Latest Odisha News

BREAKING NEWS

ରାଜ୍ୟ ସରକାରକୁ ଜେପି ନଡ୍ଡାଙ୍କ ଟାର୍ଗେଟ୍: ଓଡ଼ିଶା ବିକାଶ ପାଇଁ ସରକାର ବଦଳିବା ଦରକାର

ବ୍ରହ୍ମପୁର: ବ୍ରହ୍ମପୁର ଆମ୍ବପୁଆରେ ବିଜୟ ସଙ୍କଳ୍ପ ସମାବେଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭାରତ ମାତା କି ଜୟ ଧ୍ୱନିରୁ ସେ ନିଜର ଅଭିଭାଷଣ ଆରମ୍ଭ କରିବା ସହିତ ଭଗବାନ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇଥିଲେ। ଏଥିସହିତ ମଧୁ ବାବୁ, କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ନଡ୍ଡା ନିଜର ଅଭିଭାଷଣରେ ରାଜ୍ୟ ସରକାରକୁ ଟାର୍ଗେଟ କରିଥିଲେ। ମୋଦିଙ୍କ ବିକାଶ ପହଞ୍ଚାଇବାକୁ ଏଠାରେ ବିଜେପି ସରକାର ହେବା ଦରକାର ବୋଲି କହିଥିଲେ।

ଜନସାଧାରଣଙ୍କୁ ସମ୍ବୋଧିତ କରି ନଡ୍ଡା କହିଥିଲେ ଯେ ୧୦ ବର୍ଷ ପୂର୍ବେ ଭାରତର ଅବସ୍ଥା କ’ଣ ଥିଲା, ମନେ ପକାନ୍ତୁ। ଏଠାରେ କିଛି ବଦଳିବ ନାହିଁ, ଏମିତି ରହିବ ବୋଲି ଭାବୁଥିଲେ। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ବଦଳି ଯାଇଛି। ବିକଶିତ ଭାରତ ପଥରେ ଦେଶ ଆଗେଇ ଚାଲିଛି। ମୋଦି ଭାରତର ରାଜନୀତିକୁ ବିକାଶବାଦ ସହ ଯୋଡ଼ିଛନ୍ତି। ଏକାଦଶ ଅର୍ଥ ବ୍ୟବସ୍ଥାରୁ ଭାରତ ଏବେ ପଞ୍ଚମ ସ୍ଥାନରେ ରହିଛି। ୨ ବର୍ଷ ଭିତରେ ଭାରତ ତୃତୀୟ ବଡ଼ ଆର୍ଥିକ ଶକ୍ତି ବନିବ। ସେହିପରି ଓଡ଼ିଶାର ୩ କୋଟି ୨୦ ଲକ୍ଷ ଲୋକଙ୍କୁ ମାଗଣା ରାସନ ମିଳୁଛି। ୧୧ କୋଟି ୭୮ ଲକ୍ଷ ଚାଷୀଙ୍କ ଖାତାକୁ ସିଧା ସହାୟତା ଯାଉଛି। ଯାହା ବିଜେପି ଦ୍ୱାରା ସମ୍ଭବ ହୋଇପାରୁଛି।

ଆଗାମୀ ୫ ବର୍ଷରେ ଲୋକମାନେ ବିଜୁଳି ବିଲରୁ ମୁକ୍ତ ହେଇଯିବେ । ପିଏମ୍ ସୂର୍ଯ୍ୟ ଘର ମୁକ୍ତ ଯୋଜନାରେ ପ୍ରତି ଘରକୁ ସୌରଶକ୍ତି ମିଳିବ । ଯଦି ଅଧିକ ବିଜୁଳି ହେବ, ତେବେ ଏହାକୁ ମଧ୍ୟ ସରକାର କିଣିନେବ । ସେହିପରି ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ଏଭଳି ସରକାର ରହିବା ଅନୁଚିତ, ସରକାର ବଦଳିବା ଦରକାର। ବିପକ୍ଷ ସରକାର ଥିବା ସତ୍ତ୍ୱେ, ମୋଦି ସର୍ବାଧିକ ଅନୁଦାନ ଦେଇଛନ୍ତି। ରେଲୱେରେ ଓଡ଼ିଶା ପାଇଁ ୧୨ ଗୁଣା ବଜେଟ ବଢ଼ାଯାଇଛି। ୫୫୦ କୋଟି ଟଙ୍କାରେ ୨୫ ରେଳ ଷ୍ଟେସନ କାମ ଚାଲିଛି।

ନବୀନ ସରକାଙ୍କୁ ଟାର୍ଗେଟ କରି ନଡ୍ଡା କହିଥିଲେ ଓଡ଼ିଶାରେ ଓଡ଼ିଆଙ୍କ ନେତୃତ୍ୱ ପାଇଁ କ’ଣ କେହି ନେତା ନାହାନ୍ତି, ବାହାର ଲୋକଙ୍କୁ ଆଣିବାକୁ ଚେଷ୍ଟା ଚାଲିଛି। ବାହାର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି, ସତର୍କ ରହନ୍ତୁ। ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି। ବାବୁରାଜ ଚାଲିଛି। ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ରହିବା ଦରକାର ନାହିଁ। ଏପରି ସରକାରକୁ ହଟେଇବା ସହ ରାଜ୍ୟରେ ବିଜେପିକୁ ଭୋଟ୍ ଦେବାକୁ ନଡ୍ଡା ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.