ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ ଶେଷ ହେବାକୁ ଥିବା ବେଳେ ବାହାର ରାଜ୍ୟରୁ ଓଡିଶାକୁ ଫେରିବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ ଅନଲାଇନ ପଂଜୀକରଣ ଆଜିଠାରୁ ଆରମ୍ଭ ହୋଇଛି ।
covid19.odisha.gov.in ଅନଲାଇନ ପୋଟାଲରେ ପଂଜୀକରଣ କଲା ପରେ ହିଁ ଓଡିଶା ଫେରୁଥିବା ଲୋକଙ୍କୁ ରାଜ୍ୟରେ ପ୍ରବେଶ ଅନୁମତି ମିଳିବ ବୋଲି ଜଣାପଡିଛି । ମେ ୩ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ ଶେଷ ହେବା ପରେ ପ୍ରାୟ ସାଢେ ସାତ ଲକ୍ଷ ଲୋକ ଓଡିଶାକୁ ଫେରିବେ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି ।
ରାଜ୍ୟ ବାହାରେ ରହୁଥିବା ଯେ କୌଣସି ଲୋକଙ୍କ ପାଇଁ ତାଙ୍କ ପରିବାର କିମ୍ବା ସମ୍ପର୍କୀୟ ଫର୍ମ ପୂରଣ କରି ଗ୍ରାମ ପଂଚାୟତ ଅଫିସରେ ମଧ୍ୟ ଦାଖଲ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ପଂଜୀକରଣ ପରେ ସରକାରଙ୍କ ପକ୍ଷରୁ ଫେରୁଥିବା ଲୋକଙ୍କ ଗ୍ରାମପଂଚାୟତରେ ପରିବହନ ଓ ଅନ୍ୟ ଡାକ୍ତରୀ ସୁବିଧା ଉପଲବ୍ଧ କରାଯିବ ବୋଲି ପଂଚାୟତିରାଜ ବିଭାଗ ସଚିବ ଡିକେ ସିଂ ପ୍ରକାଶ କରିଛନ୍ତି ।
ସେମାନେ ଓଡିଶା ପହଞ୍ଚିବା ପରେ ଗ୍ରାମପଂଚାୟତ ସ୍ତରରେ କରାଯାଇଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ୧୪ ବଦିନ କ୍ୱାରେଣ୍ଟାଇନରେ ରହିବେ । ଏହା ପରେ ସୁସ୍ଥ ଥିଲେ ସେମାନଙ୍କୁ ଘରକୁ ଫେରିବାକୁ ଦିଆଯିବ ।
ପଂଜୀକରଣ ନିୟମାବଳୀ
– ଲକ୍ ଡାଉନ କଟକଣା ଉଠିବା ପରେ ଓଡିଶା ଫେରିବାକୁ ଚାହୁଁଥିବା ବ୍ୟକ୍ତି ଏହି ପୋର୍ଟାଲରେ ପଂଜୀକରଣ କରିବା ବାଧ୍ୟତାମୂଳକ ।
-ନିଜର ସମ୍ପୂର୍ଣ୍ଣ ତଥ୍ୟ ସହିତ ଫେରୁଥିବା ବ୍ୟକ୍ତି ସ୍ଥାନୀୟ ଅଂଚଳର ପରିଚିତ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଓତଥ୍ୟ ପ୍ରଦାନ କରିବେ । ଯାହାଦ୍ୱାରା କର୍ତ୍ତୃପକ୍ଷ ସେମାନଙ୍କ ସହ ଯୋଗାଯୋଗ କରିପାରିବେ ।
-ଭୁଲ ତଥ୍ୟ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
– ପଂଜୀକରଣ ପରେ ଯଦି କୌଣସି ବ୍ୟକ୍ତି ଓଡିଶା ଫେରିବାକୁ ଚାହୁଁ ନ ଥିବେ ତେବେ ପୁଣିଥରେ ପୋର୍ଟାଲକୁ ଯାଇ ନିଜକୁ ଅଣପଂଜୀକୃତ କରିବେ ।
-ପଂଜୀକରଣ ବେଳେ ଦିଆଯାଇଥିବା ଯୋଗାଯୋଗ ନମ୍ବର ଏବଂ ସ୍ଥାନୀୟ ପରିଚିତ ବ୍ୟକ୍ତିଙ୍କ ଯୋଗେଯାଗ ନମ୍ବରରେ ଓଟିପି ସମେତ ପଂଜୀକରଣ ପ୍ରକ୍ରିୟା, ଯାତାୟତ ଓ କ୍ୱାରେଣ୍ଟାଇନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯିବ ।
Comments are closed.