Latest Odisha News

BREAKING NEWS

ଓଡ଼ିଶାର କେତେକ ସେଲ୍ଟରହୋମରେ ଚାଲିଛି ଧର୍ମାନ୍ତରୀକରଣ: ଏନସିପିସିଆର

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର କିଛି ସେଲ୍ଟରହୋମ ଧର୍ମାନ୍ତରୀକରଣ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି । ଏହି ରିପୋର୍ଟ ପ୍ରକାଶ କରିଛି (ଏନସିପିସିଆର) ନ୍ୟାସନାଲ୍ କମିଶନ ଫର୍ ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସ । ଏନସିପିସିଆର ପକ୍ଷରୁ ମହିଳା ଓ ଶିଶୁ ବିକାଶ (ଡବ୍ଲ୍ୟୁସିଡ଼ି) ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କୁ ଏସମ୍ପର୍କରେ ଏକ ରିପୋର୍ଟ ପ୍ରଦାନ କରାଯାଇଛି ।

ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ କମିଶନ୍ ର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ କହିଛନ୍ତି, ଏହି ରିପୋର୍ଟଟି ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଥିବା ଏକ ସେଲ୍ଟରହୋମରେ ନାବାଳିକାଙ୍କ ପ୍ରତି ହୋଇଥିବା ଯୌନ ଶୋଷଣକୁ ଭିତ୍ତି କରି ପ୍ରସ୍ତ୍ୁତ ହୋଇଥିଲା, କେନ୍ଦ୍ର ମହିଳା ଓ ଶିଶୁ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ଏହି ଘଟଣାର ତଦନ୍ତ କରି ଏକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

“ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ କମିଶନଙ୍କ ଏକ ୯ ଜଣିଆ ଟିମ୍ ଗତବର୍ଷ ଡ଼ିସେମ୍ବର ୧୨ ତାରିଖରେ ଓଡ଼ିଶା ଗସ୍ତ କରି ୧୯ଟି ଜିଲ୍ଲାର ୫୦ଟି ସେଲ୍ଟରହୋମ ପରିଦର୍ଶନ କରିଥିଲା । କେତେକ ସେଲ୍ଟରହୋମରେ ଧର୍ମ ସମ୍ପର୍କୀତ ପୁସ୍ତକ ମିଳିଥିବାର ଏହି ଟିମ ଅବଗତ ମଧ୍ୟ କରିଛନ୍ତି,” ବୋଲି ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ କହିଛନ୍ତି ।

ଏହାବ୍ୟତୀତ, ଏହି ୫୦ଟି ସେଲ୍ଟରହୋମ ମଧ୍ୟରୁ ୨୮ଟି ସେଲ୍ଟରହୋମରେ ସର୍ବନିମ୍ନ ବ୍ୟବସ୍ଥା ହିଁ ନାହିଁ । “ଏପରିକି ଏହି ସେଲ୍ଟରହୋମରେ ସିସିଟିଭି ବ୍ୟବସ୍ଥା ମଧ୍ୟ ନାହିଁ । ଏହାଛଡ଼ା, ୧୪ଟି ସେଲ୍ଟରହୋମ ପୋଲିସର ବିନା ଯାଞ୍ଚରେ ବେଆଇନ ଭାବେ ପରିଚାଳିତ ହେଉଛି । କମିଶନ ପକ୍ଷରୁ ୧୩ଟି ସେଲ୍ଟରହୋମ ବିରୋଧରେ ଏତଲା ଦିଆଯାଇ ଅଭିଯୋଗ କରାଯାଇଛି । ଦୁଇଟି ସେଲ୍ଟରହୋମର ଅନ୍ତେବାସୀମାନଙ୍କୁ ଅନ୍ୟ ସେଲ୍ଟରହୋମକୁ ସ୍ଥାନାନ୍ତରୀତ କରାଯାଇଛି, କାରଣ ସେହି ସେଲ୍ଟରହୋମ ଗୁଡ଼ିକରେ ଏନସିପିସିଆର ଗାଇଡ଼ଲାଇନ ଅନୁଯାୟୀ ସର୍ବନିମ୍ନ ସୁବିଧା ନାହିଁ,”ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।

ରାଜ୍ୟ ସରକାରଙ୍କ ମନିଟରିଂ ସିଷ୍ଟମ ସଠିକ୍ ରୂପେ କାମ କରୁନଥିବା କଥା ଏନସିପିସିଆର ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.