ଓଡ଼ିଶା ସମ୍ବାଦ ବ୍ୟୁରୋ: ନଦୀ ଗର୍ଭରୁ ବହୁ ପୁରାତନ ମନ୍ଦିରର ଅଂଶ ବିଶେଷ ଠାବ । ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଭାର୍ଗବୀ ନଦୀ ଗର୍ଭରୁ ଏମିତି କିଛି ସନ୍ଧାନ ପାଇଛନ୍ତି ଐତିହାସିକ ଓ ପ୍ରତ୍ନକାତ୍ତିକ । ‘Rediscover Lost Heritage’ ସଂସ୍ଥାର ଏକ ଚାରି ଜଣିଆ ସଦସ୍ୟ ବିଶିଷ୍ଟ ଐତିହ୍ୟ ଅନୁସନ୍ଧାନକାରୀ ଦଳ ମନ୍ଦିରର ଧ୍ୱଂସାବଶେଷର ପ୍ରାଥମିକ ସର୍ବେକ୍ଷଣ କରିଛନ୍ତି । ରତ୍ନଚିରା ନଦୀ ଅବବାହିକାର ପ୍ରତ୍ନତାତ୍ତ୍ଵିକ ସର୍ଭେ କରାଯାଉଛି । ଭାର୍ଗବୀ ନଦୀ ଗର୍ଭରେ ଥିବା ପୁରାତନ ମନ୍ଦିରଟି ରତ୍ନଚିରା ନଦୀର ଉତ୍ପତ୍ତି ସ୍ଥଳରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ ।
କିଛି କାରୁକାର୍ଯ୍ୟପୂର୍ଣ୍ଣ ପଥର ପ୍ରାୟ ଶହେ ବର୍ଷ ତଳେ ନିର୍ମିତ ଆଖଣ୍ଡଳମଣି ମନ୍ଦିର କାନ୍ଥରେ ମଧ୍ୟ ସ୍ଥାନୀତ କରାଯାଇଛି । ଐତିହାସିକ ଅନିଲ ଧିରଙ୍କ ନେତୃତ୍ୱାଧୀନ ଏହି ଅନୁସନ୍ଧାନକାରୀ ଦଳରେ ‘Rediscover Lost Heritage’ ସଂସ୍ଥାର ପ୍ରକଳ୍ପ ସଂଯୋଜକ ଦୀପକ କୁମାର ନାୟକ ଓ ଅନ୍ୟ ଦୁଇ ସଦସ୍ୟ ସୁମନ ପ୍ରକାଶ ସ୍ୱାଇଁ ଓ ଶୁଭାଶିଷ ଦାଶ ସାମିଲ ଥିଲେ ।
ଗୋଟିଏ ଭଗ୍ନ ଦ୍ୱାରବନ୍ଧର ଉପର ଅଂଶ ଦେଖିବାକୁ ପାଇଥିଲେ ଅନୁସନ୍ଧାକାରୀ ଟିମ । ଯେଉଁଥିରେ ଦେବୀ ଗଜଲକ୍ଷ୍ମୀଙ୍କର ଅତି ସୁନ୍ଦର ଭାବରେ ଖୋଦିତ ପ୍ରତିମା ଦେଖିବାକୁ ମିଳୁଛି । ଏହାବ୍ୟତୀତ ଅନେକ ସ୍ଥାନରେ ନାଗକନ୍ୟା ଓ ପୁଷ୍ପାଲତାର ଅପୂର୍ବ କାରୁକାର୍ଯ୍ୟ ମଧ୍ୟ ସାମନାକୁ ଆସିଛି । ଏସବୁ କାରୁକାର୍ଯ୍ୟର ଆନୁମାନିକ ଗଠନ ସମୟ ତ୍ରୟୋଦଶ କିମ୍ବା ଚତୁର୍ଦ୍ଦଶ ଶତାବ୍ଦୀ କିମ୍ବା ଆହୁରି ପୁରାତନ ହୋଇପାରେ ବୋଲି ଦୀପକ ନାୟକ କହିଛନ୍ତି ।
ପ୍ରସ୍ତର ଖଣ୍ଡଗୁଡିକର ଉଭୟ ପାର୍ଶ୍ୱରେ ସମାନ ଭାବରେ ଖୋଳା ଯାଇଥିବା ବଡ ବଡ କଣା ଦେଖାଯାଉଛି । ଯାହାଦ୍ୱାରା ଲୁହାର ବନ୍ଧନୀ ଦ୍ୱାରା ପଥର ଯୋଡ଼େଇ ହୋଇଥିବା ଅନୁମାନ କରାଯାଇପାରେ । ଏପରି ଅନେକ ଗୁଡିଏ ପଥର ଖଣ୍ଡ ନଦୀରୁ ବାଲି ଉଠାଣ ସମୟରେ କ୍ଷୟପ୍ରାପ୍ତ ହୋଇ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି ।
ଏହି ସ୍ଥାନରୁ ମିଳିଥିବା ଅନେକ ପୁରାତନ ମୂର୍ତ୍ତିକୁ ଆଖପାଖ ମନ୍ଦିରରେ ରଖି ପୂଜା କରାଯାଉଛି । ଗ୍ରାମବାସୀ ଅନୁସନ୍ଧାନକାରୀ ଦଳକୁ ଏହି ସ୍ଥାନରୁ ମିଳୁଥିବା ଅନେକ ପୁରୁଣା ଟଙ୍କା, ଭଙ୍ଗାପାତ୍ର ଓ ଛୋଟ ଛୋଟ ପୁରୁଣା ଅଳଙ୍କାର ଦେଖେଇଥିଲେ । ମନ୍ଦିରର ପ୍ରକୃତ ଇତିହାସ ଜାଣିବାକୁ ହେଲେ ଅଧିକ ଗବେଷଣାର ଆବଶ୍ୟକତା ରହିଛି । କିନ୍ତୁ ଏହା ନିଶ୍ଚିତ ଯେ ଭାର୍ଗବୀ ନଦୀର ଗତିପଥ ପରିବର୍ତ୍ତନ ହିଁ ମନ୍ଦିରଟି ଭାଙ୍ଗି ପଡିବାର ମୁଖ୍ୟ କାରଣ ।
ଏହି ନଦୀର ଉଭୟ କୂଳରେ ଅନେକ ପୌରାଣିକ ଲୋକକଥା ଓ କିମ୍ବଦନ୍ତୀ ଆଧାରରେ ଐତିହାସିକ ସ୍ଥାନ ତଥା କୀର୍ତ୍ତିରାଜି ନିର୍ମିତ ହୋଇଥିଲା । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏହି ମନ୍ଦିର ନିକଟସ୍ଥ ସ୍ଥାନଗୁଡିକର ଉପଯୁକ୍ତ ସର୍ବେକ୍ଷଣ କରିବାକୁ ଦାବି କରିଛନ୍ତି ଅନୀଲ ଧିର । ରତ୍ନଚିରା ନଦୀ ଅବବାହିକାର ସମ୍ପୁର୍ଣ୍ଣ ୬୦ କିଲୋମିଟର ବ୍ୟାପୀ ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଆବଶ୍ୟକ ।
Comments are closed.