Latest Odisha News

କବିତା : ଚାଲ ଆଜି ଫେରିଯିବା

ମଞ୍ଜୁ ରାଣୀ ବେହେରା

ଚାଲ ଆଜି ଫେରିଯିବା ପ୍ରକୃତିର କୋଳକୁ
ମାଟି ମା ପାଖକୁ।

ସେଇ ଗୋଧୂଳିର ଦାଣ୍ଡ ଝଙ୍କାଳିଆ ବରଗଛ
କୋଇଲିର ମଧୁର ମୂର୍ଚ୍ଛନା
ପହିଲି ବରଷାରେ ମହକୁଥିବାମାଟି ଲିପାଘର ଅଗଣା।

ଚାଷୀଭାଇର ସବୁଜିମା କ୍ଷେତ ବିଲ, ପୋଖରୀ
ବାଡିବଗିଚାର ସୁଆଦିଆ ପିଜୁଳି।
ଗାଁ ମଝିର ଭାଗବତ ଟୁଙ୍ଗୀ
ବାଗୁଡ଼ିର ଖେଳ, ଗାଁ ଦାଣ୍ଡେ ପିଲାଙ୍କ ମେଳ।
ନବବଧୂର ସଞ୍ଜ ସଲିତା
ପର୍ବପର୍ବାଣୀର ଆସରରେ ଭାଇଚାରାର ନିବିଡତା।

ଚାଲ ଫେରି ଯିବା ଆଜି ସେ ଅଝଟିଆ ପିଲାଦିନକୁ
ଦୁଷ୍ଟାମୀର ଅଫେରା ଶୈଶବକୁ।
ପାଠପଢାରେ ବାପାଙ୍କ ଆକଟ ବୋଉର ସ୍ନେହବୋଳା ପଣତ
ଲୁଚି ଲୁଚି ଖେଳିବା
ବୁଢ଼ୀ ଅସୁରଣୀ କୁହୁକ ପେଡିରେ ସପନ ରାଇଜେ ହଜିବା।

ଚାଲ ବର୍ତ୍ତମାନକୁ ବନ୍ଧା ପକେଇ
ପୁରୁଣା ସ୍ମୃତିକୁ ସାଉଁଟିବା କିଛି ଆତ୍ମୀୟତାର ମୋହରେ
ଆଜି ପୁଣିଥରେ ଗାଁକୁ ଫେରିବା।

ମେଣ୍ଡା, ସୁବର୍ଣ୍ଣପୁର

Leave A Reply

Your email address will not be published.