Latest Odisha News

BREAKING NEWS

ରିଲାଏନ୍ସର ମିଶନ ଅକ୍ସିଜେନ୍: ଦୈନିକ ୧୦୦୦ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ ସହ ମାଗଣାରେ ଯୋଗାଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

ମୁମ୍ବାଇ: ସମଗ୍ର ଭାରତ କୋଭିଡ୍ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି । ସାମ୍ପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ଅମ୍ଲଜାନ ସବୁଠାରୁ ଜରୁରୀ ଆବଶ୍ୟକତା ହୋଇଛି । ରିଲାଏନ୍ସ ପାରମ୍ପରିକ ଭାବେ ତରଳ ଅମ୍ଳଜାନର ଉତ୍ପାଦନକାରୀ ହୋଇନଥିବା ବେଳେ ସମ୍ପ୍ରତି ଗୋଟିଏ ସ୍ଥାନରେ ଏହି ଜୀବନ ରକ୍ଷାକାରୀ ସମ୍ବଳର ଦେଶରେ ସର୍ବବୃହତ ଉତ୍ପାଦନକାରୀ ହୋଇଛି । ଜାମନଗରସ୍ଥିତ ଏହାର ବିଶୋଧନାଗାର-ତଥା-ପେଟ୍ରୋରସାୟନ କମ୍ପ୍ଲେକ୍ସ ତଥା ଏହାର ଅନ୍ୟାନ୍ୟ ୟୁନିଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସମ୍ପ୍ରତି ଦୈନିକ ୧୦୦୦ ମେଟ୍ରିକ୍ ଟନ୍‌ରୁ ଅଧିକ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁଛି । ଯାହା ଭାରତରେ ହେଉଥିବା ମୋଟ ଉତ୍ପାଦନର ୧୧ ପ୍ରତିଶତ । ଏହି ଅନୁସାରେ ଏହା ପ୍ରତି ଦଶ ଜଣରେ ଜଣେ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି । ଏହି ଅମ୍ଳଜାନ କୋଭିଡ-୧୯ରେ ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯାଉଛି ।

Reliance Industries Provides 1000 Tonnes Medical Liquid Oxygen Daily

ରିଲାଏନ୍ସର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରିଲାଏନ୍ସ ପକ୍ଷରୁ ଭାରତରେ ମେଡିକାଲ ଅକ୍ସିଜେନ ଉପଲବ୍ଧ ସ୍ଥିତି ମଜଭୁତ କରିବାକୁ ଜାମନଗରଠାରେ ଦୁଇସୂତ୍ରୀ ଆଭିମୁଖ୍ୟ କାର୍ଯ୍ୟକାରୀ କରାଯାଉଛି । ପ୍ରଥମତଃ ରିଲାଏନ୍ସର ଜାମନଗର ଏବଂ ଅନ୍ୟାନ୍ୟ ୟୁନିଟରେ ଥିବା ଶିଳ୍ପଭିତ୍ତିକ ପ୍ରକ୍ରିୟାରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନକୁ ଅଗ୍ରାଧିକାର ଦିଆଯାଉଛି । ଦ୍ୱିତୀୟରେ ଉତ୍ପାଦିତ ଅମ୍ଳଜାନକୁ କରୋନା ପ୍ରଭାବିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୁରୁଖୁରୁରେ ଓ ନିରାପଦରେ ପଠାଇବାକୁ ବୋଝେଇ ଓ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଉଛି । କୋଭିଡ ମହାମାରୀ ପୂର୍ବରୁ ରିଲାଏନ୍ସ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁନଥିଲା । ତେବେ ରିଲାଏନ୍ସର ଇଞ୍ଜିନିୟରମାନେ ଖୁବ କମ ସମୟ ମଧ୍ୟରେ ବିଶୋଧନାଗାର ଏବଂ ପେଟ୍ରୋରସାୟନ ଗ୍ରେଡ ଅମ୍ଳଜାନ ଉତ୍ପାଦନ ଡିଜାଇନକୁ ଅତ୍ୟନ୍ତ ଶୁଦ୍ଧ ମେଡିକାଲ ଗ୍ରେଡ ଅମ୍ଳଜାନରେ ରୂପାନ୍ତରିତ କରିବା ଏବଂ ଉତ୍ପାଦନ ବୃଦ୍ଧି ଘଟାଇବା କାର୍ଯ୍ୟ ସମ୍ପାଦନ କରିଥିଲେ । ମେଡିକାଲ ଗ୍ରେଡ ତରଳ ଅକ୍ସିଜେନକୁ ସାଧାରଣତଃ ତରଳ ଆକାରରେ ବିଯୁକ୍ତ ୧୮୩ ଡିଗ୍ରୀ ସେଲସିୟସ ତାପମାତ୍ରାରେ ପ୍ରସ୍ତୁତ କରାଯାଇଥାଏ ଯାହା ପ୍ରାୟତଃ ୯୯.୫% ଶୁଦ୍ଧ ହୋଇଥାଏ । ସେଥିପାଇଁ ଏହି ଅମ୍ଳଜାନ ଉତ୍ପାଦନ ଏବଂ ଏହାର ପରିମାଣ ବୃଦ୍ଧି କରିବା କ୍ଷେତ୍ରରେ ଅନେକ ଆପଦ ରହିଥାଏ । ରିଲାଏନ୍ସ ସମ୍ପ୍ରତି ତାହାର ମେଡିକାଲ ଗ୍ରେଡ ଅମ୍ଳଜାନ ଉତ୍ପାଦନ ବସ୍ତୁତଃ ଶୂନ୍ୟ ସ୍ତରରୁ ଦିନକୁ ୧୦୦୦ ଟନ୍‌କୁ ଖୁବ କମ ସମୟ ମଧ୍ୟରେ ପହଞ୍ଚାଇବା ସହିତ ଉତ୍ପାଦନ ବୃଦ୍ଧି କରାଇ ପାରିଛି । ରିଲାଏନ୍ସ ଇଞ୍ଜିନିୟରମାନେ ଅକ୍ଳାନ୍ତ ଭାବରେ କାର୍ଯ୍ୟକରି ଏବଂ କ୍ରାୟୋଜେନିକ ବାୟୁ ପୃଥକିକରଣ ୟୁନିଟଗୁଡିକକୁ ସର୍ବାଧିକ କାର୍ଯ୍ୟକ୍ଷମ କରାଇ ତଥା ସେଥିରେ ଆବଶ୍ୟକ ପରିବର୍ତନ ଆଣି ଏହା ସମ୍ଭବ କରିପାରିଛନ୍ତି । ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଏହି ଅମ୍ଳଜାନ ମାଗଣାରେ ଯୋଗାଇ ଦିଆଯାଉଛି ଏବଂ ଏହା ପ୍ରତିଦିନ ୧ଲକ୍ଷରୁ ଅଧିକ ରୋଗୀଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରୁଛି । କେବଳ ଅପ୍ରେଲ୍ ମାସରେ ରିଲାଏନ୍ସ ୧୫୦୦୦ ମେଟ୍ରିକ୍ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇଥିବା ବେଳେ ୨୦୨୦ ମାର୍ଚ୍ଚରେ ମହାମାରୀ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ରିଲାଏନ୍ସ ସମଗ୍ର ଦେଶରେ ୫୫,୦୦୦ ମେଟ୍ରିକ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇ ସାରିଛି ।

