିକତାର ସହିିତ ତଥା ପବିତ୍ର ଭାବନାରେ ମହାପ୍ରଭୁଙ୍କ ରଥରେ କରିଥାଆନ୍ତି ଦିବ୍ୟ ଛେରା ପହଁରା ।

ବଡଖେମୁଣ୍ଡିର ରାଜା ଓ ଶ୍ରୀକ୍ଷେତ୍ର ସହ ଦିବ୍ୟ ସମ୍ପର୍କ
ଅତୀତର ବଡ଼ଖେମୁଣ୍ଡି ବା ଏବେକାର ଦିଗପହଣ୍ଡିର ରଥ ଓ ରଥଯାତ୍ରାର ସମ୍ପର୍କରେ ନିବିଡ଼ତା ରହିଆସିଛି । ଏହା ସମ୍ଭବ ହେଉଛି କେବଳ ପୁରୀ ଗଜପତି ରାଜା ତଥା ବଡ଼ଖେମୁଣ୍ଡି ରାଜପରିବାର ସହିତ ପାରିବାରିକ ସମ୍ପର୍କ ଯୋଗୁଁ । ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ରାଜାଙ୍କ ଗୋଟିଏ ପରିବାରର ସଦସ୍ୟ ହେଲେ ପୂର୍ବର ବଡ଼ଖେମୁଣ୍ଡି ରାଜ୍ୟ ବା ଦିଗପହଣ୍ଡି ରାଜ ପରିବାର । ତେଣୁ ପୁରୀ ଓ ବଡ଼ଖେମୁଣ୍ଡି ରାଜପରିବାର ତଥା ରାଜ୍ୟ ମଧ୍ୟରେ ରଥଯାତ୍ରା ସମୟରେ ପରସ୍ପରକୁ ଉଭୟେ ସାହାଯ୍ୟ କରିବାର ଯଥେଷ୍ଟ ପ୍ରମାଣ ରହିଛି । ପୁରୀରେ ଅନୁଷ୍ଠିତ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ବଡ଼ଖେମୁଣ୍ଡି ରାଜ୍ୟରୁ ମହାପ୍ରଭୁଙ୍କ ରଥଟଣା କାର୍ଯ୍ୟରେ ଅନେକ ହାତୀ, ଘୋଡ଼ା, ସୈନ୍ୟ ସାମନ୍ତ ନିୟୋଜିତ ହେଉଥିବା ବେଳେ ସେବେ ଅନେକ କୁଶଳୀ କାରିଗର ବର୍ତ୍ତମାନର ଦିଗପହଣ୍ଡିକୁ ଯାଉଥିଲେ । ତେଣୁ ପୂର୍ବରୁ ପୁରୀ ରଥଯାତ୍ରା ଉତ୍ସବ ଦିଗପହଣ୍ଡି ଉପରେ ନିର୍ଭର କରୁଥିଲା ଏବଂ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ସଫଳତାର ସହିତ ସମାପନ କରିବାକୁ ଦିଗପହଣ୍ଡି ରାଜନବର ବେଶ୍ ଧ୍ୟାନ ଦେଉଥିଲେ ।

ପୁରୀ ଠାକୁରରାଜା ଓ ବଡ଼ଖେମୁଣ୍ଡି ରାଜ ପରିବାର
ବଡ଼ଖେମୁଣ୍ଡି ରାଜ୍ୟର ରାଜ ପରିବାରଇତିହାସର ଜଣାଯାଏ କଳିଙ୍ଗ ସାମ୍ରାଜ୍ୟର ପତନ ପରେ ଦଶମ ଶତାବ୍ଦୀ ବେଳକୁ ଖେମୁଣ୍ଡି ନାମରେ ଏକ ଜନପଦ ସେହି ଅଞ୍ଚଳରେ ପ୍ରତିଷ୍ଠା ଲାଭ କରିଥିଲା । ଚନ୍ଦ୍ର ବଂଶୀୟ ଗଙ୍ଗରାଜାମାନେ ଖେମୁଣ୍ଡିରେ ରାଜତ୍ୱ କରିଲେ ।

