Latest Odisha News

BREAKING NEWS

ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ ଧରପଗଡ଼, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ପୋଲିସ କମିଶନର ତଥା ଭୁବନେଶ୍ବର ଡିସିପିଙ୍କ ପଦକ୍ଷେପ। ଜାରି ରହିଛି ମଦ୍ୟପ ଗାଡିଚାଳକଙ୍କ ବିରୋଧରେ ଧରପଗଡ ଅଭିଯାନ। ଗତକାଲି ରାତିରେ ମାଷ୍ଟରକ୍ଯାଣ୍ଟିନ ଛକ ଠାରେ ଧରପଗଡ ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ସୂଚନା ଅନୁସାରେ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶ ମତେ ଖାରବେଳନଗର ଥାନାର ଥାନାଧିକାରୀ, ସମ୍ପୃକ୍ତ ଥାନାର ଅନ୍ୟାନ୍ୟ କର୍ମଚାରୀଙ୍କ ସହ ମିଶି ଗତକାଲି ରାତିରେ ମାଷ୍ଟରକ୍ଯାଣ୍ଟିନ ଛକଠାରେ ମଦ୍ୟପ ଗାଡିଚାଳକଙ୍କ ବିରୋଧରେ ଧରପଗଡ ଅଭିଯାନ ଜାରି ରଖିଥିଲେ । ଏହି ସମୟରେ ଧରପଗଡ ଅଭିଜାନରେ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀମାନେ ଶ୍ରୀୟାଟକିଜ ଛକରୁ ମାଷ୍ଟରକ୍ଯାଣ୍ଟିନ ଛକ ଅଭିମୁଖେ ଏକ ମାରୁତି ଡିଜାୟାର କାର ଦ୍ରୁତଗତିରେ ତଥା ବିପଦଜନକ ଭାବେ ଆସୁଥିବାର ଦେଖି ତାକୁ ଅଟକାଇବା ଲାଗି ପ୍ରୟାସ କରି ବହୁ କଷ୍ଟରେ ତାକୁ ଅଟକାଇବାରେ ସକ୍ଷମ ହୋଇଥିଲେ । ଯାଞ୍ଚ ସମୟରେ ଉକ୍ତ ଗାଡିର ଡ୍ରାଇଭର ଅଭିଯୁକ୍ତଟି ଅଙ୍କିତ ରାଓ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡିଥିଲା ।

ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ବିପଦଜନକ ଭାବେ ଗାଡିଚାଳନା କରୁଥିବା ଯୋଗୁଁ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ସୂଚନା ରହିଛି। ଉକ୍ତ ଗାଡିରେ ବସିଥିବା ଅନ୍ୟ ଦୁଇ ଅଭିଯୁକ୍ତ ହିମାଂଶୁ ଶେଖର ଖୁଣ୍ଟିଆ ଓ ଆଶୁତୋଷ ଖୁଣ୍ଟିଆ ଗାଡିରୁ ତଳକୁ ଓଲ୍ହାଇ ଚେକିଂ କାର୍ଯ୍ଯରେ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ସେମାନଙ୍କୁ ନିଜ କର୍ତ୍ତବ୍ୟ ସମ୍ପାଦନରେ ବାଧା ସୃଷ୍ଟି କରିଥିଲେ। ନିକଟରେ ଉପସ୍ଥିତ ଥିବା ଥାନାଧିକାରୀ ସେମାନଙ୍କୁ ସେଠାରେ ବୁଝାଇବାକୁ ପ୍ରୟାସ କରୁଥିବା ବେଳେ, ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ।

ଏହି ସମୟରେ ଅଭିଯୁକ୍ତ ହିମାଂଶୁ ଶେଖର ଖୁଣ୍ଟିଆ ଥାନାଧିକାରୀଙ୍କୁ ହଠାତ ଏକ ଚାପୁଡା ମାରିଥିଲେ। ଏହି ମାମଲାରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ସମ୍ପୃକ୍ତ ମାରୁତି କାରକୁ ଜବତ କରିଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ମାନେ ନିଜର ଅପରାଧ ସ୍ଵୀକାର କରିଥିଲେ। ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲୁ ରହିଛି ।

 

Leave A Reply

Your email address will not be published.