କଟକ: ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ ସଞ୍ଜିତା ଦାସଙ୍କ ମାମଲାରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଭାରତୀୟ ପ୍ରଶାସନିକ ସେବା (IAS) କୁ ପଦୋନ୍ନତି ପାଇଁ ପୁନର୍ବିଚାର କରିବାକୁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୧୯୮୭ ବ୍ୟାଚର ଅବସରପ୍ରାପ୍ତ OAS ଅଧିକାରୀ ହେଉଛନ୍ତି ସଞ୍ଜିତା ଦାସ ।
ସେ ମେ ମାସରେ ଚାକିରିରୁ ଅବସର ନେଇଥିଲେ ମଧ୍ୟ ତାଙ୍କ ପଦୋନ୍ନତି ପୁନଃବିଚାର କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
୨୦୧୧ ମସିହାରେ, କଟକ ମ୍ୟୁନିସିପାଲ୍ କର୍ପୋରେସନରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (୧୯୯୫-୨୦୦୦) ଭାବରେ କାର୍ଯ୍ୟକାଳ ମଧ୍ୟରେ ଅନିୟମିତ ନିଯୁକ୍ତି ପାଇଁ ସଞ୍ଜିତା ଦାସଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିନ୍ତୁ ପ୍ରଶାସନିକ ବିଳମ୍ବ ଯୋଗୁଁ କାର୍ଯ୍ୟନୁଷ୍ଠାନ ୨୦୨୦ ମସିହାରେ କାର୍ଯ୍ୟକାରୀ କରାଯାଇଥିଲା, ତେଣୁ ତାଙ୍କ IAS ପଦୋନ୍ନତି ସମ୍ଭାବନାକୁ ପ୍ରଭାବିତ କରିଥିଲା ।
ଏନେଇ ସେ କୋର୍ଟରେ ଆବେଦନ କରିଥିଲେ, ହେଲେ ପ୍ରାରମ୍ଭିକ ଭାବରେ ଜଣେ ବିଚାରପତି ୨୫ ଜୁନ୍ ୨୦୨୪ରେ ଖାରଜ କରିଦେଇଥିଲେ ।
ପରେ ଜୁନ୍ ୧୯ ୨୦୨୫ ତାରିଖରେ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଏବଂ ବିଚାରପତି ଏମ୍ ଏସ୍ ରମଣଙ୍କ ଏକ ଖଣ୍ଡପୀଠ କହିଥିଲେ ଯେ, ଦଣ୍ଡ କାର୍ଯ୍ୟକାରୀ କରିବାରେ ସମ୍ପୂର୍ଣ୍ଣ ପ୍ରଶାସନିକର ବିଳମ୍ବ ଥିଲା । ଏଥିପାଇଁ ସଞ୍ଜିତା ଦାସଙ୍କୁ ଦାୟୀ କରାଯାଇପାରିବ ନାହିଁ ।
ରାୟ ପ୍ରକାଶ ପାଇବାର ତିନି ମାସ ମଧ୍ୟରେ ସଞ୍ଜିତା ଦାସଙ୍କ ଆଇଏଏସ୍ କ୍ୟାଡରକୁ ପଦୋନ୍ନତି ଉପରେ ପୁନର୍ବିଚାର କରିବାକୁ ଡିଭିଜନ ବେଞ୍ଚ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ତାଙ୍କୁ ସମସ୍ତ ଆନୁଷଙ୍ଗିକ ସୁବିଧା ପ୍ରଦାନ କରାଯିବା ଉଚିତ ବୋଲି କହିଛନ୍ତି ।
Comments are closed.