ଖ୍ରୀଷ୍ଟାବ୍ଦ ୧୫୭୦ ବେଳକୁ ମୂଳ ଖେମୁଣ୍ଡି ରାଜ୍ୟ ବିଭାଜନ ହୋଇ ପାରଳାଖେମୁଣ୍ଡି ନାମରେ ଏକ ସ୍ୱତନ୍ତ୍ର ଅଞ୍ଚଳ ସୃଷ୍ଟି ହେଲା । ପୁରୁଣା-ପାଟଣାଠାରେ ପାରଳାର ରାଜଧାନୀ ରହିଲା । ପାରଳାଖେମୁଣ୍ଡି ରାଜ୍ୟର ବିଭାଜନ ପରେ ମୂଳ ଖେମୁଣ୍ଡିର ରାଜଧାନୀ ଗୁଡାରୀ କଟକରୁ ରାମଗିରି ଏବଂ ପରେ ଦାଉଣୀ ଗୋପୀନାଥପୁରକୁ ପରିବର୍ତ୍ତୀତ ହୋଇ ୧୬୯୦ ବେଳେ ଘୋଡାହାଡ ନଦୀ ତୀରର ବିଜୟନଗର ଏବଂ ପ୍ରତାପଗିରି ନାମରେ ଦୁଇ ଅଞ୍ଚଳ ରୂପେ ପରିଚିତ ହେଲା । ୧୮୭୪ ମସିହାରେ ଇଂଲଣ୍ଡ ମହାରାଣୀ ବଡଖେମୁଣ୍ଡିଙ୍କ ରାଜା ଲକ୍ଷ୍ମୀନାରାୟଣ ଦେବଙ୍କୁ ନୂତନ ସନନ୍ଦ ପ୍ରଦାନ କରିଥିଲେ । ଆୟତନ ଓ ଆଦାୟ ଦୃଷ୍ଟିରୁ ଏକ ମଧ୍ୟମ ଜମିଦାରି ହେଲେ ମଧ୍ୟ ତକ୍ରାଳୀନ ଓଡିଶାର ଏହି ଜମିଦାରି ବହୁ ଗୁରୁତ୍ୱ ବହନ କରୁଥିଲା ।

ଓଡିଶାର ଇତିହାସ ଓ ସାଂସ୍କୃତିକ ବିକାଶଧାରାରେ ବଡଖେମୁଣ୍ଡିର ଅବଦାନ ଅନନ୍ୟ । ୧୯୨୮ ଶ୍ରୀଷ୍ଟାବ୍ଦରେ ରାଜ୍ୟଭାର ଗ୍ରହଣ କରିଥିବା ବଡଖେମୁଣ୍ଡି ରାଜା ରାମଚନ୍ଦ୍ରଦେବ ସ୍ୱାଧିନତା ପରବର୍ତ୍ତୀ ସମୟ ଏବଂ ରାଜାରାଜୁଡା ଶାସନପ୍ରଥାର ଉଚ୍ଛେଦ ପରବର୍ତ୍ତୀ ସମୟ ଅର୍ଥାତ୍୧୯୫୩ ପର୍ଯ୍ୟନ୍ତ ଶାସନ କରିଥିଲେ ।

