Latest Odisha News

ମୌଳିକ ସୁବିଧା ଦାବିରେ ଭୋଟ୍ ବର୍ଜନ ନିଷ୍ପତି ନେଲେ କାହ୍ନୁଗୁଡ଼ାବାସୀ

ରାୟଗଡ଼ା : ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଆମେ ପରାଧୀନ । ଏମିତି କିଛି ସ୍ଥାନ ରହିଛି , ଯେଉଁଠାରେ ଲୋକେ ଆଜି ବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ଏମିତି କିଛି ଘଟଣା ଘଟିଛି  ରାୟଗଡା ଜିଲ୍ଲା । ଗାଁକୁ ରାସ୍ତା ଏବଂ ନଦୀ ଉପରେ ପୋଲ ନିର୍ମାଣ ନେଇ ଲୋକେ ଦୀର୍ଘ ଦିନରୁ ଦାବି କରୁଥିଲେ ବି କିଛି ସୁଫଳ ମିଳିନି  । ଯାହାକୁ ନେଇ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଛନ୍ତି କାହ୍ନୁଗୁଡାବାସୀ । କାହ୍ନୁଗୁଡ଼ା ଏବଂ ଆଖପାଖ ଅଞ୍ଚଳର ଶତାଧିକ ଲୋକ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ନିର୍ବାଚନ ପୂର୍ବରୁ ସରକାର ଦାବି ପୂରଣ ନକଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।

ଗତ ମେ ୧୫ ତାରିଖରେ ଗ୍ରାମବାସୀ ରାସ୍ତାରୋକ ଆନ୍ଦୋଳନର ନିଷ୍ପତ୍ତି ନେଇଥିଲେ। ଫଳରେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏକ ମାସ ମଧ୍ୟରେ ଦାବି ପୂରଣ କରି  ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିଲା ।  ତତ୍କାଳୀନ କାଶୀପୁର ତହସିଲଦାର ଶରତ ଶବର, ଥାନା ଅଧିକାରୀ ରାଜେଶ ବଳିଆରସିଂ, ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ହୋତା ପ୍ରମୁଖ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀମାନେ  ଆନ୍ଦୋଳନରୁ ଓହରିଥିଲେ । ସେତେବେଳେ  ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାନଗଲେ ପୁଣି ରାସ୍ତା ରୋକ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଥିଲେ । କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଗ୍ରାମବାସୀ ପୁଣି ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି  ।

ପିଏମଜି ଏସ ୱାଇ ଯୋଜନାରେ ଆଦିବାସୀ ଅଧ୍ୟୁଷିତ କାହ୍ନୁଗୁଡ଼ାକୁ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି  । କିନ୍ତୁ  ନଦୀ ଉପରେ ପୋଲ ନିର୍ମାଣ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି  । ସ୍ଵାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ପହଞ୍ଚି ପାରୁନି ଆମ୍ବୁଲେନ୍ସ ଟିଏ ।  ଗ୍ରାମବାସୀଙ୍କ ଦାବି ଫଳରେ ଆର ଡ଼ି ବିଭାଗ ପକ୍ଷରୁ ତଳ ଢେସ୍କା ଗ୍ରାମ ଠାରୁ ଭାୟା କାହ୍ନୁଗୁଡା ଗ୍ରାମ ଦେଇ କାପୁଗୁଡ଼ା ପର୍ଯ୍ୟନ୍ତ ପ୍ରାୟ ୬କିମି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଗୋରଖପୁର ପଞ୍ଚାୟତର ତଳ ଢେସ୍କା ଆରଡ଼ି ରାସ୍ତା ଠାରୁ କାମ ଆରମ୍ଭ କରିବା ପରିବର୍ତ୍ତେ ହାଡ଼ି ଗୁଡ଼ା ପଞ୍ଚାୟତ କାପୁଗୁଡ଼ା ଠାରୁ ରାସ୍ତା କାମ ଆରମ୍ଭ କରାଯାଇ ଥିବାର ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ବିଭିନ୍ନ କାମ ପାଇଁ ନିକଟ ବରତି  ଗୋରଖପୁର ପଞ୍ଚାୟତ ଉପରେ ନିର୍ଭର କରୁଥିବା ବେଳେ ଲୋକଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ତଳ ଢେସ୍କା ଠାରୁ କାହ୍ନୁଗୁଡ଼ାକୁ ପକ୍କା ପିଚୁ ରାସ୍ତା ଏବଂ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦାବି କରାଯାଇଛି । ଏହି ଦାବି ଆଗାମୀ ଦୁଇ ମାସ ମଧ୍ୟରେ ପୂରଣ ନହେଲେ  କାହ୍ନୁଗୁଡ଼ାବାସୀ ଭୋଟ୍ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.