ନୂଆଦିଲ୍ଲୀ: ସିରିଆରେ ଗତ ୫୦ ବର୍ଷ ଧରି ଚାଲିଥିବା ଅସଦ ଶାସନର ଅନ୍ତ ହୋଇଛି । ଗତକାଲି ଅହମ୍ମଦ ଅଲ-ଶାରାଙ୍କୁ ଦେଶର ଅନ୍ତରୀଣ ରାଷ୍ଟ୍ରପତି ଭାବେ ନିଯୁକ୍ତି କରାଯାଇଛି ଏବଂ ତାଙ୍କୁ ସରକାର ଗଠନ କରିବାର ଦାୟିତ୍ୱ ଦିଆଯାଇଛି । ଏଥସହ ୨୦୧୨ ସମ୍ବିଧାନକୁ ସ୍ଥଗିତ ରଖାଯିବା ସହ ଭାଙ୍ଗିଛି ଅସଦ ସରକାରଙ୍କ ସଂସଦ । ଏନେଇ ସୂଚନା ଦେଇଛନ୍ତି ସିରିଆର ସାମରିକ ଅଧିକାରୀ ହାସନ ଅବ୍ଦେଲ ।
ରିପୋର୍ଟ ଅନୁସାରେ, ସାମରିକ ଅଧିକାରୀ ହାସନ ଅବ୍ଦେଲ ଘାନି ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ଅହମ୍ମଦ ଅଲ-ଶାରା ଦେଶର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବେ ଏବଂ ଆନ୍ତର୍ଜାତୀୟ ଫୋରମରେ ସିରିଆର ପ୍ରତିନିଧିତ୍ୱ କରିବେ। ଅହମ୍ମଦ ଅଲ-ଶାରା କ୍ଷମତାକୁ ଆସିବା ପରେ ଦେଶରେ ୨୦୧୨ ର ସମ୍ବିଧାନକୁ ସ୍ଥଗିତ ରଖାଯାଇଛି ଏବଂ ଅସଦ ସରକାରଙ୍କ ସଂସଦ ଭାଙ୍ଗିଛି । ଏବେ ନୂତନ ଅନ୍ତରୀଣ ରାଷ୍ଟ୍ରପତିଙ୍କ ନେତୃତ୍ଵରେ ଦେଶରେ ନୂତନ ଅସ୍ଥାୟୀ ବିଧାନ ପରିଷଦ ଗଠନ ହେବ। ଦେଶରେ ଶାନ୍ତି ପ୍ରତିଷ୍ଠା, ଅନୁଷ୍ଠାନଗୁଡ଼ିକର ପୁନଃନିର୍ମାଣ ଏବଂ ସ୍ଥିର ଅର୍ଥନୀତି ଗଠନ ତାଙ୍କର ପ୍ରାଥମିକତା ହେବ ବୋଲି ଶାରା କହିଛନ୍ତି।
ସିରିଆର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ଅହମ୍ମଦ ଅଲ-ଶାରା ୨୦୧୭ ମସିହାରୁ ହାୟତ ତାହିରିର ଅଲ ଶାମର ନେତା ଭାବରେ କାର୍ଯ୍ୟ କରୁଛନ୍ତି। ଏହି ଗୋଷ୍ଠୀ ହେଉଛି ସିରିଆର ଅଲ-କାଏଦା ଠାରୁ ଉତ୍ପନ୍ନ ଏକ ବିଦ୍ରୋହୀ ଗୋଷ୍ଠୀ, ଯାହା ଗତବର୍ଷ ବଶର ଅଲ-ଅସଦଙ୍କୁ କ୍ଷମତାରୁ ହଟାଇବାରେ ସଫଳ ହୋଇଥିଲା । ୨୦୧୬ରେ ଅଲ-ନୁସ୍ରା ଫ୍ରଣ୍ଟରୁ ଅଲଗା ହୋଇ ଗଠନ ହୋଇଥିଲା ହାୟତ ତାହିରିର ଅଲ ଶାମ, ଯାହା ଉତ୍ତର-ପଶ୍ଚିମ ଇଦଲିବକୁ ତା’ର ନିଜ ଗଡ଼ ଭାବରେ ପରିଣତ କରିଥିଲା । ସେପଟେ କିନ୍ତୁ ମିଳିତ ଜାତିସଂଘ, ଆମେରିକା, ୟୁରୋପୀୟ ସଂଘ ଏବଂ ବ୍ରିଟେନ ଏଚଟିଏସକୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଛନ୍ତି।
ବଶର ଅଲ-ଅସଦଙ୍କ ଶାସନ ସହିତ ସିରିଆ ସେନା ଏବଂ ଅନ୍ୟାନ୍ୟ ସରକାରୀ ଏଜେନ୍ସିଗୁଡିକ ମଧ୍ୟ ଶେଷ ହୋଇଛି । ଏହି ଅବସରରେ ଅବ୍ଦେଲ ଘାନି ଘୋଷଣା କରିଛନ୍ତି ଯେ ଅସଦଙ୍କ ସୈନ୍ୟବାହିନୀ ଏବଂ ସୁରକ୍ଷା ଏଜେନ୍ସିଗୁଡିକୁ ଭଙ୍ଗା ଯିବ। ସିରିଆ ସେନାର ପୁନଃଗଠନ ହେବ ଏବଂ ଏକ ନୂତନ ସୁରକ୍ଷା ଭେଦ ଗଠନ କରାଯିବ । ଦଶନ୍ଧି ଧରି ସିରିଆ ଉପରେ ଶାସନ କରୁଥିବା ବାଥ ପାର୍ଟି ମଧ୍ୟ ବିଲୋପ ହୋଇଯାଇଛି। ଏବେ ନୂତନ ସରକାର ରାଜନୈତିକ ସଂସ୍କାର ଏବଂ ଅନ୍ତର୍ଭୂକ୍ତ ଶାସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଦେଶର ନୂତନ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଶାରା କହିଛନ୍ତି ଯେ ଦେଶର ସମ୍ବିଧାନ ପୁନଃ ଲେଖିବାକୁ ତିନି ବର୍ଷ ଲାଗିପାରେ। ଏହା ବ୍ୟତୀତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଚାରି ବର୍ଷ ଲାଗିପାରେ। ତେବେ, ଏପର୍ଯ୍ୟନ୍ତ ଅନେକ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଜାତୀୟ ସ୍ତରରେ କୈଣସି ପ୍ରକାର କାର୍ଯ୍ୟକ୍ରମ କିମ୍ବା ସମ୍ମିଳନୀ ଆୟୋଜନ କରିବାକୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
Comments are closed.