କେବଳ ରଥଦିନ ମହାରାଜା: ରାଜା ମାଣିକେଶ୍ୱରୀ ଦେବଙ୍କ ଛେରାପହଁରା
ସେତେବେଳର ବଡ଼ଖେମୁଣ୍ଡି ରାଜ୍ୟର ସୁନ୍ଦର ରାଜପ୍ରାସାଦ ଏବେ ଧ୍ୱଂସାଭିମୁଖୀ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ସେବେ ରାଜପ୍ରାସାଦର ପୁନଃରୁଦ୍ଧାର କାର୍ଯ୍ୟ ଲାଗି ପ୍ରାସାଦକୁ ସଂମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଥିଲା । ସମଗ୍ର ରାଜ-ପରିବାର ବ୍ରହ୍ମପୁରକୁ ଚାଲିଯାଇଥିଲେ । ରାଜନଗର ପୁନଃରୁଦ୍ଧାର କାର୍ଯ୍ୟ ସମୟରେ ରାଜା ରାମଚନ୍ଦ୍ର ଦେବ ଶାରିରୀକ ଅସୁସ୍ଥ ହେବା ସହ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଏହାପରେ ରାମଚନ୍ଦ୍ର ଦେବଙ୍କ ଛଅ ପୁଅଙ୍କ ମଧ୍ୟରୁ ବଡ ପୁଅ ମାଣିକେଶ୍ୱରୀ ଦେବ ରାଜା ଭାବେ ଅଭିଷେକ ହୋଇଥିଲେ । ସେ ମଧ୍ୟ କିଛି ବର୍ଷ କାର୍ଯ୍ୟର ତଦାରଖ କରିଥିଲେ ତେବେ ପରବର୍ତ୍ତୀ ସମୟରେ ସେ ଆଉ ସେଥିପ୍ରତି ଧ୍ୟାନ ନଦେଇ ବ୍ରହ୍ମପୁରରେ ସବୁଦିନ ପାଇଁ ପରିବାର ନେଇ ରହିବାକୁ ସ୍ଥିର କରିଥିଲେ । ଏବେ ରାଜାଙ୍କର ନା ରାଜ୍ୟ ଅଛି ନା ରାଜନବର ଅକ୍ଷତ ଅବସ୍ଥାରେ ରହିଛି । କିନ୍ତୁ ରାଜା ମାଣିକେଶ୍ୱରୀ ଦେବ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ରଥଯାତ୍ରାରେ ଛେରାପହଁରା ଲାଗି ଦିଗପହଣ୍ଡି ଆସିଥାନ୍ତି ଓ ରଥ ଉପରେ ଛେରା ପହଁରା କରିଥାନ୍ତି ।

