Latest Odisha News

BREAKING NEWS

ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ, ବେଙ୍ଗାଲୁରର କ୍ରମାଗତ ଦ୍ୱିତୀୟ ବିଜୟ

ଅହମ୍ମଦାବାଦ: ୱିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ବଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଗୁଜରାଟ ଟାଇଟାନ୍ସକୁ ୯ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପରାସ୍ତ କରିଛି । ବେଙ୍ଗାଲୁରର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୩ ୱିକେଟ ବିନିମୟରେ ୨୦୦ ରନ କରିଥିଲା । ସାଇ ସୁଦର୍ଶନ(୮୪ ନଟଆଉଟ) ଓ ଶାହାରୁଖ ଖାଁ ୫୮ ରନର ଇନିଂସ ଖେଳିଥିଲେ । ଆରସିବି ପକ୍ଷରୁ ମହମ୍ମଦ ସିରାଜ, ଗ୍ଲେନ ମ୍ୟାକ୍ସୱେଲ ଓ ସ୍ୱପ୍ନିଳ ସିଂ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୨୦୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆରସିବି ୪୦ ରନରେ ଫାପ ଡୁ ପ୍ଲେସିଙ୍କ ୱିକେଟ ହରାଇଥିଲା । ସେ ୨୪ ରନ କରିଥିଲେ । ଏହା ପରେ ବିରାଟ କୋହଲି ଓ ଜ୍ୟାକ୍ସ ଗୁଜରାଟ ବୋଲରଙ୍କୁ ଆଉ କୌଣସି ସୁଯୋଗ ଦେଇ ନ ଥିଲେ । କୋହଲି ୪୪ ବଲରେ ୬ ଚୌକା ଓ ୩ ଛକା ବଳରେ ୭୦ ଓ ଜ୍ୟାକ୍ସ ୪୧ ବଲରେ ୫ ଚୌକା ଓ ୧୦ ଛକା ସହାୟତାରେ ୧୦୦ ରନ କରି ନଟଆଉଟ ରହିଥିଲେ । ମାତ୍ର ୧୬ ଓଭରରେ ଗୋଟିଏ ୱିକେଟ ହରାଇ ଆରସିବି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ଏହି ବିଜୟ ସହ ଆରସିବି ୧୦ ମ୍ୟାଚରୁ ୬ ପଂଏଟ ପାଇ ଏବେ ବି ପଂଏଟ ଟେବୁଲରେ ଶେଷ ସ୍ଥାନରେ ରହିଛି । ଗୁଜରାଟ ୧୦ ମ୍ୟାଚରୁ ୮ ପଂଏଟ ହାସଲ କରିଛି । ଜ୍ୟାକ୍ସ ପ୍ରଥମ ୧୭ ବଲରେ ୧୭ ରନ କରିଥିଲେ । ଏହା ପରେ ସେ ୨୪ ବଲରେ ୮୩ ରନ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ଭଲ ଫର୍ମରେ ଥିବା କୋହଲି ଶତକ ଆଶାରେ ଥିଲେ ମଧ୍ୟ ଜ୍ୟାକ୍ସଙ୍କ ବ୍ୟାଟିଂ ଏହି ସୁଯୋଗ ତାଙ୍କୁ ଦେଇ ନ ଥିଲା ।

Leave A Reply

Your email address will not be published.