Latest Odisha News

କାହିଁକି ବଦଳିବା ଦରକାର ରେଭେନ୍ସା ନାଁ?

ଭୁବନେଶ୍ବର: ଥମୁନି ରେଭେନ୍ସା ନାମ ପରିବର୍ତ୍ତନ ବିବାଦ। ବିଜେଡି ନାଁ ବଦଳ ବିରୋଧରେ ସ୍ବର ଉଠାଉଛି ତ ବିଜେପି ସପକ୍ଷରେ କହୁଛି । ଭୁବନେଶ୍ବରରେ ଏକ ଆଲୋଚନାଚକ୍ରରେ ରେଭେନ୍ସା ନାଁ ପରିବର୍ତ୍ତନକୁ ଜୋର ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ରେଭେନ୍ସା ନାମ ପରିବର୍ତ୍ତନ ଆବଶ୍ୟକ ବୋଲି ସେ କହିଛନ୍ତି । ସେପଟେ ଗଜପତି କପିଳେନ୍ଦ୍ର ଦେବଙ୍କ ନାଁରେ ରେଭେନ୍ସା ବିଶ୍ବବିଦ୍ୟାଳୟ କରିବାକୁ ପ୍ରସ୍ତାବ ଦେଇଛନ୍ତି ସାହିତ୍ୟିକ ହରପ୍ରସାଦ ଦାସ । ବିଜେଡି ନାମ ପରିବର୍ତ୍ତନ ବିରୋଧରେ ସ୍ବର ଉଠାଇଛି ତ କଂଗ୍ରେସ କେବଳ ଚର୍ଚ୍ଚାରେ ରହିବାକୁ ପ୍ରୟାସ ଚାଲିଥିବା କହିଛି ।

ନାଁ ପରିବର୍ତ୍ତନ ପୁରୁଣା ଦାବି

ରେଭେନ୍ସା ନାଁ ପରିବର୍ତ୍ତନ ପାଇଁ ୧୯୭୭ ମସିହାରୁ ଦାବି ହୋଇଆସୁଥିବା ବିଜେପି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି । ୧୯୪୯ମସିହାରେ ବୃହତ୍ତର ଓଡିଶା ଗଠନ ହୋଇଥିଲା । ମୟୂରଭଞ୍ଜ ଓଡିଶାରେ ମିଶିଥିଲା । ଏହାପରଠୁ ବିଭିନ୍ନ ସମୟରେ ଛାତ୍ରମାନେ ରେଭେନ୍ସା ନାଁ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି । ପଣ୍ଡିତ ଲିଙ୍ଗରାଜ ମିଶ୍ର ଶିକ୍ଷାମନ୍ତ୍ରୀ ଥିବା ସମୟରେ ବି ନାଁ ପରିବର୍ତ୍ତନ ପାଇଁ ବିଧାନସଭାରେ ଚର୍ଚ୍ଚା ହୋଇଥିଲା । ଓଡିଆ ଜାତିର ଅନୁଦାନରେ ନିର୍ମିତ ଶିକ୍ଷାନୁଷ୍ଠାନରେ କାହିଁକି ଇଂରେଜ ନାମରେ ରହିବ। ରେଭେନ୍ସା ନାମ ପରିବର୍ତ୍ତନ କଲେ କିଛି ଅସୁବିଧା ହେବନି ବୋଲି ଭର୍ତ୍ତୃହରି କହିଛନ୍ତି ।

ରେଭେନ୍ସା ବଦଳି କପିଳେନ୍ଦ୍ରଙ୍କ ନାଁ ରହୁ

ଗଜପତି କପିଳେନ୍ଦ୍ର ଦେବଙ୍କ ନାଁରେ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନାମିତ କରିବା ପାଉଁ ବରିଷ୍ଠ ସାହିତ୍ୟିକ ହରପ୍ରସାଦ ଦାସ ପ୍ରସ୍ତାବ ଦେଇଛନ୍ତି । ସରକାର ଚାହିଁଲେ ରେଭେନ୍ସା ନାଁ ବଦଳାଇ ପାରିବେ । ଗଜପତି କପିଳେନ୍ଦ୍ର ଦେବ ଓଡିଆ ଓ ଓଡିଶାକୁ ପରିଚୟ ଦେଇଥିଲେ । ତେବେ ତାଙ୍କୁ କୌଣସି ଶ୍ରେୟ ଦିଆଯାଇନାହିଁ । ତାଙ୍କ ନାଁରେ ଗଜପତି କପିଳେନ୍ଦ୍ର ଦେବ ବିଶ୍ବବିଦ୍ୟାଳୟ ହେଲେ କିଛି ଅସୁବିଧା ହେବନାହିଁ ବୋଲି ହରପ୍ରସାଦ ଦାସ କହିଛନ୍ତି ।

ରେଭେନ୍ସା ଏକ ପରିଚୟ

ଜଣେ ବ୍ରିଟିଶ ଅଧିକାରୀଙ୍କ ନାଁରେ ରେଭେନ୍ସା ବିଶ୍ବବିଦ୍ୟାଳୟ ରହିଥିବାରୁ ନାମ ପରିବର୍ତ୍ତନ ନେଇ ବିତର୍କ ପାଇଁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାପରଠୁ ରେଭେନ୍ସା ନାଁ ପରିବର୍ତ୍ତନ ସପକ୍ଷରେ ବିଜେପି ଯୁକ୍ତି ବାଢି ଆସୁଛି । ତେବେ ନାଁ ବଦଳକୁ ବିଜେଡି ସହ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର, ପ୍ରଧ୍ୟାପକ ଓ ଶିକ୍ଷାବିତ ବିରୋଧ କରି ଆସୁଛନ୍ତି । ରେଭେନ୍ସା କେବଳ ଏକ ବିଶ୍ବବିଦ୍ୟାଳୟ ନୁହେଁ ବରଂ ସେଠୁ ପଢିଥିବା ପିଲାଙ୍କ ପାଇଁ ପରିଚୟ ବୋଲି ବିଜେଡି କହିଛି। ବ୍ରିଟିଶ ଅଧିକାରୀ ହେବା ସତ୍ତ୍ବେ ରେଭେନ୍ସାଙ୍କର ଓଡିଶାରେ ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ଯଥେଷ୍ଟ ଅବଦାନ ରହିଥିବା ଦଳ କହିଛି ।

ଚର୍ଚ୍ଚାରେ ରହିବାକୁ ‘ରେଭେନ୍ସା’ ତର୍କ

କେବଳ ଚର୍ଚ୍ଚାରେ ରହିବାକୁ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ପ୍ରସଙ୍ଗରେ ଆଲୋଚନା ଚାଲିଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ରାଜ୍ୟର ବିକାଶ, ବେକାରୀ ସମସ୍ୟା, ଦୁର୍ନୀତି ବିରୋଧରେ କାହିଁକି ଚର୍ଚ୍ଚା ହେଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ରେଭେନ୍ସାରେ ପଢିଥିବା ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନକୁ ବରଦାସ୍ତ କରିବେନି ବୋଲି ତାରା କହିଛନ୍ତି ।

Comments are closed.