ପୁରୀ ରଥଯାତ୍ରାର ଦିନକ ପରେ ଦିଗପହଣ୍ଡିରେ ଗଡ଼େ ରଥ !
ପୁରୀର ପ୍ରସିଦ୍ଧ ରଥଯାତ୍ରା ଦିନ ପୃଥିବୀର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଦିଗପହଣ୍ଡି ରଥଯାତ୍ରାରେ ଏ ନେଇ ରହିଥାଏ ବ୍ୟତିକ୍ରମ । ଗଡଜାତ ରାଜ୍ୟ ବଡଖେମୁଣ୍ଡିରେ ପୁରୀ ରଥ ଯାତ୍ରାର ଦିନକ ପରେ ହିଁ ଏଠାରେ ରଥଟଣା ଉତ୍ସବ ପାଳିତ ହୋଇଥାଏ । ପୁରୀ ଗଜପତି-ରାଜା ଖେମୁଣ୍ଡି-ରାଜାଙ୍କ ଗୋଟିଏ ପରିବାର ହୋଇଥିବା ହେତୁ ପୂର୍ବରୁ ବହୁବର୍ଷ ଧରି ପୁରୀ ଶ୍ରୀକ୍ଷେତ୍ରକୁ ରଥଯାତ୍ରା ଦିନ ଏଠାରୁ ପ୍ରଚୁର ପରିମାଣରେ ହାତୀ, ଘୋଡା, ଶଇସ ତଥା ମାହୁନ୍ତଙ୍କ ସମେତ ଅନେକ ସୈନ୍ୟ-ସାମନ୍ତ ଦିଗପହଣ୍ଡିକୁ ଯାଉଥିଲେ । ଏଣୁ ସେଠାରେ ରଥଟଣା କାର୍ଯ୍ୟକ୍ରମ ଶେଷକରି ସମସ୍ତ ହାତୀ-ଘୋଡ଼ା ଶଇସ-ମାହୁନ୍ତଙ୍କର ଦିଗପହଣ୍ଡି ପହଞ୍ôଚବାକୁ ଗୋଟିଏ ଦିନ ଲାଗିଯାଉଥିଲା । ତେଣୁ ଘୋଡ଼ା-ହାତୀ ପହଞ୍ôଚବା ପରେ ହିଁ ଅର୍ଥାତ୍ ଦିନକ ପରେ ଏଠାରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥାଏ । ଅନ୍ୟ ଏକ ରୋଚକ କଥା ହେଲା, ପରମ୍ପରା ଅନୁଯାୟୀ ଏଠାରେ ପ୍ରଥମ ଦିନ ପହଣ୍ଡି ଓ ଦିନକ ପରେ ରଥଟଣା କାର୍ଯ୍ୟ କରାଯାଏ । ଦିଗପହଣ୍ଡିରେ ରଥର ଉଚ୍ଚତା ଓ ରଥ ସାଜସଜ୍ଜା ପୁରୀ ଶ୍ରୀମନ୍ଦିର ନନ୍ଦିଘୋଷ ରଥ ସହିତ ସମାନ ରହିଥିବା ବେଳେ ପୂର୍ବରୁ ୩୨ଟି ଚକ ଲାଗୁଥିଲା । ବିଗ୍ରହ ଗୁଡିକ ମଧ୍ୟ ପୁରୀ ଚତୁର୍ଦ୍ଧା ମୁର୍ତ୍ତି ସହିତ ସମାନ ରହିଥିଲା । କାଳକ୍ରମେ ରାଜ ପରିବାର ଆଉ ସେତେ ଧ୍ୟାନ ନ ଦେବାରୁ ସେସବୁ ମଧ୍ୟ ଏବେ ପୂର୍ବପରି ପାଳନ କରାଯାଉନଥିବା ଦେଖିବାକୁ ମିଳିଛି । କେବଳ ପରମ୍ପରାକୁ ମନେ ରଖିବା ପାଇଁ ସମସ୍ତ ପର୍ବପର୍ବାଣୀ ବିଧି ଅନୁସାରେ ପାଳନ କରାଯାଉଥିବା ବେଳେ ରଥ ଏବେ କେବଳ ୬ଟି ଚକରେ ନିର୍ମାଣ ହେଉଛି ।

ଏବେ ବି ଗଞ୍ଜାମରେ ବଞ୍ôଚଛି ପରମ୍ପରା: ରାଜ-ପରିବାର କରନ୍ତି ଛେରା-ପହଁରା
ସେବେକାର ରାଜାଙ୍କର ଆଉ ରାଜ୍ୟ ଅଛି ନା ତାଙ୍କର ରହିଛି ରାଜତ୍ୱ, କିନ୍ତୁ ସେମାନେ ଏବେବି ଭାବ ଭକ୍ତି ତଥା ପ୍ରେମ ଓ ଶ୍ରଦ୍ଧାରେ ମହାପ୍ରଭୁଙ୍କ କାର୍ଯ୍ୟରେ ନିଜର ରାଜକୀୟ କର୍ତ୍ତବ୍ୟକୁ ମହାନନ୍ଦରେ ପାଳନ କରିଥାନ୍ତି ।

ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ରହିଛି ଅନେକ ଗଡ଼ଜାତ ରାଜ୍ୟ, ଯେପରିକି ଚିକିଟି, ବଡ଼ଖେମୁଣ୍ଡି, ଧରାକୋଟ ଏବଂ ମହୁରୀ ବା ବ୍ରହ୍ମପୁର । ଏହିସବୁ ରାଜ୍ୟରେ ଏବେ ରାଜା ନାହାଁନ୍ତି କି ରାଜନବର ବି ନାହିଁ । କିନ୍ତୁ ସେହି ରାଜା ଶାସନ ଅମଳରୁ ରହି ଆସିଛି କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କିଛି କିଛି ମନ୍ଦିର ଗୁଡ଼ିକ ।

