Latest Odisha News

BREAKING NEWS

ଆଜି ସରୁଛି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ, ଲେଖିଲେ ଭାବବିହ୍ବଳ ପୋଷ୍ଟ

ନୂଆଦିଲ୍ଲୀ: ଆଜି ସରୁଛି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। କୋଭିଡ୍ ମହାମାରୀ ସହ ଦୀର୍ଘ ୬ବର୍ଷ କାଳ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡ଼ିଆ ‘ଏକ୍ସ’ରେ ଭାବବିହ୍ନଳ ପୋଷ୍ଟ କରିଛନ୍ତି। ଏଥି ସହ ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ।

ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ୨୦୧୮ ଡିସେମ୍ବର ୧୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। କୋଭିଡ ସମୟରେ ଓ ପରେ ଦେଶର ଦରଦାମ ସମସ୍ୟାକୁ ନିୟନ୍ତ୍ରଣ କରିବା ଦିଗରେ ଉଲ୍ଲେଖନୀୟ କାମ କରିଛନ୍ତି। ୨୦୨୧ରେ ତାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବଢ଼ାଇଥିଲେ କେନ୍ଦ୍ର ସରକାର। ଫଳରେ ଆର୍‌ବିଆଇର ୯୦ ବର୍ଷର ଇତିହାସରେ ଶକ୍ତିକାନ୍ତ ସର୍ବାଧିକ ସମୟ ପାଇଁ ରହିଥିବା ଗଭର୍ଣ୍ଣର ହିସାବରେ ରେକର୍ଡ କରିଥିଲେ। RBI ଇତିହାସରେ ଦୀର୍ଘକାଳୀନ ଗଭର୍ଣ୍ଣରଙ୍କ ଭିତରୁ ଶକ୍ତିକାନ୍ତ ଦାସ ଜଣେ।

୨୦୨୩ ଓ ୨୦୨୪ରେ ଶକ୍ତିକାନ୍ତ ଦୁଇଥର ଆନ୍ତର୍ଜାତିକ ସ୍ତରରେ ‘ଏ+’ ମାନ୍ୟତା ପାଇଥିଲେ। ୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଶକ୍ତିକାନ୍ତ କୋଭିଡ୍‌-୧୯ ସମେତ ୟୁକ୍ରେନ୍‌ ଯୁଦ୍ଧ ଓ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଭଳି ଅନେକ ଆହ୍ବାନର ମୁକାବିଲା କରିଥିଲେ। ତେବେ ଶକ୍ତିକାନ୍ତଙ୍କ ପରେ ରାଜସ୍ଵ ସଚିବ ସଞ୍ଜୟ ମାଲହୋତ୍ରା ଆରବିଆଇ ଗଭର୍ଣ୍ଣର ଦାୟିତ୍ଵ ସମ୍ଭାଳିବେ। କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ସଞ୍ଜୟ ପରବର୍ତ୍ତୀ ଆର୍‌ବିଆଇ ଗଭର୍ଣ୍ଣର ଭାବେ ଡିସେମ୍ବର ୧୧ରେ ଯୋଗଦେବେ।

ତାଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ। ରାଜସ୍ଥାନ ପାହ୍ୟାର ୧୯୯୦ ବ୍ୟାଚ୍‌ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସଞ୍ଜୟ ମାଲହୋତ୍ରା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିବା ପରେ ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟରେ ପବ୍ଲିକ ପଲିସି ବିଷୟରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି।

Comments are closed.