Latest Odisha News

ଦିନ ଗୋଟାଏ ପରେ ଖୋଲିବ ରତ୍ନଭଣ୍ଡାର: ଜଷ୍ଟିସ୍‌ ବିଶ୍ୱନାଥ ରଥ

ନୂଆଦିଲ୍ଲୀ: ଦିନ ୧ଟା ପରେ ଶୁଭ ସମୟ ଆସୁଛି ତେଣୁ ୧ଟା ପରେ ହିଁ ଖୋଲାଯିବ ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ । ଜଷ୍ଟିସ ରଥ କହିଛନ୍ତି ଯେ, ଯାହା ଆଶା କରୁଛୁ ଗୋଟାଏରୁ ସାଢ଼େ ଗୋଟାଏରେ ଖୋଲାଯିବ । ଚାବିରେ ଯଦି ତାଲା ନଖୋଲେ ତେବେ ତାଲା ଭଙ୍ଗାଯାଇ ଖୋଲାଯିବ । ତାଲା ଭାଙ୍ଗିବା ପାଇଁ ତାଲା ଭଙ୍ଗା ଟିମ୍‌କୁ ମଧ୍ୟ ଡକାଯାଇଛି । ଏଥିସହ ସ୍ନେକ ହେଲପଲାଇନ ଓ ମେଡିକାଲ ଟିମ୍‌ ମଧ୍ୟ ଷ୍ଟାଣ୍ଡ ବାଇ ରହିବେ ।

ଜଷ୍ଟିସ ରଥ ଆହୁରି ମଧ୍ୟ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ସ୍ନେକ ହେଲପଲାଇନ ଓ ମେଡିକାଲ ଟିମ୍କୁ ଭିତରକୁ ଯିବାକୁ ପଡ଼ିପାରେ । ତେବେ କେଉଁମାନେ ଭିତରକୁ ଯିବେ ସେନେଇ ମଧ୍ୟ ଏସ୍‌ଓପି ହୋଇଛି । ତଦାରଖ କମିଟିର ୨ ଜଣ, ଜିଲ୍ଲାପାଳ, ତାଲା ଭଙ୍ଗା ଟିମ୍‌ ଭିତରକୁ ଯିବେ । ତାଙ୍କ ସହ ଏଏସ୍‌ଆଇ ଟିମ୍‌, ଭଣ୍ଡାର ମେକାପ, ତଡ଼ଉ କରଣ ମଧ୍ୟ ଭିତରକୁ ଯିବେ । ରତ୍ନ ଅଳଙ୍କାର ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ମଧ୍ୟ ଚିହ୍ନଟ ହୋଇସାରିଛି ବୋଲି କହିଛନ୍ତି ଜଷ୍ଟିସ ରଥ ।

ସେପଟେ ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ । ଅଳଙ୍କାର ଗୁଡ଼ିକର ଡିଜିଟାଲ ଫଟୋଗ୍ରାଫି କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଫଟୋଗ୍ରାଫ କରାଯାଇ ଏକ ଡିଜିଟାଲ କାଟାଲଗ୍‌ ତିଆରି ହେବ । ଆଗାମୀ ଦିନ ପାଇଁ ଏହା ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ ବୋଲି କହିଛନ୍ତି ମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନଭଣ୍ଡାର ଗଣତି, ମଣତି ନେଇ ଆରବିଆଇର ସହାୟତା ନିଆଯିବ । ଆରବିଆଇର ପ୍ରତିନିଧି ସେଠାରେ ଉପସ୍ଥିତ ରହିବେ । ରିଜର୍ଭ ବ୍ୟାଙ୍କ ପ୍ରତିନିଧି ଆମ ଟିମ୍‌କୁ ସହାୟତା ଦେବେ । ସ୍ବଚ୍ଛତାର ସହ ପ୍ରକ୍ରିୟା ପରିଚାଳନା କରିବା ମୁଖ୍ୟ ପ୍ରଶାସକଙ୍କ ଦାୟିତ୍ବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ତେବେ ରତ୍ନଭଣ୍ଡାର କେତେବେଳେ ଖୋଲିବ ସେନେଇ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରତ୍ୟେକ କାର୍ଯ୍ୟ ନିର୍ଦ୍ଧାରିତ ନିୟମାବଳୀ ଅନୁସାରେ କରାଯିବ ଏବଂ ସବୁ ଦାୟିତ୍ୱ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପରେ ନ୍ୟସ୍ତ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.