ଭୁବନେଶ୍ୱର: ୨୦୨୧ ମସିହା ମାର୍ଚ୍ଚ ସୁଦ୍ଧା ପୁରୀ ସ୍ୱର୍ଗଦ୍ୱାରର ବିକାଶ କାମ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ (୫ଟି) ସଚିବ ଭିକେ ପାଣ୍ଡିଆନ୍ ଶନିବାର ଦିନ ପୁରୀ ଗସ୍ତରେ ଯାଇ ସ୍ୱର୍ଗଦ୍ୱାରର ବିକାଶ ଓ ଗାଈଗୋରୁଙ୍କ ରହଣୀ ପାଇଁ ଗୋଶାଳା ଏବଂ ଭିକ୍ଷୁକଙ୍କ ଥଇଥାନ ସମ୍ପର୍କରେ ସମୀକ୍ଷା କରିଥିଲେ ।
ବାତ୍ୟା ଫନି ଯୋଗୁଁ ପୁରୀ ସହର ଏକପ୍ରକାର କ୍ଷତିଗ୍ରସ୍ତ ହୋଇଥିଲା । ଯାହା ପରେ ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ସିଏମଆରଏଫ୍ ରୁ ଏହାର ବିକାଶକରଣ ପାଇଁ ଅର୍ଥ ଖର୍ଚ୍ଚ କରାଯାଇଥିଲା ।
ଆହୁରି ମଧ୍ୟ ବଡ଼ଦାଣ୍ଡରୁ ୭୦୦ ବୁଲା ଗାଈଗୋରୁଙ୍କୁ ଗୋଶାଳାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଗାମୀ ମାସକ ଭିତରେ ଆଉ ୪୦୦ ଗାଈଗୋରୁଙ୍କୁ ଗୋଶାଳାକୁ ପଠାଯିବ।
ଏହା ବ୍ୟତୀତ ବୁଲା ଗାଈଗୋରୁଙ୍କ ରକ୍ଷଣାବେକ୍ଷଣା ତଥା ୫ ବର୍ଷର ଖାଦ୍ୟ ପାଇଁ ସିଏମଆରଏଫ୍ ରୁ ଅର୍ଥ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।
ବଡ଼ଦାଣ୍ଡରୁ ୫୦୦ ଭିକ୍ଷୁକଙ୍କୁ ବିଭିନ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୫୦ ଜଣଙ୍କୁ ସେମାନଙ୍କ ପରିବାର ସହ ଭେଟ କରାଇ ଦିଆଯାଇଛି।
ସେହିପରି ଭୁବନେଶ୍ବର ଓ କଟକରେ ବୁଲା ଗୋରୁଗାଈଙ୍କୁ ଗୋଶାଳାରେ ରଖାଯିବା ବ୍ୟବସ୍ଥା ହେବା ସହ ଭିକ୍ଷୁକ ମାନଙ୍କ ଥଇଥାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।
Comments are closed.