ପ୍ରତ୍ୟେକ ବର୍ଷ ଏହି ମନ୍ଦିର ଗୁଡ଼ିକରେ ପାରମ୍ପରିକ ଭାବେ ପାଳିତ ହୋଇଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରଥର ଛେରା ପହଁରା କାର୍ଯ୍ୟ କରିବାକୁ ଏହିସବୁ ରାଜ୍ୟର ରାଜା, ରାଣୀ, ରାଜପୁତ୍ର ଏପରିକି ରାଜକନ୍ୟାମାନେ ପରମ୍ପରାକୁ ବଞ୍ଚାଇବାକୁ ରଥରେ କରନ୍ତି ।

ଛେରା ପହଁରା ପରି ପବିତ୍ର କାର୍ଯ୍ୟ ଏବଂ ଶ୍ରୀଜଗନ୍ନାଥଙ୍କ କରୁଣା-ଆଶୀର୍ବାଦ ଗ୍ରହଣ କନର୍ବାର ରହୁଥିବା ନିଜ ନିଜ ସହରକୁ ପ୍ରତ୍ତ୍ୟାଗମନ କରିଥାନ୍ତି ।

ଦିଗପହଣ୍ଡି ରଥଯାତ୍ରାରେ ଛେରା-ପହଁରା କରିବାକୁ ଆସନ୍ତି ବଡ଼ଖେମୁଣ୍ଡିର ସତୁରୀ ବର୍ଷ ବୟସ୍କ ବୟୋଜ୍ୟଷ୍ଠ ରାଜା ମାଣିକେଶ୍ୱରୀ ପ୍ରସାଦ ଦେବ,

 

 

ଚିକିଟି ରଥଯାତ୍ରାରେ ମନ୍ତ୍ରୀ ତଥା ଚିକିଟି ରାଣୀ ଉଷାଦେବୀ ଙ୍କ ବୟାନବେ ବର୍ଷ ବୟସ୍କ ଶ୍ୱଶୁର ରାଜା ସଚିଦାନନ୍ଦ ରାଜେନ୍ଦ୍ର ଦେଓ, ମହୁରୀ ରାଜ୍ୟର ରାଜା ଅଶୋକ କୁମାର ନରେନ୍ଦ୍ର ଦେବ ଏବଂ ଧରାକୋଟ ରାଜ୍ୟର ରାଣୀ ତଥା ଜଣେ ବିଧାୟକଙ୍କ କନ୍ୟା ରାଣୀ ସୁକନ୍ୟା ଦେବୀ ।

ନିଜର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ପ୍ରଦର୍ଶନ କରି ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଲୌକିକ ଅନୁଭୂତି ହାସଲ କରିଥିବା ଏହି ମହାନ ଭକ୍ତମାନେ ତାଙ୍କର ଶ୍ରଦ୍ଧା ଓ ଭକ୍ତିର ପରାକାଷ୍ଠା ଆଜି ପର୍ଯ୍ୟନ୍ତ ଠାକୁରଙ୍କ ସେବା କାର୍ଯ୍ୟରେ ଦାୟିତ୍ୱର ସହିତ ତୁଲାଇ ଆସିବା ପ୍ରକୃତରେ ଅବର୍ଣ୍ଣନୀୟ ।

(ଉପସ୍ଥାପନା – ସମୀରକାନ୍ତ ତ୍ରିପାଠୀ, ସାମ୍ବାଦିକ ଓ ସ୍ତମ୍ଭକାର, ଦିଗପହଣ୍ଡି)

Leave A Reply

Your email address will not be published.