Latest Odisha News

BREAKING NEWS

୧୫ ତାରିଖ ସୁଦ୍ଧା ସରିବ ରାସନକାର୍ଡର ଇ-କେୱାଇସି ପ୍ରକ୍ରିୟା: ମନ୍ତ୍ରୀ

ଭୁବନେଶ୍ବର: ଚଳିତମାସ ୧୫ତାରିଖ ସୁଦ୍ଧା ରାସନକାର୍ଡର ଇ-କେୱାଇସି  ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଏହା ତୁରନ୍ତ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ବୃଦ୍ଧବୃଦ୍ଧା ଓ ଅସୁସ୍ଥ ହିତାଧିକାରୀଙ୍କୁ ଭେଟି କେୱାଇସି ଯାଞ୍ଚ କରିବା ନିମନ୍ତେ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଜ୍ୟ ବାହାରେ ଥିବା ଶ୍ରମିକମାନେ ଯୋଗାଯୋଗ କଲେ ସେଠାକୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ପଠାଯିବ ବୋଲି ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଖାଦ୍ୟଯୋଗାଣ ମନ୍ତ୍ରୀ କହିଛନ୍ତି, ରାସନକାର୍ଡ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ପ୍ରାୟ ୮୫ ପ୍ରତିଶତ ଶେଷ ହୋଇଛି। ବର୍ତ୍ତମାନ ସୁଦ୍ଧା  ଆଉ ପ୍ରାୟ ୫୦ଲକ୍ଷ ବ୍ୟକ୍ତିଙ୍କ ଇ-କେୱାଇସି ଯାଞ୍ଚ ବାକି ରହିଛି। ଭୂତ ରାସନକାର୍ଡଧାରୀଙ୍କୁ ଚିହ୍ନଟ କରିବା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ସହ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମକୁ ଅଧିକ ସ୍ବଚ୍ଛ କରିବା ଉଦ୍ଦେଶ୍ୟରେ ବିଜେପି ସରକାର ଏହି ପଦକ୍ଷେପ ନେଇଛନ୍ତି। ସମୟ ମଧ୍ୟରେ ଇ-କେୱାଇସି  ଯାଞ୍ଚ ନକଲେ କାର୍ଡ ଅକାମୀ ହୋଇଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

 

ସେ ଆହୁରି କହିଛନ୍ତି, ସରକାରୀ କର୍ମଚାରୀମାନଙ୍କୁ ଇ-କେୱାଇସି ଯାଞ୍ଚରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୃଦ୍ଧବୃଦ୍ଧା ଅବା ଅସୁସ୍ଥ ହିତାଧିକାରୀ ଥିଲେ ସରକାରୀ କର୍ମଚାରୀମାନେ ତାଙ୍କ ନିକଟକୁ ଯାଇ ଏହି ପ୍ରକ୍ରିୟା ଶେଷ କରିବେ। ସେହିପରି ଦେଶ ଭିତରେ ଥିଲେ ସେମାନଙ୍କ ନିକଟକୁ ବି ଯିବା ପାଇଁ ସରକାର ଅଧିକାରୀମାନଙ୍କୁ କୁହାଯାଇଛି । ନିକଟରେ ଗୋଆରୁ କିଛି ଶ୍ରମିକମାନେ ବିଭାଗକୁ ଫୋନ୍ କରିବା ପରେ ସେଠାରୁ ସରକାରୀ କର୍ମଚାରୀଙ୍କ ଏକ ଟିମ୍ ପଠାଯାଇଥିବା ଖାଦ୍ଯ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।

Comments are closed.