Latest Odisha News

BREAKING NEWS

Fake Police: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ…

ବ୍ରହ୍ମପୁର: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ନିଜକୁ ପୋଲିସ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଯୁବକକୁ ଗିରଫ କରିଛି ବ୍ରହ୍ମପୁର ସଦର ଥାନା ପୋଲିସ । ଗିରଫ ଯୁବକ ନାରାୟଣପୁର ଗ୍ରାମର ମନୋଜ ସ୍ୱାଇଁ ଓରଫ କେଦାର ବୋଲି ଜଣାପଡିଛି । ପଦରବାଲି ଛକରୁ ଆଜି ତାକୁ ଗିରଫ କରାଯାଇଛି ।

ଯୁବକ ଜଣକ ନକଲି ପୋଲିସ ସାଜି ବାଇକ ଚେକିଂ ନାଁରେ ଟଙ୍କା ସଂଗ୍ରହ କରୁଥିଲା । ରବିବାର ମଧ୍ୟ ସଦର ଥାନା ଅନ୍ତର୍ଗତ ପଦରବାଲୀଠାରେ ବାଇକ ଚେକିଂ ଆଳରେ ଟଙ୍କା ସଂଗ୍ରହ କରୁଥିଲା । ଏହି ସମୟରେ ମନୋଜ ସ୍ୱାଇଁକୁ ଗିରଫ କରାଯାଇଛି । ତା ନିକଟରୁ ଗୋଟିଏ ଖେଳନା ପିସ୍ତଲ, ଗୋଟିଏ ଜଙ୍ଗଲ ପ୍ୟାଚ୍ ଡ୍ରେସ୍, ପାଉଚ୍ ସହ ଜଙ୍ଗଲ ପ୍ୟାଚ୍ ବେଲ୍ଟ, ଦୁଇଟି ପି-କ୍ୟାପ୍, ଗୋଟିଏ ଫାଇବର ଲାଠି, ଗୋଟିଏ ଯୋଡ଼ା DMS ଜୋତା ଜବତ ହୋଇଛି ।

ଖାଲି ସେତିକି ନୁହଁ ମନୋଜ କୁମାର ସ୍ୱାଇଁ ଓଡ଼ିଶା ପୋଲିସ ଲେଖା ଥିବା ଏବଂ ଓପି ଚିହ୍ନ ଥିବା ନାମ ଫଳକ, କଳା ରଙ୍ଗର ପୋଲିସ ବେଲ୍ଟ, ଆଧାର କାର୍ଡ, ପାନ କାର୍ଡ, ମୋବାଇଲ୍ ଫୋନ୍, ପୋଲିସ ପୋଷାକରେ କେଦାରନାଥ ସ୍ୱାଇଁଙ୍କ ଫଟୋଗ୍ରାଫ, ଗୋଟିଏ ଏସବିଆଇ ପାସବୁକ୍ ଆଦି ଜବତ ହୋଇଛି । ତେବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

 

Comments are closed.