Reliance Industries Provides 1000 Tonnes Medical Liquid Oxygen Daily

ଉଚ୍ଚ ଗୁଣମାନର ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ ସହିତ ତାହାକୁ ଦେଶର ବିଭିନ୍ନ ଭାଗକୁ ପରିବହନ କରିବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବା ଆଉ ଏକ ଆହ୍ୱାନ ହୋଇଛି । ସେଥିପାଇଁ ଏହାର ନିରାପଦ ଏବଂ ତ୍ୱରିତ ପରିବହନ ନିମନ୍ତେ ରିଲାଏନ୍ସ ନିଜର ବୋଝେଇ କ୍ଷମତା ବୃଦ୍ଧି ଘଟାଇବା ଆବଶ୍ୟକତା ଦେଖାଦେଇଥିଲା । ଏହା ହାସଲ କରିବାକୁ ରିଲାଏନ୍ସର ଇଞ୍ଜିନିୟରମାନେ ରେଳ ଏବଂ ସଡକ ପରିବହନ ବ୍ୟବସ୍ଥାରେ ସ୍ମାର୍ଟ ଲଜିଷ୍ଟିକ୍ସ ପରିବର୍ତ୍ତନ କରିଥିଲେ । ସେଥିମଧ୍ୟରେ ସମାନ୍ତରାଳ ଲାଇନ ବିଛାଇବା, ହୋସ୍ ବ୍ୟବହାର କରିବା ଏବଂ ପ୍ରେସର ଡିଫରେନ୍ସିଆଲ ଜରିଆରେ ତରଳ ଟ୍ୟାଙ୍କରଗୁଡିକୁ ବୋଝେଇ କରିବା ଆଦି ଅନ୍ତର୍ଭୁକ୍ତ । ଅନ୍ୟଏକ ନୂତନ ପଦକ୍ଷେପ ସ୍ୱରୂପ ରିଲାଏନ୍ସ ନାଇଟ୍ରୋଜେନ ଟ୍ୟାଙ୍କରଗୁଡିକୁ ମେଡିକାଲ ଗ୍ରେଡ ଅମ୍ଳଜାନ ପରିବହନ ପାଇଁ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତା ସଂଗଠନ ଦ୍ୱାରା ଅନୁମୋଦିତ ନିରାପଦ ପ୍ରକ୍ରିୟାରେ ପରିବହନକାରୀ ଟ୍ରକରେ ରୂପାନ୍ତରିତ କରିଥିଲା ।

