Latest Odisha News

BREAKING NEWS

୧୮ରେ ଖୋଲିବ ଭିତର ରତ୍ନଭଣ୍ଡାର

ପୁରୀ: ଆସନ୍ତା ୧୮ ଅର୍ଥାତ୍ ଗୋଟେ ଦିନ ପରେ ଖୋଲିବ ଭିତର ରତ୍ନଭଣ୍ଡାର । ଏଥିପାଇଁ କମିଟି ବୈଠକରେ ନିଷ୍ପତ୍ତି ହୋଇସାରିଛି । ଏନେଇ ସୂଚନା ଦେଇଛନ୍ତି ଯାଞ୍ଚ କମିଟିର ଅଧ୍ୟକ୍ଷ ପୂର୍ବତନ ଜଷ୍ଟିସ୍ ବିଶ୍ବନାଥ ରଥ ।

ପୁଣି ଆସନ୍ତା ଗୁରୁବାର ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିସାରିଛି । ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତଦାରଖ କମିଟିର ବୈଠକରେ ଅଧ୍ୟକ୍ଷ ଜଷ୍ଟିସ ରଥଙ୍କ ଅଧ୍ୟକ୍ଷତାରେ ବିଚାରବିମର୍ଶ ପରେ ଗୁରୁବାର ଭିତର ରତ୍ନଭଣ୍ଡାର ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ତେବେ ଏନେଇ ସୂଚନା ଦେଇ ରଥ କହିଛନ୍ତି, ପୁଣି ଥରେ ରତ୍ନ ଭଣ୍ଡାର ଖୋଲିବା ପାଇଁ ବୈଠକରେ ସମୟ ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୮ ତାରିଖ ଗୁରୁବାର ଦିନ ସକାଳ ୯ଟା ୫୧ରୁ ମଧ୍ୟାହ୍ନ ୧୨. ୧୫ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲିବା ପାଇଁ ଶୁଭ ମୁହୂର୍ତ୍ତ ରହିଛି । ଏହି ସମୟ ମଧ୍ୟରେ ପୁଣି ଥରେ ଭିତର ଭଣ୍ଡାର ତାଲା ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରିତ କରାଯିବ । ସେପଟେ ମହାପ୍ରଭୁ ରତ୍ନବେଦୀକୁ ଫେରିଛନ୍ତି । ତେଣୁ ଯେପରି ମହାପ୍ରଭୁଙ୍କ ନୀତିକାନ୍ତି ଏଥିପାଇଁ  ବାଧାପ୍ରାପ୍ତ ନହୁଏ ସେଥିପାଇଁ ସକାଳ ୮ଟାରୁ ସାଧାରଣ ଦର୍ଶନ ବନ୍ଦ ରହିବା ସହିତ କେବଳ ଅଧିକୃତ ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ହିଁ ପ୍ରବେଶ କରିପାରିବେ ।

ତେବେ କହିରଖୁଛୁ, ଗତ ୧୪ ତାରିଖ ଦିନ ଦାର୍ଘ ୪୬ ବର୍ଷ ପରେ ମହାପ୍ରଭୁଙ୍କର ରତ୍ନଭଣ୍ଡାର ଖୋଲାଯାଇଛି । ଭିତର ଓ ବାହାର  ଉଭୟ ରତ୍ନଭଣ୍ଡାର ଖୋଲାଯାଇଥିଲେ ମଧ୍ୟ କେବଳ ବାହାର ରତ୍ନଭଣ୍ଡାର ଅଳଙ୍କାରମାନ ସ୍ଥାନାନ୍ତରିତ କରାଯାଇଛି । ଆଉ ଆସନ୍ତା ୧୮ରେ ଭିତର ରତ୍ନଭଣ୍ଡାର ଖୋଲାଯିବ ।

Comments are closed.