ଏଥିସହିତ ରିଲାଏନ୍ସ ସାଉଦି ଆରବ, ଜର୍ମାନୀ, ବେଲଜିୟମ, ହଲାଣ୍ଡ ଏବଂ ଥାଇଲାଣ୍ଡରୁ ୨୪ଟି ଆଇଏସ୍‌ଓ କଂଟେନର ବିମାନଯୋଗେ ଭାରତକୁ ଆଣିବା ବ୍ୟବସ୍ଥା କରିଥିଲା । ଏଥିସହ ଦେଶର ତରଳ ଅମ୍ଳଜାନ ପରିବହନ କ୍ଷମତାରେ ବୃଦ୍ଧି ଘଟାଇ ରିଲାଏନ୍ସ ୫୦୦ ମେଟ୍ରିନ ଟନ୍ ଅତିରିକ୍ତ ପରିବହନ କ୍ଷମତା ଯୋଗ କରିଛି । ଏହି ଆଇଏସ୍‌ଓ କଂଟେନରଗୁଡିକ ଦେଶରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ପରିବହନ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବାରେ ସହାୟକ ହେବ । ବିମାନ ଯୋଗେ ଆଇଏସ୍‌ଓ କଣ୍ଟେନରଗୁଡିକ ଭାରତ ଆଣିବାରେ ଭାରତୀୟ ବାୟୁସେନା ସହଯୋଗ ପ୍ରଦାନ କରିଥିବାରୁ କମ୍ପାନୀ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସେହିଭଳି ଆଇଏସ୍‌ଓ କଂଟେନରଗୁଡିକ ଅଧିଗ୍ରହଣ କରିବାରେ ରିଲାଏନ୍ସର ସହଯୋଗୀ ସାଉଦି ଆରାମକୋ ଏବଂ ବିପି ପୂର୍ଣ୍ଣ ସହଯୋଗ ଯୋଗାଇଦେଇଛନ୍ତି ।

ଏହି ସମସ୍ତ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ  ମୁକେଶ ଅମ୍ବାନି କହିଛନ୍ତି, “ସମଗ୍ର ଭାରତ କୋଭିଡ-୧୯ ମହାମାରୀର ନୂଆ ଲହର ବିରୁଦ୍ଧରେ ଲଢେଇ କରୁଥିବାବେଳେ ମୋ ପାଇଁ ଏବଂ ରିଲାଏନ୍ସରେ ଆମ ସମସ୍ତଙ୍କ ପାଇଁ ପ୍ରତ୍ୟେକଟି ଜୀବନ ବଞ୍ଚାଇବା ଠାରୁ ଆଉ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଭାରତରେ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ ଉତ୍ପାଦନ ଏବଂ ପରିବହନ କ୍ଷମତାର ବଢାଇବାର ତୁରନ୍ତ ଆବଶ୍ୟକତା ରହିଛି । ଜାମନଗରରେ କାର୍ଯ୍ୟରତ ଯୁବ ଇଞ୍ଜିନିୟରମାନଙ୍କ ସାହସ ଓ ଅକ୍ଳାନ୍ତ ପରିଶ୍ରମ ପାଇଁ ମୁଁ ଗର୍ବିତ କାଣ ସେମାନେ ଦେଶର ଏହି ଜରୁରୀ ଆବଶ୍ୟକତା ସମୟରେ ଧୈର୍ଯ୍ୟର ସହ କାର୍ଯ୍ୟ କରି ନିଜର ଦୃଢ ସଂକଳ୍ପ ବଳରେ ସଫଳତା ହାସଲ କରିଛନ୍ତି ।”

Reliance Industries Provides 1000 Tonnes Medical Liquid Oxygen Daily

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି, “ଆମ ଦେଶ ସମ୍ପ୍ରତି ଏକ ଅପ୍ରତ୍ୟାଶିତ ସଙ୍କଟ ଦେଇ ଗତିକରୁଛି । ରିଲାଏନ୍ସ ଫାଉଣ୍ଡେସନରେ ଆମେ ଯଥାସମ୍ଭବ ସହାୟତା ଯୋଗାଣ ଜାରି ରଖିବୁ । ପ୍ରତ୍ୟେକଟି ଜୀବନ ମୂଲ୍ୟବାନ । ଆମର ଜାମନଗର ବିଶୋଧନାଗାରରେ ଥିବା ଆମ ପ୍ଲାଣ୍ଟଗୁଡିକରେ ପରିବର୍ତ୍ତନ ଆଣି ରାତାରାତି ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରିବାକୁ ପ୍ରସ୍ତୁତ କରାଯାଇଛି, ଯାହାକୁ ସମଗ୍ର ଦେଶରେ ଯୋଗାଇ ଦିଆଯାଉଛି । ଆମର ଭାବନା ଏବଂ ଆମର ପ୍ରାର୍ଥନା ଆମର ପ୍ରିୟ ଦେଶବାସୀ ଓ ସମସ୍ତ ମହିଳାଙ୍କ ସହିତ ରହିଛି । ସମ୍ମିଳିତ ଭାବରେ ଉଦ୍ୟମ ଜାରିରଖି ଏକାଠି ଏହି ଜଟିଳ ସମସ୍ୟାକୁ ଆମେ ଦୂର କରିବା ।”

Leave A Reply

Your email address will not be published.